ଭୁବନେଶ୍ବର,: ଚଳିତ ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍ରେ ପୂର୍ବବିଜେତା ପାକିସ୍ତାନ ପ୍ରଥମ ବିଜୟ ହାସଲ କରିଛି। ଶନିବାର ସକାଳେ ଖେଳିଥିବା ନିଜ ଦ୍ବିତୀୟ ପୁଲ୍-ଡି’ ମ୍ୟାଚ୍ରେ ଅନଭିଜ୍ଞ ଇଜିପ୍ଟକୁ ୩-୧ ଗୋଲ୍ରେ ହରାଇ ପଏଣ୍ଟ୍ ଖାତା ଖୋଲିଛି ଏହି ଏସୀୟ ଶକ୍ତି। ଅନ୍ୟତମ ଟ୍ରଫି ଦାବିଦାର ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ରେ ବୁଧବାର ୨-୫ ଗୋଲ୍ରେ ର୍ଜମାନିଠାରୁ ପରାଜିତ ହୋଇଥିଲା। ଦୁଇ ଦିନର ବିଶ୍ରାମ ପରେ ନୂଆ ରଣନୀତି ଏବଂ ଦୃଢ଼ ଆତ୍ମବିଶ୍ବାସ ନେଇ ପଡ଼ିଆକୁ ଓହ୍ଲାଇବା ପରେ ଶନିବାର ପ୍ରତିପକ୍ଷ ଇଜିପ୍ଟ ଉପରେ ଆରମ୍ଭରୁ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ସେଥିପାଇଁ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ପ୍ରଥମ କ୍ବାର୍ଟରରେ ଅବଶ୍ୟ ଇଜିପ୍ଟ ଖେଳାଳିମାନେ ପାକିସ୍ତାନର ଗତି ଏବଂ କୌଶଳକୁ ନିଷ୍ଫଳ କରିବାକୁ ସକ୍ଷମ ହୋଇଥିଲେ। ସେଥିପାଇଁ ଏହି କ୍ବାର୍ଟରର ପୂରା ୧୫ ମିନିଟ୍ ଗୋଲ୍ଶୂନ୍ୟ ରହିଥିଲା। ତେବେ ଦ୍ବିତୀୟ କ୍ବାର୍ଟରରେ ଉଭୟ ପରସ୍ପରର ବଳୟ ଭେଦ କରିବାକୁ ସକ୍ଷମ ହୋଇଥିଲେ। ୧୯ତମ ମିନିଟ୍ରେ ରିଜୱାନ ଅଲ୍ଲୀ ପାକିସ୍ତାନକୁ ଆଗୁଆ କରି ଦେଇଥିଲେ। ଏହି ଗୋଲ୍ଟି ସେ ପେନାଲ୍ଟି କର୍ଣ୍ଣରରୁ ଅର୍ଜନ କରିଥିଲେ। ତେବେ ମାତ୍ର ୩ ମିନିଟ୍ ପରେ ଇଜିପ୍ଟର ଅୱଦ ହୁସେନ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ସ୍ଥିତି ବରାବର କରି ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବା ପରେ ପ୍ରଥମାର୍ଦ୍ଧ ୧-୧ ସ୍ଥିତିରେ ଶେଷ ହୋଇଥିଲେ।
ଏହା ପରେ କିନ୍ତୁ ପାକିସ୍ତାନ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ବିଶେଷ କରି ରିଜୱାନଙ୍କ ଯାଦୁଗରୀ ଷ୍ଟିକ୍ ଚାଳନାର କୌଣସି ଜବାବ ଯେମିତି ଇଜିପ୍ଟ ପାଖରେ ନଥିଲା। ୩୨ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ପାକିସ୍ତାନକୁ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୨-୧ରେ ଆଗୁଆ ରଖିଥିଲେ ସେ। ସେହିଭଳି ୫୩ତମ ମିନିଟ୍ରେ ତୃତୀୟ ଗୋଲ୍ ଦେବା ସହ ବ୍ୟକ୍ତିଗତ ଭାବେ ଚଳିତ ବିଶ୍ବକପ୍ରେ ନିଜ ପ୍ରଥମ ହ୍ୟାଟ୍ରିକ୍ କରିବାର ଗୌରବ ଅର୍ଜନ କରିଥିଲେ। ପାକିସ୍ତାନ ୩-୧ରେ ଆଗୁଆ ହେବା ସହ ସେହି ସ୍କୋର ଲାଇନ୍କୁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖିଥିଲା। ଫଳରେ ପୂରା ୩ ପଏଣ୍ଟ୍ ଅମଳ କରି ନେଇଥିଲା। ଟିପିସିଏଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶେନବାଗମ୍ ମନ୍ଥିରାମ ମ୍ୟାଚ୍ ପୂର୍ବରୁ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଅନ୍ତର୍ଜାତୀୟ ନୌଚାଳନା ତାରକା ପ୍ରତିମା ପୁହାଣ ମ୍ୟାଚ୍ ଶେଷରେ ଅତିଥି ଭାବେ ଯୋଗ ଦେଇ ରିଜୱାନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।
ମୁଣ୍ଡିଆ ମାରି କୃତଜ୍ଞତା ଜଣାଇଲେ ଇଜିପ୍ଟ ଖେଳାଳି
ପାକିସ୍ତାନ ବିପକ୍ଷରେ ଇଜିପ୍ଟ ଆଜି ଚଳିତ ବିଶ୍ବକପ୍ର ପ୍ରଥମ ଗୋଲ୍ ଦେଇଥିଲା। ଏହି ଗୋଲ୍ଟି ୨୨ତମ ମିନିଟ୍ରେ ଅୱଦ ହୁସେନ ଦେଇଥିଲେ। ଗୋଲ୍ କରିବା ପରେ ଇଜିପ୍ଟ ଖେଳାଳିମାନେ ଏକପ୍ରକାର ଭାବବିହ୍ବଳ ହୋଇଯାଇଥିଲେ। ଏବଂ କଳିଙ୍ଗ ଷ୍ଟାଡିୟମ୍ର ନୀଳ ଟର୍ଫକୁ ମୁଣ୍ଡିଆ ମାରି ସମସ୍ତେ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଇଥିଲେ। ଲଢ଼ୁଆ ଖେଳ ଖେଳି ହାରିବା ପରେ ଏହି ଦଳର ଗୋଲ୍ ରକ୍ଷକ ମହମ୍ମଦ ସଲିମଙ୍କ ଆଖିକୁ ଲୁହ ଆସିଯାଇଥିଲା। ପାକିସ୍ତାନ ଖେଳାଳିମାନେ ଖେଳୁଆଡ଼ ମନୋଭାବର ପରିଚୟ ଦେଇ ତାଙ୍କୁ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଥିଲା।