ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌: ସୁପର ଓଭରରେ ଜିତିଲା ମୁକ୍ତେଶ୍ବର

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ କେଶୁରା ଗାଁ ପଡ଼ିଆରେ ପଞ୍ଚାନନ ଜେନା ସ୍ମୃତି କମିଟି ଏବଂ ଫ୍ରେଣ୍ଡ୍‌ସ କ୍ଲବ୍‌ ଅନୁକୂଲ୍ୟରେ ସୋମବାର ଦ୍ବିତୀୟ ବର୍ଷିକ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ଭୁବନେଶ୍ବରର ମୁକ୍ତେଶ୍ବର କ୍ଲବ୍‌ ସୁପର ଓଭରରେ କଟକର ସୋଲାର କ୍ଲବ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୋଲାର କ୍ଲବ୍‌ ନିର୍ଦ୍ଧାରିତ ୩୦ ଓଭରରେ ୮ ୱିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ଋତିକ ମହାନ୍ତି ୬୧ ରନ୍‌ କରିଥିଲେ। ଜବାବରେ ମୁକ୍ତେଶ୍ବର ମଧ୍ୟ ୨୦୧/୮ କରିଥିଲା। ଫଳରେ ମ୍ୟାଚ୍‌ ଟାଇ ରହିଥିଲା। ତେଣୁ ଫଳାଫଳ ଲାଗି ସୁପର ଓଭରର ସହାୟତା ‌ନିଆଯାଇଥିଲା। ଏଥିରେ ମୁକ୍ତେଶ୍ବର ୨୩/୧ କରିଥିଲା ବେ‌ଳେ ସୋଲାର ୨୧/୧ରେ ଅଟକି ପରାଜୟ ବରଣ କରିଥିଲା। ଦୁଇଟି ପାଳିରେ ୬୬ ରନ୍‌ କରିଥିବା ଅନୁରାଗ ଷଡ଼ଙ୍ଗୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ପୁରସ୍କାର ଅତିଥି ପୂର୍ବତନ ରଣଜୀ ଖେଳାଳି ପ୍ରୀତମଜିତ୍‌ ଦାସ ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ସୁଶାନ୍ତ ଦାସ ଓ ଶରତ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବେନଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ପିଜେ କଲେଜ ସମୂହ ଉପାଧ୍ୟକ୍ଷ ପ୍ରମୋଦ ଜେନା, ଶୁକଦେବ ସ୍ବାଇଁ, ଚୈତନ୍ୟ ସ୍ବାଇଁ, ବ୍ରଜବନ୍ଧୁ ଭୋଳ, ପ୍ରହରାଜ ପ୍ରଧାନ, ଫ୍ରେଣ୍ଡ୍ସ କ୍ଲବ୍‌ ସଭାପତି କୃତ୍ତାର୍ଥ ପ୍ରଧାନ ଓ ସହିଦ ସ୍ପୋର୍ଟିଂ କ୍ଲବ୍‌ ସମ୍ପାଦକ ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର