ଟେଷ୍ଟ୍‌ ଶୃଙ୍ଖଳାରୁ ପାଣ୍ଡ୍ୟାଙ୍କୁ ବିଶ୍ରାମ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା। ତେବେ ଶୃଙ୍ଖଳା ଆରମ୍ଭ ହେବାର ଗୋଟିଏ ସପ୍ତାହ ପୂର୍ବରୁ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବା କଥା ଭାରତୀୟ କ୍ରିକେଟ୍‌ ବୋର୍ଡ ଘୋଷଣା କରିଛି। ପାଣ୍ଡ୍ୟାଙ୍କ ଉପରେ ଅତ୍ୟଧିକ ମ୍ୟାଚ୍‌ ଖେଳିବାର ଚାପ ତାଙ୍କୁ ଆହତ ତାଲିକାକୁ ନେଇଯିବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେବା ପାଇଁ ଦଳୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ମନୋନୟନ ସମିତି ବୋର୍ଡକୁ ନିଷ୍ପତ୍ତି ଜଣାଇଦେଇଛି। ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ନଖେଳି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମିରେ ନିଜର ଶାରିରୀକ ସୁସ୍ଥତା ପାଇଁ ସମୟ ବିତାଇବେ ବୋଲି କୁହାଯାଇଛି। ୨୪ ବର୍ଷ ବୟସ୍କ ପାଣ୍ଡ୍ୟା ଗତ ଚାମ୍ପିଅନ୍‌ସ ଟ୍ରଫି ଆରମ୍ଭରୁ ଦଳରେ ନିରବଛିନ୍ନ ଭାବେ ଖେଳି ଆସୁଛନ୍ତି। ଏହି ସମୟ ମଧ୍ୟରେ ଭାରତ ଖେଳିଥିବା ୩୩ ମ୍ୟାଚ୍‌ରୁ ପାଣ୍ଡ୍ୟା ୩୦ରେ ଖେଳି ସାରିଲେଣି। କେବଳ ସେତିକି ନୁହେଁ କୌଣସି ଭାରତୀୟ ବୋଲରଙ୍କ ତୁଳନାରେ ସେ ଏହି ସମୟ ମଧ୍ୟରେ ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ (୧୪୭.୨) ଓଭର ବୋଲିଂ କରିସାରିଛନ୍ତି। ସେ ମଧ୍ୟ ନିଜକୁ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବେ ପ୍ରମାଣିତ କରି ସାରିଛନ୍ତି। ଗତ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଅର୍ଧଶତକ ଜମାଇ ପାଣ୍ଡ୍ୟା ଟେଷ୍ଟ ପଦାର୍ପଣ କରିଥିଲା ବେଳେ ପାଲିକଲ୍‌ ଟେଷ୍ଟରେ ଚୌକା/ଛକା ଭରା ଶତକ ହାସଲ କରିଥିଲେ। ବିଶେଷକରି ଦିନିକିଆରେ ତାଙ୍କର ଅବଦାନ ଯଥେଷ୍ଟ ରହିଛି। ଏପରିକି ଗତ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିକିକିଆ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାତେଇଥିଲେ। ତେଣୁ ଦଳ ପାଇଁ ଅତି ଉପଯୋଗୀ ଏପରି ଅଲ୍‌ରାଉଣ୍ଡରଙ୍କୁ ବିଶ୍ରାମ ନିହାତି ଦରକାର ବୋଲି ମନୋନୟନ ସମିତି ଅନୁଭବ କରି ବୋର୍ଡକୁ ଜଣାଇବା ପରେ ନିଷ୍ପତ୍ତି ନିଆଯାଇଛି। ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେବା ସତ୍ତ୍ୱେ ଶ୍ରୀଲଙ୍କା ବିପକ୍ଷ ଦଳରେ ଆଉ କାହାରିକୁ ନିଆଯାଇନାହିଁ।

ସମ୍ବନ୍ଧିତ ଖବର