ଝୁଲିଲା ପାଣ୍ଡ୍ୟା-ରାହୁଲଙ୍କ ଭାଗ୍ୟ: ଉଚ୍ଚତମ ନ୍ୟାୟାଳୟ ଶୁଣାଣି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: ଟେଲିଭିଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ‌ଦୁଇ ଯୁବ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଭାରତୀୟ ଦଳକୁ ଫେରିବା ଆହୁରି ବିଳମ୍ବିତ ହୋଇପାରେ। ଏହି ଦୁଇ କ୍ରିକେଟରଙ୍କ ସହ ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇକୁ ନେଇ ବିଚାର ଚାଲିଥିବା ବିଭିନ୍ନ ମାମଲାର ଶୁଣାଣିକୁ ମାନ୍ୟବର ନ୍ୟାୟାଳୟ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରିଦେବା ପରେ ଏଭଳି ଆଶଙ୍କା ଦେଖାଦେଇଛି। ନୂଆ ଆମିକସ୍ କ୍ୟୁରି ନିଯୁକ୍ତି ପରେ ଯାଇ ଏସବୁ ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ମଧ୍ୟ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି। ସୂଚନାଯୋଗ୍ୟ ଯେ ଗୋପାଳ ସୁବ୍ରମଣ୍ୟମଙ୍କ ଇସ୍ତଫା ପରେ ଏହି ପଦ ଏବେ ଖାଲି ରହିଛି। ସୁବ୍ରମଣ୍ୟମଙ୍କ ଇସ୍ତଫା ପାଇଁ ହିଁ ଏସ୍ଏ ବୋବଦେ ଓ ଏଏମ୍ ସାପ୍ରେଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣିକୁ ସ୍ଥଗିତ ରଖିଥିବା ସୂଚନା ଦେଇଛନ୍ତି। ନୂଆ ଆମିକସ୍ କ୍ୟୁରି ପାଇଁ ଖଣ୍ଡପୀଠ ବରିଷ୍ଠ ଓକିଲ ପିଏସ୍ ନରସିମାଙ୍କୁ ମନ‌ୋନୀତ କରିଛନ୍ତି। ନରସିମା‌ ଏହି ପଦ ଗ୍ରହଣ କରିବା ପରେ ଯାଇ ପରବର୍ତୀ ଶୁଣାଣି ଆରମ୍ଭ ହେବ। ସେପଟେ ଉଭୟ ପାଣ୍ଡ୍ୟା ଓ ରାହୁଲ ପ୍ରଶାସନିକ ସମିତି (ସିଓଏ) କରିଥିବା ତଦନ୍ତରେ ନିଜ ଦୋଷ ସ୍ବୀକାର କରି ନେଇଥିବା ଜଣାପଡ଼ିଛି। ଖେଳାଳିମାନେ ନିଜ ବ୍ୟବହାର ପାଇଁ ଘୋର ପଶ୍ଚାତାପ କରିଛନ୍ତି। ସେମାନେ ମଧ୍ୟ ଏଥିନେଇ କ୍ଷମାପ୍ରାର୍ଥନା କରିଛନ୍ତି। ଅପରିପକ୍ବତା ଓ ଅନଭିଜ୍ଞତା ପାଇଁ ସେମାନେ ଯାହା ନ କହିବା କଥା, ତହା କହି ଦେଇଥିଲେ ବୋଲି ପାଣ୍ଡ୍ୟା ଓ ରାହୁଲ ସ୍ବୀକାର କରିଥିବା ସିଓଏର ମୁଖ୍ୟ ବିନୋଦ ରାଏ କହିଛନ୍ତି। ତେବେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ସମିତି ପରବର୍ତୀ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ମାମଲାରେ ଜଣେ ନିରପେକ୍ଷ ତଦନ୍ତକାରୀ ନିଯୁକ୍ତ କରିବାକୁ ପୂର୍ବରୁ ସିଓଏ ଉଚ୍ଚତମ ନ୍ୟାୟାଳୟଙ୍କୁ ଅନୁରୋଧ କରିସାରିଛି। ବିସିସିଆଇ ଆଇନ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ତଦନ୍ତ ରିପୋର୍ଟ ନିରପେକ୍ଷ ତଦନ୍ତକାରୀଙ୍କୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଛି। ସଂପୃକ୍ତ ତଦନ୍ତକାରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବା ସହ ଖେଳାଳିମାନେ ଏହାକୁ ମାନିବାକୁ ବାଧ୍ୟ ହେବେ ବ‌ୋଲି ମଧ୍ୟ ଆଇନ ବିଭାଗ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର