ଭୁବନେଶ୍ବର: ଚଳିତମାସ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୮କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ବିଶିଷ୍ଟ ଇଣ୍ଡିଆନ୍ ଓପନ୍ ସୁପର-୭୫୦ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଭାରତର ସବୁଠୁ ବଡ଼ ଦଳ ଅଂଶଗ୍ରହଣ କରିବ। ଏଥିରେ ୨୧ଜଣ ଖେଳାଳି ଅଛନ୍ତି। ସେହିଭଳି ଅଲିମ୍ପିକ୍ସ ବିଜେତା ଭିକ୍ଟର ଆକ୍ସେଲସେନ୍, ଆନ୍ ସି ୟଙ୍ଗ୍ ଏବଂ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ସି ୟୁକିଙ୍କ ଭଳି ଖେଳାଳି ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ପ୍ରତିଯୋଗିତା ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ର କେଡି ଯାଦବ ଇନ୍ଡୋର୍ ଷ୍ଟାଡିୟମ୍ରେ ଖେଳାଯିବ।
ଏହି ପ୍ରତିଯୋଗିତାର ପୁରୁଷ ଏକକରେ ତିନି ଜଣ, ମହିଳା ଏକକରେ ଚାରିଜଣ, ଦୁଇଟି ପୁରୁଷ ଯୁଗଳ ଯୋଡ଼ି ଏବଂ ୮ଟି ମହିଳା ଯୁଗଳ ଯୋଡ଼ି ଭାରତର ପ୍ରତିନିଧିତ୍ବ କରିବେ। ଏହାର ଗତ ଦୁଇ ସଂସ୍କରଣରେ ଭାରତର ମାତ୍ର ୧୪ଜଣ ଲେଖାଏଁ ଖେଳିଥିଲେ। ସେହିଭଳି ପୁରୁଷ ବର୍ଗର ଶ୍ରେଷ୍ଠ ୨୦ ମାନ୍ୟତାର ୧୮ ଏବଂ ମହିଳାର ଶ୍ରେଷ୍ଠ ୨୦ ମାନ୍ୟତାର ୧୪ଜଣ ଖେଳାଳି ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳିବେ ବୋଲି ଭାରତୀୟ ବ୍ୟାଡମିଣ୍ଟନ୍ ସଂଘର ସାଧାରଣ ସଂପାଦକ ସଞ୍ଜୟ ମିଶ୍ର କହିଛନ୍ତି। ଭାରତୀୟ ଦଳରେ ଥିବା ଖେଳାଳିଙ୍କ ମଧରେ ଓଡ଼ିଶାର ଋତାପର୍ଣ୍ଣା ପଣ୍ଡା ଓ ଶ୍ବେତାପର୍ଣ୍ଣା ପଣ୍ଡା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଲକ୍ଷ୍ୟ ସେନ୍, ଏଚ୍ଏସ୍ ପ୍ରଣୟ, ପ୍ରିୟଂଶୁ ରଜାୱତ୍, ପିଭି ସିନ୍ଧୁ, ମାଳବିକା ବଂଶୋଦ, ଅନୁପମା ଉପାଧ୍ୟାୟ, ଚିରାଗ ସେଟ୍ଟୀ, ସାତ୍ବିକସାଇରାଜ ରାଙ୍କିରେଡ୍ଡୀ, କେ ସାଇ ପ୍ରତୀକ, ଗାୟତ୍ରୀ ଗୋପୀଚାନ୍ଦ, ଧ୍ରୁବ କପିଳ ପ୍ରମୁଖ।