ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ବାଦ୍ଶାଙ୍କ ଗୀତର ତାଳେତାଳେ ଧୋନି ନାଚୁଥିବା ଦେଖାଯାଉଛନ୍ତି। ଏପରିକି ତାଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ ଓ କୃନାଲ ପାଣ୍ଡ୍ୟା ଏକାଠି ଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ମିଳିଥିବା ଏକ ସୂଚନା ଅନୁଯାୟୀ, ଦୁବାଇରେ ହୋଇଥିବା ଏକ ଜନ୍ମଦିନ ଉତ୍ସବରେ ଉକ୍ତ କ୍ରିକେଟର୍ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଧୋନି ଆନ୍ତର୍ଜାତିକ କ୍ରିକେଟ୍ରୁ ସନ୍ୟାସ ନେବା ପରଠୁ ତାଙ୍କୁ ଖୁବ୍ କମ୍ ବାହାରେ ଦେଖିବାକୁ ମିଳୁଛି। ନିକଟରେ କେଦାର ଯାଦବଙ୍କୁ ତାଙ୍କ ରାଞ୍ଚିସ୍ଥିତ ଫାର୍ମ ହାଉସ୍ ବୁଲାଉଥିବା ଏକ ଭିଡିଓରେ ନଜରକୁ ଆସିଥିଲେ।
ବାଂଲାଦେଶ ଗସ୍ତ ପାଇଁ ଜାଦେଜାଙ୍କ ସ୍ଥାନରେ ସୌରଭ
ମୁମ୍ବାଇ: ଏସିଆ କପ୍ ବେଳେ ଆହତ ହୋଇଥିବା ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଫିଟ୍ ହୋଇନଥିବାରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ସ୍ପିନର ସୌରଭ କୁମାର ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଏହି ଉତ୍ତରପ୍ରଦେଶ ବୋଲର ସଂପ୍ରତି ଭାରତୀୟ ଏ’ ଦଳ ସହ ବାଂଲାଦେଶରେ ଅଛନ୍ତି। ଚଳିତ ବର୍ଷ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଦଳରେ ସେ ରହିଥିଲେ। ଦିନିକିଆ ଦଳରେ ଜାଦେଜାଙ୍କ ସ୍ଥାନରେ ବାମହାତୀ ସ୍ପିନ ଅଲ୍ରାଉଣ୍ଡର ଶାହବାଜ ଅହମଦଙ୍କୁ ନିଆଯାଇଥିଲା। ୨୯ ବର୍ଷୀୟ ସୌରଭ କୁମାର ସର୍ଭିସେସ ଓ ଉତ୍ତରପ୍ରଦେଶ ପକ୍ଷରୁ ୫୨ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୪.୫୭ ହାରାହାରିରେ ୨୨୨ ୱିକେଟ୍ ନେଇଛନ୍ତି।