ଭାରତୀୟ ଦୃଷ୍ଟିହୀନ ଦଳରେ ପଙ୍କଜ,ନକୁଳ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍‌ ଶୃଙ୍ଖଳା ଲାଗି ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଦୁଇ ଜଣ ଖେଳାଳି ପଙ୍କଜ ଭୂଏ ଏବଂ ନକୁଳ ବଡ଼ନାୟକ ସ୍ଥାନ ପାଇଛନ୍ତି। ନକୁଳ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ପଙ୍କଜ ପୂର୍ବରୁ ବହୁ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରି ସାରିଛନ୍ତି। ଜାତୀୟ ଦଳକୁ ଡାକରା ପାଇବା ପରେ ନକୁଳ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଖେଳାଳି ହୋଇଛନ୍ତି। ଏହି ଶୃଙ୍ଖଳାରେ ଇଂଲଣ୍ଡ ତିନିଟି ଟେ୍ଵଣ୍ଟି-୨୦ ଖେଳିବ। ଏହି ସଫଳତା ଲାଭି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ମହମ୍ମ ଜାଫର ଇକବାଲ, ଉପସଭାପତି ଅଶୋକ କୁମାର ସାହୁ, ସନ୍ୟାସ କୁମାର ବେହେରା, ବିରଞ୍ଚି ନାରାୟଣ ସାହୁ, ପ୍ରଜ୍ଞା ପାରମିତା ବେହେରା, ପ୍ରକାଶ ରଥ, ଅର୍ପିତା ମହାପାତ୍ର, ସତ୍ୟ ରଞ୍ଜନ ଶତପଥୀ ପ୍ରମୁଖ ସୁଖରାମ ଏବଂ ନବାଗତ ନକୁଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନକୁଳ ଏବଂ ପଙ୍କଜଙ୍କ ଛଡ଼ା ଜାଫର ଇକବାଲ, ସୁଖରାମ ମାଝୀ ଓ ଲିଙ୍ଗରାଜ ରାଉତରା ଭାରତୀୟ ଦୃଷ୍ଟିହୀନ ଦଳର ପ୍ରତିନିଧିତ୍ୱ କରି ସାରିଛନ୍ତି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଟିଟଲପୁଟ ଗାଁର ବିଭିଷଣ ବଡ଼ନାୟକ ଏବଂ ଜାନକୀ ବଡ଼ନାୟକଙ୍କ ପୁଅ ନକୁଳ ସଂପ୍ରତି କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ପ୍ରତିଯୋଗିତା ଲାଗି ବୁଧବାର ସେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି। ନିଜ ସଫଳତାର ଶ୍ରେୟ ସେ ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ଏବଂ ପୂର୍ବରୁ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ସାରିଥିବା ଚାରି ଓଡ଼ିଆଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର