ବିଶ୍ବର ସବୁଠୁ ଡେଙ୍ଗା ବୋଲର ମାନ୍ୟତା ପାଇବାକୁ ଯାଉଛନ୍ତି ପାକିସ୍ତାନର ମୁଦାସିର ଗୁଜ୍ଜର

ନୂଆଦିଲ୍ଲୀ: ପାକିସ୍ତାନର ୨୧ ବର୍ଷିୟ ମୁଦାସିର ଗୁଜ୍ଜର ବିଶ୍ବ କ୍ରିକେଟରେ ସବୁଠୁ ଡେଙ୍ଗା ବୋଲର ହେବାକୁ ଯାଉଛନ୍ତି। ଗୁଜ୍ଜରଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ହୋଇଥିଲା ବେଳେ ଡେଙ୍ଗା ଖେଳାଳି ଭାବେ ନିଜ ଦେଶର ମହମ୍ମଦ ଇର୍ଫାନ୍‌ଙ୍କୁ ପଛରେ ପକାଇଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନ ସୁପର ଲିଗ୍‌ର ଲାହୋର କ୍ବାଲାଣ୍ତରର୍ସ ପକ୍ଷରୁ ଖେଳୁଥିବା ଗୁଜ୍ଜର ଖେଳାଳି ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ତାଲିମ ନେଉଛନ୍ତି। ଆଗକୁ ଦେଶ ପାଇଁ କ୍ରିକେଟ ଖେଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଉଚ୍ଚତା ହିଁ ସବୁଠୁ ବଡ଼ ଆଶୀର୍ବାଦ ବୋଲି ଗୁଜ୍ଜର କହିଛନ୍ତି। ଯାହାଫଳରେ ସେ ଦ୍ରୁତ ଭାବେ ଦୌଡ଼ି ପାରିବା ସହ ଦ୍ରୁତ ବୋଲର ହୋଇପାରିଛନ୍ତି। ୭ ମାସ ପୂର୍ବରୁ ସେ ଜଣେ ବୋଲର ହେବା ପାଇଁ ତାଲିମ ନେଉଥିଲେ। ହେଲେ କରୋନା ଯୋଗୁଁ ଏଥିରେ ବ୍ୟତିକ୍ରମ ହୋଇଥିଲା। ତଥାପି ଦିନେ ନା ଦିନେ ସେ ବିଶ୍ବର ସବୁଠୁ ଡେଙ୍ଗା ବୋଲର ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ବର୍ତ୍ତମାନ ବାମହାତୀ ଦ୍ରୁତ ବୋଲର ଇର୍ଫାନ ବିଶ୍ବର ସବୁଠୁ ଡେଙ୍ଗା ବୋଲରର ଆଖ୍ୟା ପାଇଛନ୍ତି। ତେବେ ଗୁଜ୍ଜର ଜଣେ ସ୍ପିନର ଭାବେ ଖେଳିବାକୁ ଯାଉଛନ୍ତି। ଆଗରୁ ଏମିତି ସମୟ ଥିଲା ଯେ ଗୁଜ୍ଜର ତାଙ୍କ ଉଚ୍ଚତା ପାଇଁ ଦଳରେ ସ୍ଥାନ ପାଇବେ କି ନାହିଁ ଚିନ୍ତାରେ ରହୁଥିଲେ। ସ୍କୁଲ୍‌ରେ ଦଶମରେ ପଢିବା ବେଳକୁ ସେ ୬ ଫୁଟ ଉଚ୍ଚତାର ହୋଇଯାଇଥିଲେ। ଦିନକୁ ଦିନ ଲମ୍ବା ହୋଇଯାଉଥିବାରୁ ବାପା ମା’ ମଧ୍ୟ ଚିନ୍ତାରେ ଥିଲେ। ବ˚ଶରେ କେହି ବି ଏଭଳି ଉଚ୍ଚତାର ନଥିଲା ବେଳେ ସେ କିପରି ଡେଙ୍ଗା ହୋଇଚାଲିଛନ୍ତି, ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ହୁଏତ ଆଗକୁ ତାଙ୍କର କିଛି ଅସୁବିଧା ହେବା ନେଇ ଆଶଙ୍କା କରାଯାଉଥିଲା। ହେଲେ ଏବେ ସମୟ ବଦଳିଯାଇଛି। ଲୋକମାନେ ତାଙ୍କୁ ହସହସ ମୁହଁରେ ଭେଟିବାକୁ ଆସୁଛନ୍ତି। ଯେଉଁଥିପାଇଁ ସେ ନିଜକୁ ସ୍ବତନ୍ତ୍ର ବୋଲି ଭାବୁଛନ୍ତି। ଡେଙ୍ଗା ହେବା ଭଗବାନଙ୍କ ଆଶୀର୍ବାଦ ବୋଲି ଧରିନେଇଥିବାରୁ ଏଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର