ନିଃସର୍ତ୍ତ କ୍ଷମା ମାଗିଲେ ପାଣ୍ଡ୍ୟା-ରାହୁଲ

ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାକୁ ୧୦ ଅନୁବନ୍ଧିତ ସଂଘର ଦାବି

ନୂଆଦିଲ୍ଲୀ: ଟେଲିଭିଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ମାମଲାରେ ଯୁବ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ଲୋ‌କେଶ ରାହୁଲ ମଙ୍ଗଳବାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବିସିସିଆଇର ଦ୍ବିତୀୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇ ଉଭୟ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ କ୍ଷମା ମାଗିଛନ୍ତି। କ୍ଷମା ପ୍ରାର୍ଥନା ପରେ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ବିବାଦୀୟ ପାଣ୍ଡ୍ୟା ଓ ତାଙ୍କ ଘନିଷ୍ଠ ବନ୍ଧୁ ରାହୁଲଙ୍କୁ ସେମାନଙ୍କ ଭୁଲ ସୁଧାରିବା ଲାଗି ଆଉ ଏକ ସୁଯୋଗ ଦେବାକୁ ବିସିସିଆଇ କର୍ମକର୍ତାଙ୍କୁ ଆହ୍ବାନ କରିଛନ୍ତି। ତେବେ ଏହି ଦୁଇ ଜଣଙ୍କ କ୍ଷମା ପ୍ରାର୍ଥନା ସମ୍ଭବତଃ ବିସିସିଆଇର ଅନୁବନ୍ଧିତ ରାଜ୍ୟସଂଘଗୁଡ଼ିକୁ ସନ୍ତୁଷ୍ଟ କରି ପାରିନାହିଁ। ସେଥିପାଇଁ ୧୦ଟି ଅନୁବନ୍ଧିତ ସଂଘ ମିଳିତ ଭାବେ ଏଥିନେଇ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାକୁ ଦାବି କରିଛନ୍ତି। ଏହି ସଂଘଗୁଡ଼ିକ ମାମଲାର ତଦନ୍ତ ଜଣେ ନିରପେକ୍ଷ ତଦନ୍ତକାରୀଙ୍କ ଦ୍ବାରା କରିବାକୁ ମଧ୍ୟ ଜିଦ୍ ଧରିଛନ୍ତି। ସିଓଏର ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ ମଧ୍ୟ ତଦନ୍ତ ସପକ୍ଷରେ ଥିବା ଜଣାପଡ଼ିଛି। ଇଦୁଲଜୀଙ୍କୁ ଲେଖିଥିବା ଇ-ମେଲ୍‌ରେ କିନ୍ତୁ ରାଏ ମାମଲାର ତୁରନ୍ତ ସମାଧାନ ଚାହୁଁଥିବା ସ୍ପଷ୍ଟ କରି ଦେଇଛନ୍ତି। ସେ ଲେଖିଛନ୍ତି ଯୁବ କ୍ରିକେଟରଙ୍କ ଖେଳ ଜୀବନରେ ପୂର୍ଣ୍ଣଛେଦ ଟାଣିବା ବିସିସିଆଇର କାମ ନୁ‌ହେଁ। ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ଦ୍ବାରା ତଦନ୍ତ କରିବାର ମାନେ ନୁହେଁ ଏହାକୁ ଚପାଇଦେବା। ଆମକୁ ଭାରତୀୟ କ୍ରିକେଟ୍‌ର ହିତକୁ ବିଚାରକୁ ନେବାକୁ ହେବ। ଖେଳାଳିମାନେ କରିଥିବା ବ୍ୟବହାର ନିନ୍ଦନୀୟ। ଏହାକୁ ମୁଁ ଆଦୌ ଗ୍ରହଣ କରେ ନାହିଁ। ସେମାନଙ୍କୁ ତାଗିଦ କରିବା ଆମ ଦାୟିତ୍ବ। ଭବିଷ୍ୟତରେ ଯେମିତି ସେମାନେ ଏଭଳି କାମ ନକରନ୍ତି, ସେ ବିଷୟରେ ସଚେତନ କରିବା ମଧ୍ୟ ଆମ କର୍ତ୍ତବ୍ୟ। ଗସ୍ତ ଅଧାରୁ ସ୍ବଦେଶ ଫେରାଇ ଆଣି ଆମେ ସେମାନଙ୍କୁ ଲଜିତ କରିଛେ। ହେଲେ ଇଦୁଲଜୀ ଏବେବି ନରମ ପଡ଼ିନଥିବାର ସଙ୍କେତ ଦେଇଛନ୍ତି। ଜୋହରିଙ୍କ ପରିବର୍ତେ ସିଓଏ ଏବଂ ବିସିସିଆଇ କର୍ମକର୍ତାଙ୍କ ଦ୍ବାରା ମାମଲାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଜୋହରି ମି-ଠୁ ଅଭିଯାନରେ ଫଶି ଥିବାରୁ ତାଙ୍କ ଦ୍ବାରା ତଦନ୍ତ ନକରାଇବାକୁ ରାଏଙ୍କୁ ସେ ପରାମର୍ଶ ଦେଇଛନ୍ତି। ସେପଟେ ମାମଲାର ବିଚାର ପାଇଁ ଜଣେ ଆଇନ ବିଶେଷଜ୍ଞ ନିଯୁକ୍ତ କରିବାକୁ ଉଚ୍ଚତମ ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇ ସାରିଥିବା ରାଏ ସୂଚନା ଦେଇଛନ୍ତି। ଜୋହରିଙ୍କ ରିପୋର୍ଟ ପରେ ସଂପୃକ୍ତ ଆଇନ ବିଶେଷଜ୍ଞ ଶେଷ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବା ଲାଗି ୧୦ ଅନୁବନ୍ଧିତ ସଂଘରୁ ଅନୁରୋଧ ପାଇଥିବା ବିସିସିଆଇର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା ସ୍ବୀକାର କରିଛନ୍ତି। ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ କାର୍ଯ୍ୟକାରୀ ସଭାପତି ୨୧ ଦିନର ନୋଟିସ୍ ଦେଇ ସ୍ବତନ୍ତ୍ର ସାଧାରଣ ବୈଠକ ଡାକି ପାରିବେ। ତେବେ ଜରୁରୀ ସ୍ବତନ୍ତ୍ର ସାଧାରଣ ବୈଠକ ସେ ମାତ୍ର ୧୦ ଦିନର ନୋଟିସ୍ ଦେଇ ଡାକି ପାରିବେ। ତେଣୁ ଖାନ୍ନା କ’ଣ ନିଷ୍ପତ୍ତି ନେଉଛନ୍ତି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସେହିଭଳି ଏହି ମାମଲା ସହଜରେ ଥମିବାର ଆଶା ମଧ୍ୟ କମ୍ ରହିଛି।

ସମ୍ବନ୍ଧିତ ଖବର