ରାୱଲପିଣ୍ଡି ଟେଷ୍ଟ୍‌ରେ ପାକିସ୍ତାନର ଦୃଢ଼ ଜବାବ, ଇଂଲଣ୍ଡ ୬୫୭; ପାକିସ୍ତାନ ୧୮୧/୦

ରାୱଲପିଣ୍ଡି : ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ରେ ବ୍ୟାଟର୍‌ଙ୍କ ରାଜୁତି ଦେଖିବାକୁ ମିଳିଛି। ଦୁଇ ଦିନ ମଧ୍ୟରେ ୧୦ ୱିକେଟ୍‌ର ପତନ ଘଟିଥିଲା ବେଳେ ୮୩୮ ରନ୍‌ ସଂଗ୍ରହ ହୋଇସାରିଲାଣି। ସେଥିରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଇଂଲଣ୍ଡ ପ୍ରଥମ ପାଳିରେ ୬୫୭ ରନ୍‌ କରିଥିଲା ବେଳେ ଏହା ଦୃଢ଼ ଜବାବ ଦେଇ ଘରୋଇ ପାକିସ୍ତାନ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ କୌଣସି ୱିକେଟ୍‌ ନହରାଇ ୧୮୧* ରନ୍‌ କରିନେଇଛି। ଦୁଇ ଓପ୍‌ନର ଅବ୍‌ଦୁଲା ସଫିକ୍‌ (୮୯*) ଓ ଇମାମ୍‌ ଉଲ୍‌ ହକ୍‌ (୯୦) ଅପରାଜିତ ପାଳି ଖେଳିବା ସହ ଯଥାକ୍ରମେ ଶତକଠାରୁ ୧୧ ଓ ୧୦ ରନ୍‌ ଦୂରରେ ରହିଛନ୍ତି। ଦୁହେଁ ୫୧ ଓଭରରେ ପ୍ରଥମ ୱିକେଟ୍‌ରେ ୧୮୧ ରନ୍‌ର ଭା‌ଗୀଦାରି ଗଢ଼ି ପାକିସ୍ତାନକୁ ଦୃଢ଼ ସ୍ଥିତି ଦେଇଛନ୍ତି।

ପୂର୍ବରୁ ଦ୍ରୁତ ବ୍ୟାଟିଂ କରି ୪ ଶତକୀୟ ପାଳି ବଳରେ ପ୍ରଥମ ଦିବସରେ ୫୦୬/୪ (୭୫ ଓଭର) କରିଥିବା ଇଂଲଣ୍ଡ ଶୁକ୍ରବାର ଦ୍ବିତୀୟ ଦିବସରେ ଆଉ ୨୬ ଓଭର ଖେଳି ଅବଶିଷ୍ଟ ୬ ୱିକେଟ୍‌ ହରାଇବା ପୂର୍ବରୁ ୧୫୧ ରନ୍ ଯୋଡ଼ିଥିଲା। ଏପରିକି ଦଳ ମଧ୍ୟ ୬.୫ ହା‌ରରେ ୧୦୧ ଓଭରରେ ୬୫୭ ରନ୍‌ର ବଡ଼ ସ୍କୋର୍‌ କରିନେଇଥିଲା। ପ୍ରଥମ ଦିବସରେ ୧୦୧ ରନ୍‌ରେ ଅପରାଜିତ ଥିବା ହାରି ବ୍ରୁକ୍ସ ୧୫୩ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଅଧିନାୟକ ବେନ୍‌ ଷ୍ଟୋକ୍ସ ୪୧, ଓଲି ରବିନ୍‌ସନ୍‌ ୩୭ ଓ ୱିଲ୍‌ ଜାକ୍ସ ୩୦ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ଜହିଦ ମହମୁଦ୍‌ ସର୍ବାଧିକ ୪ ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ୩୩ ଓଭରରେ ୨୩୫ ରନ୍‌ ବ୍ୟୟ କରିଥିଲେ। ତାଙ୍କ ବ୍ୟତୀତ ନସିମ ଶାହା ୩, ମହମ୍ମଦ ଅଲୀ ୨ ଏବଂ ହାରିସ୍‌ ରୌଫ୍ ଗୋଟିଏ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର