ଦୁବାଇ: ପାକିସ୍ତାନ ଭିତରେ ଭିତରେ ଯେ ଆତଙ୍କୀସ୍ତାନରେ ପରିଣତ ହେଲାଣି, ସେକଥା ସାରା ଦୁନିଆ ଜାଣିଥିଲା। ହେଲେ ଧାର୍ମିକ ଚରମପନ୍ଥୀମାନେ ଯେ ସେଠାକାର କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରରେ ଖେଳୁଥିବା ଖେଳାଳିଙ୍କ ମନରେ ଜେହାଦୀ ବିଷ ବୁଣି ସାରିଲେଣି, ତାର ନଗ୍ନ ନମୁନା ରବିବାରର ଏସିଆ କପ୍ ମ୍ୟାଚ୍ରେ ଦେଖିବାକୁ ମିଳିଛି। ଦୁଇଟି ଜୀବନ ଦାନ ପାଇବା ପରେ କଷ୍ଟେମଷ୍ଟେ ଅର୍ଦ୍ଧଶତକ ଛୁଇଁବା ପରେ ପାକିସ୍ତାନୀ ଓପନର୍ ସାହିବଜାଦା ଫରହାନ ଏକେ-୪୭ ବନ୍ଧୁକରୁ ଗୁଳି ବର୍ଷଣ କରିବା ଭଙ୍ଗୀରେ ଉତ୍ସବ ପାଳନ କରିଥିଲେ। ଏହା କରି ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭୟଙ୍କର ଘଟଣାକୁ ମନେପକାଇବାକୁ ସମ୍ଭବତଃ ଭାରତୀୟମାନଙ୍କୁ ପରୋକ୍ଷରେ କହିଥିଲେ। ସେହିଭଳି ଦ୍ରୁତ ବୋଲର ହାରିସ୍ ରୌଫ ନିଜଦେଶ କରୁଥିବା ମିଛ ଦାବିକୁ ଦୋହରାଇ ଅପରେସନ୍ ସିନ୍ଦୂର ଅବସରରେ ଭାରତର ୬ଟି ଜାହଜକୁ ଖସାଇ ଦେବାର ବାହାସ୍ଫୋଟ ମାରିଥିଲେ।
ଯିଏ ଯାହା ଭାବିଲେ ମୋତେ କିଛି ଫରକ ନାହିଁ: ଫରହାନ
ନିଜ ଲଜ୍ଜାଜନକ ‘ଏକେ -୪୭’ ଉତ୍ସବ ପାଳନ ନେଇ ପାକିସ୍ତାନୀ ଓପନର୍ ସାହିବଜାଦା ଫରହାନ୍ ମଧ୍ୟ ମୁହଁ ଖୋଲିଛନ୍ତି। ଚୋର ମୁହଁ ଟାଣ ହେବା ଭଳି ଯିଏ ଯାହା ଭାବୁ ମୋର କିଛି ଫରକ ନାହିଁ ବୋଲି ମ୍ୟାଚ୍ ପରେ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି। ଏହି ବିବାଦୀୟ ଆଚରଣ ପାଇଁ ସାମାଜିକ ଗଣମାଧ୍ୟମ ଏବଂ ସାଧାରଣ ଜୀବନରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବା ପରେ ସେ କହିଛନ୍ତି, ଆପଣ ଯଦି ମୋ ଛକା ମାରିବା କଥା କହୁଛନ୍ତି, ତାହେଲେ ଏଭଳି ଦୃଶ୍ୟ ଆଗାମୀ ସମୟରେ ନିୟମିତ ଭାବେ ଦେଖିବେ। ଅର୍ଦ୍ଧଶତକ ପରେ ମୋ ମନକୁ ଯାହା ଆସିଥିଲା, ମୁଁ କେବଳ ତାହା କରିଥିଲି। ଅର୍ଦ୍ଧଶତକ ପରେ ମୁଁ ସାଧାରଣତଃ ଉତ୍ସବ ପାଳନ କରେନି। ମୁଁ ଜାଣିନି ଏହାକୁ ଲୋକମାନେ କିଭଳି ଭାବେ ନେବେ। ସତ କହିବାକୁ ଗଲେ ଏଥିନେଇ ମୋର କିଛି ଯାଏ ଆସେ ନାହିଁ। ବାକି ଆପଣ ଯେବେବି ଯାହା ବିପକ୍ଷରେ କ୍ରିକେଟ୍ ଖେଳୁଛନ୍ତି ଆକ୍ରମଣାତ୍ମକ ଖେଳ ଖେଳିବା ଉଚିତ। ଏହା ଖାଲି ଭାରତୀୟ ଦଳ ହେବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଦଳ ବିପକ୍ଷରେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ଦରକାର। ଯେଭଳି ଆମେ ଖେଳିଲୁ। ହେଲେ ନିଜ ଦଳର ପରାଜୟକୁ ଲଜ୍ଜାହୀନ ଭାବେ ଭୁଲି ଯାଇଥିଲେ ସେ।
ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ଭାରତୀୟ ପ୍ରଶଂସକଙ୍କୁ ପରିହାସ କରିଥିଲେ। ଶେଷରେ କିନ୍ତୁ ୬ ୱିକେଟ୍ରେ ମ୍ୟାଚ୍ ହାରି ଲାଙ୍ଗୁଳ ଜାକି ପ୍ୟାଭିଲିୟନ ଫେରିଥିଲେ। ତେବେ କ୍ରିକେଟ୍ ପଡ଼ିଆରେ ପାକିସ୍ତାନ ଦଳର ଏହି କାର୍ନାମା ପୂରା କ୍ରିକେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି। ପାକିସ୍ତାନ ଦଳକୁ ବର୍ଜନ କରିବାକୁ ସାମାଜିକ ଗଣମାଧ୍ୟମରେ ଦାବି ଜୋର ଧରିଛି। ଏପରିକି ରାଜନୈତିକ ଓ ହିଂସାତ୍ମକ ସଙ୍କେତ କରିଥିବାରୁ ଫରହାନ ଓ ହାରିସ୍ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇସିସି ନିକଟରେ ଦାବି ହୋଇଛି। ଉଭୟ ଯେତେବେଳେ ପଡ଼ିଆ ଭିତରେ ଏଭଳି କୁତ୍ସିତ କାମ କରିଥିଲେ ଭାରତୀୟ ପ୍ରଶଂସକ ମଧ୍ୟ ସେମାନଙ୍କୁ ଛାଡ଼ି ନଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍ ଅବସରରେ ହାରିସ୍ଙ୍କୁ ବିରାଟ କୋହଲି କିଭଳି ତାଙ୍କୁ ନିର୍ଧୂମ ଛେଚି ଭାରତକୁ ଜିତାଇଥିଲେ, ସେକଥା ମନେ ପକାଇ ଦେଇଥିଲେ।
କୋହଲି.... କୋହଲି ସ୍ଲୋଗାନ ଦେଇ ତାଙ୍କୁ ଲଗାତାର କଟାକ୍ଷ କରିଥିଲେ। ପ୍ରକାଶଯୋଗ୍ୟ ଯେ ପାକିସ୍ତାନୀ କ୍ରିକେଟର୍ମାନେ ଅତୀତରେ ଅନେକ ଥର କ୍ରିକେଟ୍ ପଡ଼ିଆ ଭିତରେ ନିଜ ଧାର୍ମିକ ଭାବନାର ଖୋଲା ପରିପ୍ରକାଶ କରିଛନ୍ତି। ପୂର୍ବତନ କ୍ରିକେଟର୍ ଇଞ୍ଜମାମ ଉଲ୍ ହକ ଏବଂ କ୍ରିଷ୍ଟିଆନ୍ରୁ ମୁସଲମାନ ପାଲଟିଥିବା ମହମ୍ମଦ ୟୁସୁଫ ତ ନିଜର ଯେ କୌଣସି ସାକ୍ଷାତକାର ଧାର୍ମିକ ସ୍ଲୋଗାନରୁ ହିଁ ଆରମ୍ଭ କରନ୍ତି। ପୁଣି ୱିକେଟ୍ରକ୍ଷକ ବ୍ୟାଟର୍ ତଥା କିଛି ଦିନ ତଳେ ପାକିସ୍ତାନ ଦଳର ଅଧିନାୟକ ଥିବା ମହମ୍ମଦ ରିଜୱାନ୍ ଅନ୍ୟଦେଶର କ୍ରିକେଟର୍କୁ ମୁସଲମାନ ଧର୍ମ ଗ୍ରହଣ କରାଉଥିବାର ଅନେକ ଉଦାହରଣ ରହିଛି। ରବିବାର ମ୍ୟାଚ୍ ଅବସରରେ ମଧ୍ୟ ଦୁଇ ଭାରତୀୟ ଯୁବ ଓପନର୍ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ଙ୍କ ଧୂଆଁଧାର ବ୍ୟାଟିଂରେ ବିଚଳିତ ହୋଇ ପାକିସ୍ତାନ ଖେଳାଳିମାନେ ସେମାନଙ୍କ ସହ ଅଯଥାରେ ଯୁକ୍ତିତର୍କ କରିଥିଲେ। ଏପରିକି ମୁହାଁମୁହିଁ ହେବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ମ୍ୟାଚ୍ ପରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଅଭିଷେକ ପ୍ରତିପକ୍ଷ ଦଳର ଏଭଳି ଆଚରଣକୁ ଖୋଲା ସମାଲୋଚନା କରିଥିଲେ। ସେହିଭଳି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଭାରତଠାରୁ ପାକିସ୍ତାନ ଲଗାତାର ହାରୁଥିବାକୁ ଦର୍ଶାଇ ଆଉ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିତା ନାହିଁ। ଏହା ପୁରୁଣା ହୋଇଗଲାଣି କହି ପାକିସ୍ତାନକୁ ପରିହାସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/23/sfsffsxcxc-2025-09-23-02-16-04.jpg)