ଅହମଦାବାଦ: ଧଳା ବଲ୍ କ୍ରିକେଟ୍ରେ ବ୍ୟାଟିଂ ସହ ଅଧିକ ଦାୟିତ୍ବ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି ହାର୍ଦିକ ପାଣ୍ଡ୍ୟା। ଏଥିପାଇଁ ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ‘‘ମହେନ୍ଦ୍ର ସିଂହ ଧୋନି ଭଳି ଖେଳିବା ଏବଂ ଦାୟିତ୍ବ ନିର୍ବାହ କରିବାରେ ମୋର କୌଣସି ଆପତ୍ତି ନାହିଁ। ତାଙ୍କ ଭଳି ଦାୟିତ୍ବବାନ ହେବାକୁ ଚାହିଁବି। ଏଥିପାଇଁ ମୋ ଷ୍ଟ୍ରାଇକରେଟ୍କୁ ଖସାଇବାକୁ ବି ପ୍ରସ୍ତୁତ। ନୂଆ ସୁଯୋଗ ଏବଂ ନୂଆ ଦାୟିତ୍ବକୁ ପାଳନ କରିବାକୁ ପ୍ରସ୍ତୁତ ଅଛି। ସେତେବେଳେ ଯୁବକ ଥିଲି ଏବଂ ପଡ଼ିଆର ଚତୁର୍ଦିଗକୁ ବଲ୍ ମାରୁଥିଲି। କିନ୍ତୁ ଅଚାନକ ଦାୟିତ୍ବ ବଢ଼ିଯିବାରୁ ଏସବୁ ଚାଲିଯାଇଛି।
ସ୍ବାଭାବିକ ଭାବେ ଦାୟିତ୍ବ ବଢ଼ିଥିବାରୁ ଏହାକୁ ଅଣଦେଖା କରେନି। ଆମେ ଫଳ ଚାହୁଁ। ମୁଁ ସର୍ବଦା ଛକା ମାରିବାକୁ ଭଲ ପାଏ। କିନ୍ତୁ ମୋତେ ଆଗକୁ ବଢ଼ିବାର ଅଛି। ସେଥିପାଇଁ ଭାଗୀଦାରିକୁ ଗୁରୁତ୍ବ ଦେଉଛି। ବ୍ୟକ୍ତିଗତ ନୁହେଁ ଦଳଗତ ସଫଳତାକୁ ନଜର ରଖିବାକୁ ପଡ଼ୁଛି। ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ସହ ଅଭିଜ୍ଞତା ହାତେଇବାକୁ ଚାହେଁ। ଯେତେବେଳେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଉପଯୁକ୍ତ ହେବି ମୁଁ ଫେରିବି। ବର୍ତ୍ତମାନ ମୁଁ ଧଳା ବଲ୍ କ୍ରିକେଟ୍ ଉପରେ ଧ୍ୟାନ ଦେବି, ଯାହା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଯଦି ସମୟ ଓ ଶରୀର ଠିକ୍ ରହେ ମୁଁ (ଟେଷ୍ଟ କ୍ରିକେଟ୍) ଚେଷ୍ଟା କରିବି’’ ବୋଲି ଅହମଦାବାଦରେ ଖେଳାଯାଇଥିବା ତୃତୀୟ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡକୁ ୧୬୮ ରନ୍ରେ ହରାଇବା ପରେ ପାଣ୍ଡ୍ୟା କହିଛନ୍ତି।