ପାଣ୍ଡ୍ୟା ମାଂସପେଶୀ ବିହୀନ ରସେଲ: ମଞ୍ଜରେକର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଜ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କ ମନ ଜିତି ନେଇଛନ୍ତି। ବିଶେଷ କରି ରବିବାରର କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିଥିବା ୯୧ ରନ୍‌ର ପାଳିକୁ ନେଇ ଏବେ ଚାରିଆଡ଼େ ଚର୍ଚା ଚାଲିଛି। ଆଇପିଏଲ୍‌ର ୪୭ତମ ମ୍ୟାଚ୍‌ରେ ମୁମ୍ବାଇ ପରାଜୟ ଦ୍ବାର ଦେଶରେ ଥିଲା ବେଳେ ପାଣ୍ଡ୍ୟା ପ୍ରଥମେ ୧୭ ବଲ୍‌ରୁ ଅର୍ଧଶତକ ପୂରଣ କରିଥିଲେ। ଏହା ପରେ ୩୪ ବଲ୍‌ରୁ ୯୧ ରନ‌୍‌ କରି ବିଶାଳ ବିଜୟ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ପାଇଁ ଆଶା ସୃଷ୍ଟି କରିଥିଲେ। ଦୁର୍ଭାଗ୍ୟଜନକ ଭାବେ ମାତ୍ର ୯ ରନ୍ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ମୁମ୍ବାଇ ମଧ୍ୟ ଏହି ମ୍ୟାଚ୍‌କୁ ହାରି ଯାଇଥିଲା। ଧୋନିଙ୍କ ପଦାକୁ ଅନୁସରଣ କରି ପାଣ୍ଡ୍ୟା ଖେଳିଥିବା ହେଲିକପ୍ଟର ସଟ୍‌କୁ ଦର୍ଶକ କିନ୍ତୁ ବେଶ୍ ପସନ୍ଦ କରିଥିଲେ। ପାଣ୍ଡ୍ୟାଙ୍କ ଏହି ପାଳି ପରେ ବହୁ ପୂର୍ବତନ କ୍ରିକେଟର୍‌ ତାଙ୍କୁ ମନଖୋଲା ପ୍ରଶଂସା କରିଛନ୍ତି। ପାଣ୍ଡ୍ୟାଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର କୋଲକାତା ନାଇଟ୍ ରାଇଡର୍ସର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲଙ୍କ ସହ ତୁଳନା କରିଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ ପାଣ୍ଡ୍ୟା ହେଉଛନ୍ତି ମାଂସପେଶୀ ବିହୀନ ରସେଲ। ରସେଲଙ୍କ ଭଳି ବଳିଷ୍ଠ ଶରୀର ନଥିଲେ ମଧ୍ୟ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂରେ ତାଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ମଞ୍ଜରେକର ନିଜ ଟ୍ବିଟ୍‌ରେ ଦର୍ଶାଇଛନ୍ତି। ଭାଷ୍ୟକାର ହର୍ଷ ଭୋଗଲେ କହିଛନ୍ତି ଚଳିତ ଆଇପିଏଲରେ ଅନେକ ଖେଳାଳି ବଡ଼ ବଡ଼ ସଟ୍ ଖେଳୁଛନ୍ତି। ହେଲେ ପାଣ୍ଡ୍ୟା ଏହାକୁ ଭିନ୍ନ ସ୍ତରକୁ ନେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର