ପାକିସ୍ତାନ ଟିମ ରବିବାର ଦିନ ଇଂଲାଣ୍ଡ ଯାତ୍ରା କରିବ, ୧୦ କରୋନା ସଂକ୍ରମିତ ଖେଳାଳି ବାଦ

କରାଚୀ : ଇଂଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ ଦଳ ଆସନ୍ତା ରବିବାରଦିନ ଲଣ୍ଡନ ଯାତ୍ରା କରିବ । ତେବେ ଦଳର ୧୦ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ବାଦ ଦେଇ ବିକଳ୍ପ ଖେଳାଳିମାନଙ୍କୁ ନିଆଯାଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ଵାସିମ ଖାଁ କହିଛନ୍ତି ଯେ କରୋନା ଆକ୍ରାନ୍ତ ଖେଳାଳିଙ୍କୁ ବାଦ ଦିଆଯାଇଛି । ତେବେ ସେମାନଙ୍କ ନମୁନା ନେଗେଟିଭ ବାହାରିଲେ ସେମାନେ ଦଳରେ ପରବର୍ତ୍ତିକାଳରେ ଯୋଗ ଦେଇପାରିବେ ।

ଗତ ସପ୍ତାହରେ ପାକିସ୍ତାନ ଟିମର ଇଂଲାଣ୍ଡ ଗସ୍ତ ପାଇଁ ସେମାନଙ୍କର ବାଧ୍ୟତାମୂଳକ କରୋନା ଟେଷ୍ଟ କରାଯାଇଥିଲା । ଦଳର ୧୦ ଜଣ ଖେଳାଳି ସଂକ୍ରମିତ ଥିବାରୁ ପାକିସ୍ତାନର ଇଂଲାଣ୍ଡ ଗସ୍ତ ସଂକଟରେ ପଡ଼ିଯାଇଛି । ଏହି କରୋନା ଟେଷ୍ଟରେ ପାକିସ୍ତାନ ଟିମର ୭ ସଦସ୍ୟ ଫକର ଜମାନ, ଇମ୍ରାନ ଖାଁ,ଖାସିପ ଭଟ୍ଟି, ମହମ୍ମଦ ହଫିଜ, ମହମ୍ମଦ ହସନାନ, ମହମ୍ମଦ ରିଜଓ୍ଵାନ ଓ ଓ୍ଵାହାବ ରିଆଜଙ୍କ ନମୁନା ପଜିଟିଭ ବାହାରଥିଲା । ପୂର୍ବରୁ ଟିମର ସଦସ୍ୟ ସଦାବ ଖାଁ, ହାରିସ ରୌଫ ଓ ହାଇଦର ଅଲ୍ଲି କରୋନା ସଂକ୍ରମିତ ଥିଲେ । ଫଳରେ ଟିମର ମୋଟ ୧୦ ଜଣ ଖେଳାଳି ଏବେ କରୋନା ସଂକ୍ରମିତ ହୋଇ କ୍ୱାରାଣ୍ଟାଇନରେ ରହିଛନ୍ତି ।

ପାକିସ୍ତାନ ଟିମ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରେ ଇଂଲାଣ୍ଡ ସହ ୩ଟି ଟେଷ୍ଟ ଓ ୩ଟି ଟି-୨୦ ଖେଳିବ । ପରିବେଶ ସହ ଖାପ ଖୁଆଇବା ପାଇଁ ପାକିସ୍ତାନ ଟିମ ପ୍ରାୟ ଦେଢ ମାସ ପୂର୍ବରୁ ଇଂଲାଣ୍ଡ ଯାଉଛି ।

ସମ୍ବନ୍ଧିତ ଖବର