ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକ୍ଙ୍କଠୁ ଅଲଗା ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଏବେ ଇଂଲଣ୍ଡର ଭାରତୀୟ ବଂଶୋଦ୍ଭବ ଗାୟିକା ଓ ଟିଭି ଷ୍ଟାର୍ ଯଶ୍ମିନ ୱାଲିଆଙ୍କ ସହ ସଂପର୍କ ଯୋଡ଼ିଥିବା ଚର୍ଚ୍ଚା ଜୋର୍ ଧରିଛି। ମୁମ୍ବାଇରେ ସୋମବାର କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ଦଳୀୟ ବସ୍ରେ ଯଶ୍ମିନ ଚଢ଼ୁଥିବାର ଦେଖିବାକୁ ମିଳିଥିଲେ। ଫଳରେ ଏହି ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଥିଲା। ଏହି ମ୍ୟାଚ୍ ବେଳେ ମଧ୍ୟ ଯଶ୍ମିନ୍ ଷ୍ଟାଡିୟମ୍ ଷ୍ଟାଣ୍ଡ୍ରେ ରହି ହାର୍ଦିକଙ୍କୁ ଉତ୍ସାହିତ କରିଥିଲେ।
ଏହାପୂର୍ବରୁ ଯଶ୍ମିନ ପ୍ରଥମ ଥର ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲେ। ଷ୍ଟାଡିୟମ୍ରେ ଯଶ୍ମିନ ଏକ ଗାରପକା ସାର୍ଟ ସହ ଆଖିରେ ଚଷମା ପିନ୍ଧି ବସିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହା ପରେ ହାର୍ଦିକଙ୍କ ସହ ତାଙ୍କ ସମ୍ପର୍କ ନେଇ ଚର୍ଚ୍ଚା ବଢ଼ିଥିଲା। ଯଶ୍ମିନ ବ୍ରିଟିସ୍ ରିଏଲିଟି ସୋ’ ‘ଦ ଓନ୍ଲି ୱେ ଇଜ୍ ଏସେକ୍ସ’ ଜରିଆରେ ପରିଚିତ ହୋଇଥିଲେ। ୨୦୧୭ର ହିଟ୍ ସଂଗୀତ ବମ୍ ଡିଗ୍ରେ ଜ୍ୟାକ୍ ନାଇଟ୍ଙ୍କ ସହ ଅଭିନୟ କରି ଭାରତରେ ପରିଚିତ ଚେହେରା ପାଲଟିଯାଇଥିଲେ। ବିଗ୍ ବସ୍ ୧୩ ଫାଇନାଲ୍ରେ ପହଞ୍ଚିଥିବା ଅସିମ ରିଆଜ୍ଙ୍କ ସହ ସେ ‘ନାଇଟ୍ସ ଆଣ୍ଡ୍ ଫାଇଟ୍ସ’ ମ୍ୟୁଜିକ୍ ଆଲବମ୍ରେ ଦେଖିବାକୁ ମିଳିଥିଲେ। ସୂଚନାଯୋଗ୍ୟ ହାର୍ଦିକ ଓ ନତାଶା ଗତ ବର୍ଷ ଜୁଲାଇ ୨୦ରେ ଅଲଗା ହୋଇଥିଲେ।