ଭୁବନେଶ୍ବର : ରାଜ୍ୟର ଖ୍ୟାତି ସମ୍ପନ୍ନ ସାଇକ୍ଲିଷ୍ଟ୍‌ ସ୍ବସ୍ତି ସିଂହଙ୍କୁ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରିଛନ୍ତି କିଂବଦନ୍ତି କ୍ୟୁଇ‌ଷ୍ଟ୍‌ ପଙ୍କଜ ଆଡଭାନି। ଶୁକ୍ରବାର ଭୁବନେଶ୍ବରର ଏକ ତାରକା ହୋଟେଲ୍‌ରେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ଉତ୍ସବରେ ସ୍ବସ୍ତିଙ୍କୁ ୫ ଲକ୍ଷ ଟଙ୍କା ଓ ଫଳକ ପ୍ରଦାନ ପୂର୍ବକ ଏହି ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଏଥି ସହିତ ରାଉରକେଲା ଝିଅ ସ୍ବସ୍ତି ସିଂହ ମଧ୍ୟ ୩୦ତମ ସଂସ୍କରଣ ଏକଲବ୍ୟ ସମ୍ମାନର ଅଧିକାରିଣୀ ହୋଇଛନ୍ତି। ଏହି ଅବସରରେ ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ଯୁବ ଖେଳାଳି ପ୍ୟାରି ଖାଖା ଏବଂ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ଉପବିଜେତା ସମ୍ମାନ ସହିତ ୨୫,୦୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ଶିବିରରେ ଥିବାରୁ ଶିଳାନନ୍ଦଙ୍କ ବଦଳରେ ତାଙ୍କ ଭାଇ ଏହା ଗ୍ରହଣ କରିଥିଲେ। ଆବାହକ କିଶୋର କୁମାର ମହାନ୍ତିଙ୍କ ସ୍ବାଗତ ଭାଷଣ ପରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୫ ଥର ବିଶ୍ବ ବିଜେତା ପଙ୍କଜ ଆଡଭାନିଙ୍କ ସହିତ ଓଡ଼ିଶାର ପ୍ରଥମ ଏସିଆଡ୍ ପଦକ ବିଜୟିନୀ ପ୍ରଣତି ମିଶ୍ର ଅତିଥି ଭାବେ ଯୋଗ ‌ଦେଇଥିଲେ।

Advertisment

ପୁରସ୍କାର ପ୍ରଣେତା ତଥା ଅୟୋଜକ ଇମ୍ପାକ୍ଟର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ଏହି ଅବସରରେ ରାଜ୍ୟର ଏହି ସର୍ବପୁରାତନ ପ୍ରତିଯୋଗିତାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥ‌ିଲେ। ଏକଲବ୍ୟ ପୁରସ୍କାର ପାଇବା ପରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କ ପାଇଁ ଇମ୍ପାକ୍ଟ ସର୍ବଦା ଗର୍ବିତ ବୋଲି ମଧ୍ୟ ସେ ବକ୍ତବ୍ୟ ରଖିଥିଲେ। ସୂଚନାଯୋଗ୍ୟ, ୧୯୯୩ ମସିହାରୁ ଇମ୍ଫା ଦ୍ବାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ନିଂରତର ଭାବେ ରାଜ୍ୟର ଉଦୀୟମାନ (୨୫ ବର୍ଷରୁ କମ୍‌) ଖେଳାଳିଙ୍କୁ ପ୍ରଦାନ କରାଯାଇଆସୁଛି।

ପ୍ରଥମ ଥର ଓଡ଼ିଶା ଆସି ଏକ ଖେଳ କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ଆଡଭାନି ନିଜକୁ ଧନ୍ୟ ମଣିଥିଲେ। ଇମ୍ପାକ୍ଟ ନିଶ୍ଚିତ ଇମ୍ପାକ୍ଟ ଛାଡ଼ୁଛି ବୋଲି ମତ ଦେଇ ଆଡଭାନି କହିଥ‌ିଲେ, ୩୦ରୁ ଊର୍ଧ୍ବ ବିଶ୍ବକପ୍‌ ସଫଳତା ‌ଦେଇଥିବା ଏକ ‌ଖେଳ (ସ୍ନୁକର ଓ ବିଲିୟାର୍ଡସ) ସହ ଜଡ଼ିତ ଥିବାରୁ ମୁଁ ଗର୍ବିତ। ଖେଳରୁ ପ୍ରତି ଖେଳାଳି ଅନେକ କିଛି ଶିଖିଥାଏ। ଅଧିକରୁ ଅଧିକ ସଫଳତା ପାଇଁ ମଧ୍ୟ‌ ପ୍ରେରଣା ‌ଦେଇଥାଏ। ଖେଳ ଆମ ପାଇଁ ଏଫ୍‌ଆଇଆର୍‌ (ଫେୟାର-ସ୍ବଚ୍ଛତା, ଇଣ୍ଟିଗ୍ରିଟି-ଅଖଣ୍ଡତା, ରେସ୍ପେକ୍ଟ-ସମ୍ମାନ) ଭଳି ଯାହା ଭିନ୍ନ କାହାଣୀ କହିଥାଏ। ହକି ବିଶ୍ବକପ୍‌ ଭଳି ଓଡ଼ିଶା ଅନ୍ୟ ବିବିଧ ଖେଳର ବିଶ୍ବକପ୍‌ ଆୟୋଜନ କରୁ ବୋଲି ମଧ୍ୟ ଆଡଭାନି ଆଶା ପ୍ରକଟ କରିଥିଲେ।

ସ୍ବସ୍ତି ସିଂହ: ଏକଲବ୍ୟ ପୁରସ୍କାର ଜିତିବା ସବୁ ଖେଳାଳିଙ୍କ ପାଇଁ ସ୍ବପ୍ନର ସମ୍ମାନ। ଏହି ମର୍ଯ୍ୟାଦାଜନକ ପୁରସ୍କାର ଜିତିବା ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ ଓ ପ୍ରେରିତ କରିଥାଏ। ମୋ ସଫଳତାର ଶ୍ରେୟ ନିଶ୍ଚିତ ଭାବେ ପ୍ରଶିକ୍ଷକ ଡିଏନ୍ ସିଂହ, ସୁଶୀଲ କୁମାର, ପରିବାରର ସମର୍ଥନ, କ୍ରୀଡ଼ା ବିଭାଗ ସଚିବ ଭିନିଲ କ୍ରିଷ୍ଣାଙ୍କ ନିକଟକୁ ଯିବ।

ପ୍ୟାରି ଖାଖା: ବହୁତ ଖୁସି ଲାଗୁଛି ଏହି ପୁରସ୍କାର ଜିତିଥିବାରୁ। ଆହୁରି ଭଲ ଖେଳିବାକୁ ମଧ୍ୟ ପ୍ରୟାସ କରିବି। ରାଉରକେଲା ଭଳି ସ୍ଥାନରେ ପିଲାଦିନେ ଝିଅପିଲାଙ୍କୁ ଖେଳିବାକୁ ଦିଆଯାଏନାହିଁ। ମୋତେ କିନ୍ତୁ ମୋ ପରିବାର ଭଲ ସମର୍ଥନ କରିଥିବାରୁ ମୁଁ ଏତେବାଟ ଆସିପାରିଛି।

ଶିଳାନନ୍ଦ ଲାକ୍ରା: ସବୁ ଖେଳାଳିଙ୍କ ପ୍ରଥମ ସ୍ବପ୍ନ ଥାଏ ଏକଲବ୍ୟ ପୁରସ୍କାର ଜିତିବା। ମୁଁ ସ୍ବସ୍ତି ସିଂହ ଓ ପ୍ୟାରି ଖାଖାଙ୍କୁ ଅଭିନନ୍ଦନ ଜଣାଉଛି। ମୋତେ ଉପ ବିଜେତା ସମ୍ମାନ ମିଳିଥିବାରୁ ମଧ୍ୟ ଗୌରବାନ୍ବିତ। ଏହା ମୋତେ ଆଗକୁ ଭଲ ଖେଳିବାକୁ ମଧ୍ୟ ପ୍ରେରଣା ଯୋଗାଇବ।