କ୍ଷମା ମାଗିଲେ ପାଣ୍ଡ୍ୟା

ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଭର୍ତ୍ସନାର ସମ୍ମୁଖୀନ ହେବା ପରେ ପାଣ୍ଡ୍ୟାଙ୍କ ଚେତା ଫେରିଥିଲା। ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶଂସକ ତାଙ୍କୁ କଡା ସମାଲୋଚନା କରିବା ପରେ ପାଣ୍ଡ୍ୟା ଟ୍ବିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ। ସେ ଲେଖିଥିଲେ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ନେଇ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଯଦି ମୋ କଥା କାହା ମନରେ ଆଘାତ ଦେଇଥାଏ, ତାହାଲେ ସେମାନେ ମୋତେ କ୍ଷମା କରି ଦିଅନ୍ତୁ। ସତ କହିବାକୁ ଗଲେ ମୁଁ ଆବେଗରେ ବହି ଯାଇଥିଲି। କୌଣସି ପରିସ୍ଥିତିରେ କାହାର ଭାବନାକୁ କୁଠାରଘାତ କରିବା ମୋର ଲକ୍ଷ୍ୟ ନଥିଲା। ୨୫ ବର୍ଷୀୟ ପାଣ୍ଡ୍ୟା କ୍ରିକେଟ୍ ପଡ଼ିଆରେ ନିଜ ଅସ୍ଥିର ପ୍ରଦର୍ଶନ ପାଇଁ ପୂର୍ବରୁ ଅନେକ ପୂର୍ବତନ କ୍ରିକେଟରଙ୍କ ଦ୍ବାରା ସମାଲୋଚିତ ହୋଇଥିଲେ। ଏବେ ପଡ଼ିଆ ବାହାର ଆଚରଣ ପାଇଁ ନିନ୍ଦିତ ହୋଇଛନ୍ତି। ପାଣ୍ଡ୍ୟାଙ୍କ ଏଭଳି ବ୍ୟବହାର ନେଇ ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ରତ୍ନାକର ସେଟ୍ଟୀ ମଧ୍ୟ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ଏହା ଅସମ୍ମାନଜନକ, ଆଦୌ ଗ୍ରହଣୀୟ ନୁହେଁ। ଦେଶର ପ୍ରତିନିଧିତ୍ବ କରୁଥିବା ଜଣେ ଖେଳାଳି ମହିଳାଙ୍କ ପ୍ରତି ଏଭଳି ଭାବନା ରଖିବା ଦୁଃଖଦାୟକ ‌ବୋଲି ସେଟ୍ଟୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଦଳ ଐତିହାସିକ ଟେଷ୍ଟ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଉଗ୍ର ଉତ୍ସବ ପାଳନ ପାଇଁ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଅନେକ ପ୍ରଶଂସକ କଟାକ୍ଷ କରିଥିଲେ। ଜଣେ ଜମା ନଖେଳି ଏବଂ ଆଉ ଜଣେ କିଛି ନ କରି ଉତ୍ସବ ପାଳନ କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ମତ ରଖିଥିଲେ। ସିଓଏ ନୋଟିସ୍‌ର ଉତ୍ତର ନେଇ ପାଣ୍ଡ୍ୟା ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ। ହେଲେ କ୍ଷମା ମାଗି ନଥିଲେ। ମୁଁ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କିଛି କହିଥିଲି, ଯାହା ଅସମ୍ମାନଜନକ ଥିଲା। ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି ବୋଲି ସେ ତାଙ୍କ ଉତ୍ତରରେ ଲେଖିଥିଲେ।

ସମ୍ବନ୍ଧିତ ଖବର