ପାଣ୍ଡ୍ୟା-ରାହୁଲ ବିବାଦ: ଉଚ୍ଚତମ ନ୍ୟାୟାଳୟ ନିର୍ଦେଶକୁ ଅପେକ୍ଷା କରିବ ବିସିସିଆଇ
ନୂଆଦିଲ୍ଲୀ: ହାର୍ଦିକ ପାଣ୍ଡ୍ୟା-ଲୋକେଶ ରାହୁଲ ନିଲମ୍ବନ ମାମଲା ଶନିବାର ନୂଆ ମୋଡ଼ ନେଇଛି। ମାମଲା ଉଚ୍ଚତମ ନ୍ୟାୟାଳୟରେ ଲମ୍ବି ଥିବାରୁ ନିରପେକ୍ଷ ତଦନ୍ତକାରୀ ନିଯୁକ୍ତ ନେଇ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାକୁ ବିସିସିଆଇର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା ଆଜି ରୋକ୍ଠୋକ୍ ଭାବେ ମନା କରି ଦେଇଛନ୍ତି। ଫଳରେ ଉଭୟ ଖେଳାଳି ଜାତୀୟ ଦଳକୁ ଫେରିବା ଆହୁରି ବିଳମ୍ବିତ ହେବାର ଆଶଙ୍କା ଦେଖାଦେଇଛି। ଏହା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ତୁରନ୍ତ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡାକିବାକୁ ବିସିସିଆଇର ୧୪ ଅନୁବନ୍ଧିତ ସଂଘ ଖାନ୍ନାଙ୍କୁ ଅନୁରୋଧ କରିଥିଲେ। କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ମଧ୍ୟ ତୁରନ୍ତ ଏହି ବୈଠକ ଡାକିବାକୁ ଆହ୍ବାନ କରିଥିଲେ। ହେଲେ ଖାନ୍ନା ଏଥିନେଇ ରାଜି ହୋଇନାହାନ୍ତି। ବିସିସିଆଇ ସମ୍ବିଧାନ ଅନୁସାରେ ନିରପେକ୍ଷ ତଦନ୍ତକାରୀ କେବଳ ବାର୍ଷିକ ସାଧାରଣ ବୈଠକରେ ନିଯୁକ୍ତ ହୋଇପାରିବେ। ତା’ ଛଡ଼ା ଏହି ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି। ଏଣୁ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାର ଯଥାର୍ଥତା ନାହିଁ ବୋଲି ଖାନ୍ନା ତାଙ୍କ ଉତ୍ତରରେ କହିଛନ୍ତି। ଖାନ୍ନା ମଧ୍ୟ ଏଥିନେଇ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀଙ୍କ ମତ ଲୋଡ଼ିଛନ୍ତି। ତେବେ ଦଣ୍ଡର ଅବଧି ନିର୍ଣ୍ଣୟ ନ ହେବା ପର୍ଯ୍ୟନ୍ତ ପାଣ୍ଡ୍ୟା ଓ ରାହୁଲଙ୍କୁ ଭାରତୀୟ ଦଳ ପାଇଁ ଖେଳିବାକୁ ଅନୁମତି ଦେବାକୁ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)କୁ ଖାନ୍ନା ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଏକ ଟେଲିଭଜନ୍ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ପାଣ୍ଡ୍ୟା ଓ ରାହୁଲ ଅନିର୍ଦିଷ୍ଟ କାଳ ପାଇଁ ଭାରତୀୟ ଦଳରୁ ନିଲମ୍ବିତ ହୋଇଛନ୍ତି। ମାମଲାର ତଦନ୍ତ ପାଇଁ ଜଣେ ନିରପେକ୍ଷ ତଦନ୍ତକାରୀ ନିଯୁକ୍ତ କରିବାକୁ ସିଓଏ ବି ଉଚ୍ଚତମ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି। ଉଭୟ ଖେଳାଳି ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ସାରିଥିବାରୁ ସେମାନଙ୍କୁ ସୁଧୁରିବାର ଆଉ ଏକ ସୁଯୋଗ ଦେବାକୁ ବହୁ ପୂର୍ବତନ କ୍ରିକେଟର ମଧ୍ୟ ସିଓଏକୁ ଅନୁରୋଧ କରି ସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପଦାକୁ ବାହାରିଲେ ପାଣ୍ଡ୍ୟା
ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଭାରତୀୟ ଦଳରୁ ନିଲମ୍ବିତ ହେବା ପରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ଥର ପାଇଁ ଶନିବାର ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଆଜି ସେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରେ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ନିଜ ଘରକୁ ଯିବା ଲାଗି ଅପେକ୍ଷା କରିଥିଲେ। କିଛି ପ୍ରଶଂସକ ତାଙ୍କୁ ଦେଖି ସେଲଫି ନେବାକୁ ଚେଷ୍ଟା କରିଥିଲେ। ହେଲେ ପାଣ୍ଡ୍ୟା ଏହାକୁ ଏଡ଼ାଇ ଯାଇଥିଲେ। ସେ ବହୁତ ଦୁଃଖି ଓ ଚିନ୍ତିତ ଥିବା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ଯାଇଥିଲା।