ଚଣ୍ଡିଗଡ: ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ ଏକତରଫା ବିଜୟରୁ ତା’ର ଆଇପିଏଲ୍-୧୧ ଅଭିଯାନ ଆରମ୍ଭ କରିଛି। ରବିବାରର ପ୍ରଥମ ଲଢ଼େଇରେ ଏହି ଦଳ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଖେଳୁଥିବା ଦିଲ୍ଲୀ ଡେୟାର ଡେଭିଲ୍ସକୁ ୬ ଓ୍ଵିକେଟ୍ରେ ହରାଇ ଦେଇଛି। ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମାତ୍ର ୧୬ ବଲ୍ରୁ ୫୧ ରନ୍ ସଂଗ୍ରହ କରି ଦିଲ୍ଲୀ ପରାଜୟର ପ୍ରମୁଖ କାରଣ ପାଲଟିଛନ୍ତି। ସେ ମଧ୍ୟ ଆଜି ଆଇପିଏଲ୍ ଇତିହାସର ଦ୍ରୁତତମ ଅର୍ଧଶତକ ହାସଲ କରିଥିଲେ। ମୋହାଲିର ପଞ୍ଜାବ କ୍ରିକେଟ୍ ସଂଘ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଗମ୍ଭୀରଙ୍କ ଧୂଆଁଧାର ୫୫ ରନ୍ ସହ ଯୁବ ତାରକା ଋଷବ ପନ୍ତଙ୍କ ଦ୍ରୁତ ୨୮ ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୬ ରନ୍ କରିଥିଲା। ଏହାର ଜବାବରେ ପଞ୍ଜାବ ଧମାକାଦାର ଆରମ୍ଭ କରିଥିଲା। ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏହି ଦଳ ମାତ୍ର ୨.୫ ଓଭରରେ ୫୦ ରନ୍ ପୂରଣ କରି ନେଇଥିଲା। ତାଙ୍କ ଚିତ୍ତାକର୍ଷକ ପାଳି ଅବଶ୍ୟ ପଞ୍ଚମ ଓଭରରେ ଶେଷ ହୋଇ ଯାଇଥିଲା। ହେଲେ ସେତେବେଳକୁ ରନ୍ ହାର ଯଥେଷ୍ଟ କମି ଯାଇଥିବାରୁ କରୁଣ ନାୟର (୫୦ ରନ୍, ୩୩ ବଲ୍, ୫ ଚୌକା, ୨ ଛକା)ଙ୍କ ଅର୍ଧଶତକ ବଳରେ ପଞ୍ଜାବ ୭ ବଲ୍ ପୂର୍ବରୁ ୧୬୭ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଡେଭିଡ୍ ମିଲର ୨୪ ଏବଂ ମାର୍କସ ଷ୍ଟୋଇନିସ୍ ୨୨ ରନ୍ରେ ଅପରାଜିତ ରହିଥିଲେ। ରାହୁଲଙ୍କୁ ତାଙ୍କ ଧମାକାଦାର ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ ଡେୟାର ଡେଭିଲ୍ସ ୨୦ ଓଭରରେ ୧୬୬/୭ ( ଗୌତମ ଗମ୍ଭୀର ୫୫, ଋଷବ ପନ୍ତ ୨୮, କ୍ରିସ୍ ମୋରିସ୍ ୨୭*, ମୋହିତ ଶର୍ମା ୨/୩୩, ମୁଜିବୁର ରେହମାନ ୨/୨୮)। କିଙ୍ଗ୍ସ ଏକାଦଶ ପଞ୍ଜାବ ୧୮.୫ ଓଭରରେ ୧୬୭/୪ (ଲୋକେଶ ରାହୁଲ ୫୧, କରୁଣ ନାୟର ୫୦, ଡେଭିଡ୍ ମିଲର ୨୪*, ମାର୍କସ ଷ୍ଟୋଇନିସ୍ ୨୨*, ଡାନ୍ କ୍ରିଷ୍ଟିଆନ୍ ୧/୧୨, ରାହୁଲ ତିଓ୍ଵାତିଆ ୧/୨୪, କ୍ରିସ୍ ମୋରିସ୍ ୧/୨୫)।
ଦ୍ରୁତତମ ଆଇପିଏଲ୍ ଅର୍ଧଶତକ
କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ରବିବାର ଆଇପିଏଲ୍ ଇତିହାସର ଦ୍ରୁତତମ ଅର୍ଧଶତକ ଅର୍ଜନ କରିଥିଲେ। ପାଳି ଆରମ୍ଭ କରି ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରଥମ ବଲ୍ରୁ ସେ କୌଣସି ରନ୍ କରି ପାରି ନଥିଲେ। ହେଲେ ଏହା ପରେ ଯେମିତି ତାଙ୍କ ଲାଖ ଫିଟି ଯାଇଥିଲା। ଏହି ଓଭରର ଶେଷ ତିନିଟି ବଲ୍ରୁ ସେ ଦୁଇଟି ଚୌକା ସହ ଗୋଟିଏ ଛକା ମାରିଥିଲେ। ସେହିଭଳି ମହମ୍ମଦ ସାମିଙ୍କ ଦ୍ୱିତୀୟ ଓଭରରେ ଗୋଟିଏ ଲେଖାଏଁ ଛକା ଚୌକା ଅମଳ କରିଥିଲେ। ତେବେ ତୃତୀୟ ଓଭର ବୋଲିଂ କରିଥିବା ଅମିତ ମିଶ୍ରାଙ୍କ ପ୍ରଥମ ପାଞ୍ଚ ବଲ୍ରୁ ୪,୬,୬,୪,୪ ସଂଗ୍ରହ କରି ମାତ୍ର ୧୪ ବଲ୍ରୁ ନିଜ ଅର୍ଧଶତକ ପୂରଣ କରିଥିଲେ। ଯାହା ଆଇପିଏଲ୍ ଇତିହାସର ଦ୍ରୁତତମ ଅର୍ଧଶତକ ଥିଲା। ଏହି କ୍ରମରେ ସେ ୟୁସୁଫ ପଠାନ ଓ ସୁନୀଲ ନରିନଙ୍କୁ ଅତିକ୍ରମ କରିଥିଲେ। ପଠାନ ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏବଂ ନରିନ ଗତବର୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୧୫ ଲେଖାଏଁ ବଲ୍ରୁ ଅର୍ଧଶତକ ହାସଲ କରିଥିଲେ। ସୁରେଶ ରାଇନା ଏବଂ ଆଦାମ ଗିଲକ୍ରିଷ୍ଟ ୧୬ଟି ଲେଖାଏଁ ବଲ୍ରୁ ଅର୍ଧଶତକ ହାସଲ କରିବାର କୀର୍ତ୍ତିମାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/rahul.jpg)