ଦୁବାଇ : ଚଳିତ ଟି-୨୦ ବିଶ୍ବକପ୍ରେ ଜଣେ ଅଲ୍ରାଉଣ୍ଡର ଭାବେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ସ୍ଥାନ ପାଉଥିବା ହାର୍ଦିକ୍ ପାଣ୍ଡ୍ୟା ବୋଲିଂ କରୁନଥିବାରୁ ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି। ଏପରିକି ସେ ମଧ୍ୟ ବ୍ୟାଟିଂରେ ବିଫଳ ହେଉଥିବାରୁ ଦଳରେ ତାଙ୍କ ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କିନ୍ତୁ ଅଧିନାୟକ ବିରାଟ କୋହଲି ୬ ନମ୍ବର ପାଇଁ ସେ ସର୍ବୋକୃଷ୍ଟ ବୋଲି କହିଆସୁଛନ୍ତି। କିନ୍ତୁ ହାର୍ଦିକ୍ ପାଣ୍ଡ୍ୟା ବୋଲିଂ ନକରିବା ଯୋଗୁଁ ଦଳ ଅଡୁଆରେ ପଡ଼ୁଛି। ଫଳରେ ୫ ଜଣ ବୋଲରଙ୍କ ମଧ୍ୟରୁ କେହି ବି ଅସଫଳ ରହିଲେ ଦଳ କ୍ଷତିଗ୍ରସ୍ତ ହେଉଛି। ଯାହାର ପରିଣାମ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ପରାଜୟରୁ ମିଳିଥିଲା। ଭାରତୀୟ ବୋଲରମାନେ ପାକିସ୍ତାନର ଗୋଟିଏ ହେଲେ ୱିକେଟ୍ ଝଡ଼ାଇବାରେ ସମର୍ଥ ହୋଇନଥିଲେ।
ତେବେ ଚାରିଆଡୁ ସମାଲୋଚନା ହେବା ପରେ ଆସନ୍ତା ରବିବାର ଚଳିତ ବିଶ୍ବକପ୍ର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପୂର୍ବରୁ ପାଣ୍ଡ୍ୟା ବୋଲିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଢେର କିଛି ମାସ ହେବ ଆଦୌ ବୋଲିଂ କରୁ ନଥିବା ପାଣ୍ଡ୍ୟା ବୁଧବାର ବହୁ ସମୟ ପର୍ଯ୍ୟନ୍ତ ନେଟ୍ସ କରିଥିଲେ। ବ୍ୟାଟିଂ ଓ ବୋଲିଂ ବି ନେଟ୍ସରେ କରିଥିଲେ। ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ତତ୍ତ୍ବାବଧାନ ଏବଂ ମାର୍ଗଦର୍ଶକ ତଥା ଭାରତର ବିଶ୍ବକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତିରେ ପାଣ୍ଡ୍ୟା ବୋଲିଂ ପାଇଁ ପ୍ରସ୍ତୁତି ସ୍ବରୂପ ପ୍ରଥମ ପରୀକ୍ଷା ଦେଇଥିଲେ। ଆବଶ୍ୟକ ପଡ଼ିଲେ ସେ ମ୍ୟାଚ୍ରେ ପୂରା ୪ ଓଭର କୋଟା ବୋଲିଂ କରିପାରିବେ ବୋଲି ପ୍ରଥମ ପରୀକ୍ଷାରୁ ଜଣାପଡିଥିଲା। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ବୋଲିଂ କରିବାକୁ ପ୍ରସ୍ତୁତ ହେବା ପୂର୍ବରୁ ତାଙ୍କୁ ପୁଣି ଥରେ ନେଟ୍ରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ଦଳୀୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଦ୍ବିତୀୟ ପରୀକ୍ଷା ପରେ ତାଙ୍କ ଫିଟ୍ନେସ୍ ଆକଳନ କରାଯାଇ ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍ରେ ଖେଳିବେ କି ନାହିଁ ସ୍ପଷ୍ଟ କରାଯିବ। ଗୁରୁବାର ନେଟ୍ ଅଭ୍ୟାସ ବନ୍ଦ ରଖାଯାଇନଥିଲା।