ଲାହୋର: ନ୍ୟୁଜିଲାଣ୍ଡ ଗସ୍ତ ଲାଗି ବୁଧବାର ୩୫ ଜଣିଆ ପାକିସ୍ତାନ ଦଳ ଘୋଷିତ ହୋଇଛି। ଏହି ଗସ୍ତରେ ପାକିସ୍ତାନ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଟେଷ୍ଟ୍ ଅଧିନାୟକ ଆଝାର ଅଲ୍ଲୀଙ୍କୁ ବିଦା କରି ତାଙ୍କ ସ୍ଥାନରେ ସୀମିତ ଓଭର ଅଧିନାୟକ ବାବର ଆଜାମ୍ଙ୍କୁ ନିଯୁକ୍ତି ମିଳିଛି। ଫଳରେ ୨୬ ବର୍ଷୀୟ ଆଜାମ୍ ୩ଟି ଯାକ ଫର୍ମାଟ୍ରେ ପାକିସ୍ତାନ ଦଳର ନେତୃତ୍ବ ନେବେ। ଆଝାର ଅଲ୍ଲୀଙ୍କ ନେତୃତ୍ବରେ ପାକିସ୍ତାନ ୮ ଟେଷ୍ଟ୍ ଖେଳିଥିଲା ବେଳେ ୨ଟିରେ ଜିତିଥିଲା ଏବଂ ୩ଟି ହାରିଥିଲା। କେବଳ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ତାଙ୍କ ନେତୃତ୍ବରେ ଦଳ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ପରାଜିତ ହୋଇଥିଲା।
ଟେଷ୍ଟ୍ ଦଳର ଉପଅଧିନାୟକ ଭାବେ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ରହିଛନ୍ତି। ଟି-୨୦ର ଉପଅଧିନାୟକ ଦାୟିତ୍ବ ସଦାବ ଖାନ୍ଙ୍କୁ ମିଳିଛି। ହେଲେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଯୋଗୁଁ ଅସାଦ ସଫିକ, ମହମ୍ମଦ ଆମିର ଓ ଅଭିଜ୍ଞ ସୋଏବ ମଲ୍ଲିକଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ଦିଆଯାଇଛି। ଭବିଷ୍ୟତକୁ ନଜରରେ ରଖି ବହୁ ନୂଆ ମୁହଁକୁ ଏହି ୩୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ମିସ୍ବା-ଉଲ୍-ହକ୍ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୨୭ରେ ପ୍ରଥମ ଟି-୨୦ ଅକ୍ଲାଣ୍ଡରେ ଖେଳାଯିବ। ପରବର୍ତ୍ତୀ ୨ ଟି-୨୦ ମାଉଣ୍ଟ ମୌଙ୍ଗାନୁଇରେ ନଭେମ୍ବର ୨୯ ଓ ୩୦ ତାରିଖରେ ଅୟୋଜିତ ହେବ। ଟେଷ୍ଟ୍ ମ୍ୟାଚ୍ ଦୁଇଟି ହାମିଲଟନ୍ ଓ ୱେଲିଂଟନ୍ରେ ଯଥାକ୍ରମେ ଡିସେମ୍ବର ୩ ଓ ୧୧ ତାରିଖରୁ ଆରମ୍ଭ ହେବ।
ପାକିସ୍ତାନ ଦଳ: ଆବିଦ ଅଲ୍ଲୀ, ଅବଦୁଲ୍ଲା ସଫିକ, ଫକର ଜମନ, ଇମାମ-ଉଲ୍-ହକ୍, ଶାନ ମାସୁଦ, ଜୀସାନ ମଲ୍ଲିକ, ବାବର ଆଜମ (ଅଧିନାୟକ), ଆଝାର ଅଲ୍ଲୀ, ଡାନିସ ଅଜିଜ, ଫୱାଦ ଆଲାମ, ହାଇଦର ଅଲ୍ଲୀ, ନସିମ ଶାହ, ହାରିସ ସୋହେଲ, ହୁସେ ତଲାତ, ଇଫ୍ତିକାର ଅହମ୍ମଦ, ଇମ୍ରାନ ବଟ୍ଟ, ଖୁଶଦିଲ ଶାହ, ମହମ୍ମଦ ହାଫିଜ, ମହମ୍ମଦ ରିଜୱାନ, ରୋହେଲ ନାଜିର, ସର୍ଫରାଜ ଅହମ୍ମଦ, ଇମାଦ ୱାସିମ, ୱାହାମ ରିଆଜ, ସାହିନ ଶାହ ଆଫ୍ରିଦି, ସଦାବ ଖାନ, ଉସମାନ କାଦିର, ୟାସିର ଶାହ, ଜାଫର ଗୋହର, ଅମାଦ ବଟ୍ଟ, ଫହିନ ଅସ୍ରାଫ, ହାରିସ ରଫ, ମହମ୍ମଦ ଆବାସ, ମହମ୍ମଦ ହାସନୈନ, ସେହେଲ ଖାନ୍।