ବିରଳ ସଫଳତା ଦ୍ବାରରେ ବିରାଟ ବାହିନୀ, ପାଣ୍ଡ୍ୟାଙ୍କ ଉପରେ ଆଉ ୫ ବର୍ଷ ଭରସା କରିହେବ: କୋହଲି

‘ସେନା’ରେ ଶୃଙ୍ଖଳା ଜିତିବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ

ସିଡ୍‌ନି: ପାଖାପାଖି ୪ ବର୍ଷ ତଳେ ଅର୍ଥାତ୍ ୨୦୧୫-୧୬ ଗସ୍ତରେ ଅଷ୍ଟ୍ରେଲିଆକୁ ଭାରତ ତା’ ଘରୋଇ ମାଟିରେ ମୂଳପୋଛ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳିଥିବା ସେହି ଗସ୍ତର ତିନିଟି ଯାକ ଟ୍ବେଣ୍ଟି-୨୦ ଜିତି ଟିମ୍ ଇଣ୍ଡିଆ ୩-୦ରେ ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଥିଲା। ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଭାରତୀୟ କ୍ରିକେଟ୍ ଦଳର ହାତ ପାହାନ୍ତାରେ ପୁଣି ଥରେ ସେହି ସୁଯୋଗ ରହିଛି। ଚଳିତ ଗସ୍ତର ପ୍ରଥମ ଦୁଇ ମୁକାବିଲା ଜିତି ୨-୦ରେ ଆଗୁଆ ଥିବା ବିରାଟ ବାହିନୀ ମଙ୍ଗଳବାରର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଜିତିଲେ କଙ୍ଗାରୁ ସେନାକୁ ତା’ ନିଜ ଦେଶରେ ଦ୍ବିତୀୟଥର ପାଇଁ ମୂଳପୋଛ କରିବାର ଅନନ୍ୟ ସମ୍ମାନ ଲାଭ କରିବ। ଏଭଳି କରିବାରେ କୋହଲି କଂପାନି ମଧ୍ୟ ପ୍ରଥମ ଦଳ ହେବ। ପୂର୍ବରୁ ଆଷ୍ଟ୍ରେଲିଆ କେବଳ ଦୁଇ ଥର କୌଣସି ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମୂଳପୋଛ ହୋଇଛି।

୨୦୧୫-୧୬ରେ ଭାରତ ପ୍ରଥମ ଥର ପାଇଁ ଏଭଳି ସଫଳତା ପାଇଥିଲା। ସେହିଭଳି ପାକିସ୍ତାନ ମଧ୍ୟ ୟୁଏଇରେ ଖେଳାଯାଇଥିବା ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ମୂଳପୋଛ କରିଥିଲା। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କିନ୍ତୁ ତା’ ଘରେ କିମ୍ବା ବାହାରେ କୌଣସି ଦଳ ଆଜି ପର୍ଯ୍ୟନ୍ତ ଦୁଇ ଥର ମୂଳପୋଛ (ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ) କରି ନାହାନ୍ତି। ରବିବାର ରାତିରେ ଭାରତୀୟ କ୍ରିକେଟ୍ ଦଳ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ବିନା ବିଜୟୀ ହୋଇ ଶୃଙ୍ଖଳା ନିଜ ନାଁରେ କରି ନେଇଥିଲା। ଟି ନଟରାଜନ ଓ ସାର୍ଦୁଲ ଠାକୁର ଏହି ଦୁଇ ଜଣଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେଇ ନଥିଲେ। ଏଣୁ ମଙ୍ଗଳବାର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ଭାରତ ପଡ଼ିଆକୁ ଓହ୍ଲାଇବ। ଶୃଙ୍ଖଳା ମୂଳପୋଛ କରି ଭାରତ ବିଜୟର ଆତ୍ମବଳ ନେଇ ମହତ୍ବପୂର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳାକୁ ଯିବାକୁ ଚାହିବ। ଅନ୍ୟପକ୍ଷରେ ପ୍ରମୁଖ ଖେଳାଳିଙ୍କ ଆଘାତ ଜନିତ ସମସ୍ୟାକୁ ନେଇ ସଂଘର୍ଷ କରୁଥିବା ଘରୋଇ ଅଷ୍ଟ୍ରେଲିଆ ମୂଳପୋଛ ଏଡ଼ାଇବାକୁ ନିଶ୍ଚିତ ଭାବେ ଆପ୍ରାଣ ଉଦ୍ୟମ କରିବ। ଏସବୁ ଭିତରେ ନଟରାଜନ ଓ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ନିଶ୍ଚିତ ଭାବେ ଅଧିକ ରୁଚି ରହିବ।

‘ସେନା’ରେ ଶୃଙ୍ଖଳା ଜିତିବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ
ଅଷ୍ଟ୍ରେଲିଆ ବିପକ୍ଷ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେନା ଦେଶ ଅର୍ଥାତ୍ ସାଉଥ୍ ଆଫ୍ରିକା (ଏସ୍), ଇଂଲଣ୍ଡ (ଇ), ନ୍ୟୁଜିଲାଣ୍ଡ (ଏନ୍) ଏବଂ ଅଷ୍ଟ୍ରେଲିଆ (ଏ)ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବାରେ ସେ ପ୍ରଥମ ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିଥିଲା। ହେଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡରେ କୌଣସି ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବାକୁ ‌ଧୋନି ସକ୍ଷମ ହୋଇ ନଥିଲେ। ତା’ ଛଡ଼ା ଅଷ୍ଟ୍ରେଲିଆ ମାଟିରେ ତିନିଟି ଯାକ ଫର୍ମାଟ୍ ଅର୍ଥାତ୍ ଟେଷ୍ଟ୍, ଦିନିକିଆ ଏବଂ ଟ୍ବେଣ୍ଟି-୨୦ରେ ଶୃଙ୍ଖଳା (ଗୋଟିଏ ମ୍ୟାଚ୍‌ରୁ ଅଧିକ) ଜିତିବାରେ କୋହଲି ବିଶ୍ବର ପ୍ରଥମ ଓ ଏକମାତ୍ର ଅଧିନାୟକ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ ବି ଅଷ୍ଟ୍ରେଲିଆ ମାଟିରେ ତିନିଟି ଯାକ ଫର୍ମାଟରେ ଶୃଙ୍ଖଳା ଜିତିବାର ସମ୍ମାନ ଲାଭ କରିଛନ୍ତି। ତେବେ ୨୦୧୮ ମସିହା‌ରେ ସେ ଜିତିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ମାତ୍ର ଗୋଟିଏ ମ୍ୟାଚ୍‌ର ବ୍ୟାପାର ଥିଲା।

ପାଣ୍ଡ୍ୟାଙ୍କ ଉପରେ ଆଉ ୫ ବର୍ଷ ଭରସା କରିହେବ: କୋହଲି
ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ମନଖୋଲା ପ୍ରଶଂସା କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ରବିବାର ମାତ୍ର ୨୨ ବଲ୍‌ରୁ ୪୨* ରନ୍ କରି ଭାରତକୁ ମ୍ୟାଚ୍ ଏବଂ ଶୃଙ୍ଖଳା ବିଜୟ ଉପହାର ଦେଇଥିବା ପାଣ୍ଡ୍ୟାଙ୍କୁ ଦଳର ଅନ୍ୟତମ ଭରସାଯୋଗ୍ୟ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି କୋହଲି। ‘‘ତାଙ୍କ (ପାଣ୍ଡ୍ୟା) ପ୍ରତିଭା ଭଗବାନ ପ୍ରଦତ୍ତ। ଭାରତ ଓ ଆଇପିଏଲ୍‌ର ଢେର କିଛି ମ୍ୟାଚ୍ ଖେଳିବା ପରେ ତାଙ୍କ ପ୍ରତିଭା ଆହୁରି ଶାଣିତ ‌ହୋଇ ପାରିଛି। ପାଣ୍ଡ୍ୟା ହୃଦୟଙ୍ଗମ କରି ସାରିଛନ୍ତି ଯେ ଏହା ହିଁ ତାଙ୍କ ସମୟ। ଆସନ୍ତା ଚାରି-ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ଆମ ମଧ୍ୟକ୍ରମର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର୍‌ ହୋଇ ରହିପାରିବେ। ଆପଣ ସବୁବେଳେ ଜଣେ ଫିନିସର ଚାହାନ୍ତି ଏବଂ ଦିନକୁ ଦିନ ଆମ ପାଇଁ ସେ ସେହି ଫିନିସର ହୋଇ ଚାଲିଛନ୍ତି। ପାଣ୍ଡ୍ୟା ଏବେ ରନ୍ ପାଇଁ ପୂରା ଭୋକିଲା। ତାଙ୍କୁ କିନ୍ତୁ ଏହି ସ୍ଥିରତା ବଜାୟ ରଖିବାକୁ ହେବ। ମୁଁ ସବୁବେଳେ ଭାବେ ଯେ ଜଣେ କ୍ରିକେଟର୍‌କୁ ନିରନ୍ତର ଭାବେ ନିଜ ଖେଳରେ ଉନ୍ନତି ଆଣିବାକୁ ପଡ଼ିଥାଏ। ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ଏଥିଲାଗି କିଛି ସମୟ ନେଇଥିଲି। ଯାହା ଫଳରେ ସଂପ୍ରତି ‌ମୋ ପ୍ରଦର୍ଶନ ଅଲଗା ସ୍ତରରେ ପହଞ୍ଚି ପାରିଛି’’ ବୋଲି ରବିବାର ମ୍ୟାଚ୍ ପରେ ଦେଇଥିବା ସାକ୍ଷାତକାରରେ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କୋହଲି କହିଥିଲେ।

ସମ୍ବନ୍ଧିତ ଖବର