ଲଣ୍ଡନ: ଧଲା ଓ ଲାଲ୍ ବଲ୍ର ଭିନ୍ନଭିନ୍ନ ପ୍ରଶିକ୍ଷକ ନିଯୁକ୍ତ କରିବା ନୂଆ ନୁହେଁ। ଅତୀତରେ ଏକାଧିକ ଦଳ ଏହି ନୀତି ଆପଣାଇ ସାରିଛନ୍ତି। ଇଂଲଣ୍ଡ ପୃଥକ ପୃଥକ ପ୍ରଶିକ୍ଷକ ନିଯୁକ୍ତ କରି ସଫଳ ହୋଇଥିଲା ବେଳେ ପାକିସ୍ତାନ ପାଇଁ କିନ୍ତୁ ଅତୀତରେ ଏହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତ ଅବଶ୍ୟ କେବେବି ଏଭଳି ଅଲଗାଅଲଗା ପ୍ରଶିକ୍ଷକ ନିଯୁକ୍ତ କରିନି। ଏବେ କିନ୍ତୁ ଏହି ରହିତାଦେଶକୁ ବଦଳାଇବାର ସମୟ ଆସିଯାଇଛି। ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଲାଲ୍ ଓ ଧଳା ବଲ୍ ଅର୍ଥାତ୍ ଟେଷ୍ଟ୍ ଓ ସୀମିତ ଓଭର କ୍ରିକେଟ୍ (ଦିନିକିଆ, ଟ୍ବେଣ୍ଟି-୨୦) ପାଇଁ ଭିନ୍ନଭିନ୍ନ ପ୍ରଶିକ୍ଷକ ନିଯୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିବା ଉଚିତ। ଏହି ଅନୁସାରେ ଏକଦା ଭାରତୀୟ ଦଳର ସଙ୍କଟ ମୋଚକ ଭାବେ ପରିଚିତ ଥିବା ଭିଭିଏସ୍ ଲକ୍ଷ୍ମଣ ଟେଷ୍ଟ୍ ଏବଂ ଏବେକାର ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକଦିବସୀୟ ଓ ଟ୍ବେଣ୍ଟି-୨୦ର ପ୍ରଶିକ୍ଷକ ନିଯୁକ୍ତ ହେଲେ ନିଶ୍ଚିତ ଭଲ ଫଳ ମିଳିବ। ଏଭଳି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଭାରତୀୟ ବଂଶୋଦ୍ଭବ ସ୍ପିନର୍ ମଣ୍ଟି ପାନେସର।
ସେ କହିଛନ୍ତି, ମୋ ମତରେ ଅଲଗାଅଲଗା ପ୍ରଶିକ୍ଷକ ଭାରତ ପାଇଁ ଭଲ ହେବ। କାରଣ ଏବେକାର ଭାରତୀୟ ଦଳରେ ଥିବା କିଛି ବରିଷ୍ଠ ଖେଳାଳି ଗୌତମ ଗମ୍ଭୀରଙ୍କ ସହ ଖେଳିଛନ୍ତି। ଏଣୁ ତାଙ୍କଠାରୁ ଆଦେଶ ନେବାକୁ ହୁଏତ ପସନ୍ଦ କରୁ ନଥିବେ। ତାଛଡ଼ା ତିନିଟି ଯାକ ଫର୍ମାଟ୍ର ପ୍ରଶିକ୍ଷକ ଭାବେ ଗମ୍ଭୀରଙ୍କ ଉପରେ ନିଶ୍ଚିତ ଭାବେ ମାତ୍ରାଧିକ ଚାପ ଓ କାର୍ଯ୍ୟଭାର ରହୁଥିବ। ସେ ଏବେଏବେ ପ୍ରଶିକ୍ଷକ ଜୀବନ ଆରମ୍ଭ କରିଛନ୍ତି। ଏଣୁ ସବୁକିଛି ଏକାଥରକେ ପରିଚାଳନା କରିବା ତାଙ୍କ ପାଇଁ ଆଦୌ ସହଜ ହେଉ ନଥିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଗମ୍ଭୀରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଆଦୌ ଉଚ୍ଚକୋଟୀର ନୁହେଁ। ଏଣୁ ବରିଷ୍ଠ ଖେଳାଳିମାନେ ସ୍ବାଭାବିକ ଭାବେ ତାଙ୍କୁ ଆଦର୍ଶ ଭାବେ ଦେଖୁ ନଥିବେ। ଏହି କ୍ଷେତ୍ରରେ ଲକ୍ଷ୍ମଣ ଜଣେ ଯୋଗ୍ୟ ପ୍ରାର୍ଥୀ ହୋଇ ପାରନ୍ତି। କାରଣ ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି। ଲକ୍ଷ୍ମଣଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଏସବୁ ଦେଶରେ ଅପେକ୍ଷାକୃତ ଭଲ ରହିଆସିଛି।