ପାକିସ୍ତାନର ହ୍ୟାଟ୍ରିକ୍ ବିଜୟ 

ଦୁବାଇ : ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶୁକ୍ରବାର ଆଫଗାନିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରି ପାକିସ୍ତାନ ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍‌ ପ୍ରବେଶକୁ ଏକପ୍ରକାର ନିଶ୍ଚିତ କରିଛି। ଆଫ୍‌ଗାନିସ୍ତାନ ୧୪୭ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲେ ମଧ୍ୟ ପାକିସ୍ତାନ ଗୋଟିଏ ଓଭର ପୂର୍ବରୁ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୧୯ତମ ଓଭରରେ କରିମ୍ ଜନତଙ୍କୁ ୪ ଛକା ମାରି ଅସିଫ୍ ଅଲୀ କଷ୍ଟସାଧ୍ୟ ଲାଗୁଥିବା ବିଜୟକୁ ସହଜ କରି ଦେଇଥିଲେ। ପୂର୍ବରୁ ବାବର ଆଜମ (୫୧) ଏବଂ ଫକର ଜମାନ (୩୦) ପାକିସ୍ତାନ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଆଫ୍‌ଗାନିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିବା ଆସିଫ୍ ଅଲୀ (୭ ବଲରୁ ୨୫* ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୟୁଏଇରେ ଆଫଗାନିସ୍ତାନର ୧୮ ବିଜୟ ଧାରା ଭାଙ୍ଗିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ୟୁଏଇରେ ଲଗାତାର ୧୪ତମ ବିଜୟ ପାଇଛି।

ପାରମ୍ପରିକ ଟ୍ବେଣ୍ଟି-୨୦ କ୍ରିକେଟ୍‌ଠାରୁ ଭିନ୍ନ କୌଶଳରେ ଖେଳୁଥିବା ଆଫଗାନିସ୍ତାନ ଶୁକ୍ରବାର ବଢ଼ିଆ ଖେଳିଥିଲା। ସ୍କଟ୍‌ଲାଣ୍ଡ୍ ବିପକ୍ଷ ମୁକାବିଲା ଭଳି ଟସ୍ ଜିତି ବ୍ୟାଟିଂ କରିଥିଲା। ୱିକେଟ୍ ପତନ ଘଟୁଥିଲେ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂକୁ ମୁଖ୍ୟ ଅସ୍ତ୍ର କରିଥିଲା। ପ୍ରଥମ ପାୱାର ପ୍ଲେ ୬ ଓଭର ଭିତରେ ୪ ୱିକେଟ୍ ହରାଇ ଦେଇଥିଲେ ମଧ୍ୟ ଏହି ତାଲିବାନ କବଳିତ ଦେଶ ୪୯ ରନ୍‌ ସଂଗ୍ରହ କରି ରନ୍‌ ରେଟ୍‌କୁ କମିବାକୁ ‌ଦେଇନଥିଲା। ୬୪ ରନ୍‌ରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। କିଛି ସମୟ ପରେ ଏହା ୭୬/୬ରେ ପହଞ୍ଚିଯାଇଥିଲା। ତେବେ ନଜିବୁଲ୍ଲା ଜଦ୍ରାନ (୨୨ ରନ୍, ୨୧ ବଲ୍‌)ଙ୍କ ପରେ ଅଧିନାୟକ ମହମ୍ମଦ ନବି ଏବଂ ଗୁଲବଦିନ୍‌ ନାଏବ ସପ୍ତମ ୱିକେଟ୍ ଭାଗୀଦାରିରେ ୭.୧ ଓଭରରେ ୭୧ ରନ୍‌ ଯୋଡ଼ି ଆଫଗାନିସ୍ତାନକୁ ୧୪୭ ରନ୍‌ର ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିଥିଲେ। ଶେଷ ୪ ଓଭରରୁ ଆଫଗାନିସ୍ତାନ ୪୬ ରନ୍‌ ଆଦାୟ କରିଥିଲା। ବିଶେଷ କରି ୧୮ ଓ ୧୯ ଓରରେ ଯଥାକ୍ରମେ ହାସନ୍ ଅଲୀ ଓ ହାରିସ ରୌଫ୍‌ଙ୍କଠାରୁ ୨୧ ଓ ୧୫ ରନ୍ ଆଦାୟ କରିବା ଦଳର ଯୋଜନାକୁ ସଫଳ ରୂପାୟନ କରିଥିଲା। ‌ଶେଷ ଓଭରରେ କିନ୍ତୁ ଚର୍ଚ୍ଚିତ ପାକିସ୍ତାନୀ ବୋଲର ସାହିନ୍ ସାହା ଆଫ୍ରିଦି ମାତ୍ର ୭ ରନ୍‌ ଦେଇଥିଲେ। ନବି ୩୨ ବଲ୍‌ରୁ ୩୫* ଏବଂ ନାଏବ ୨୫ ବଲ୍‌ରୁ ୩୫* ରନ୍‌ କରିଥିଲେ। ଆଫଗାନିସ୍ତାନର ଅଧିକାଂଶ ଖେଳାଳି ଛକା ମାରିବାକୁ‌ ଚେଷ୍ଟା କରିଥିଲେ ମଧ୍ୟ ୫ ଜଣ ବ୍ୟାଟର୍‌ ୫ ଛକା ମାରିଥିଲେ। ପାକିସ୍ତାନ ପକ୍ଷରୁ ଇମଦ ୱାସିମ୍ (୪-୦-୨୫-୨) ସଫଳ ବୋଲର ଥିଲେ। ହାସନ୍ ଅଲୀ ନିଜ ଦ୍ବିତୀୟ ଓଭରରେ ମେଡେନ୍ ପକାଇଥିଲେ ମଧ୍ୟ ଶେଷକୁ ୪-୧-୩୮-୧ ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର