ପଙ୍କଜ ଓ ସୁଖରାମଙ୍କ ଅର୍ଧଶତକ: ନାଗେଶ ଟ୍ରଫି ସେମିରେ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶା ସମ୍ମାନଜନକ ନାଗେଶ ଟ୍ରଫି ଟ୍ବେଣ୍ଟି-୨୦ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ନିମପୁର କ୍ରିକେଟ୍ ପଡ଼ିଆରେ ଆୟୋଜିତ ପ୍ରଥମ କ୍ବାର୍ଟର ଫାଇନାଲରେ ହରିଆଣାକୁ ୮ ୱିକେଟ୍‌ରେ ହରାଇ ରାଜ୍ୟ ଦଳ ଏହି ସଫଳତା ଲାଭ କରିଛି। ଆଜି ହରିଆଣା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ଭୂପୀନ୍ଦର ୨୧ ଓ ପ୍ରବୀଣ ୨୨ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ପଙ୍କଜ ଭୂଏ ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍ ନେଇଥିଲା ବେଳେ ନକୁଳ ବଡ଼ନାୟକ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ନିଜର ଦୁଇ ରଥୀ ପଙ୍କଜ ଭୂଏ (୭୦*) ଓ ସୁଖରାମ ମାଝୀ (୫୨*)ଙ୍କ ଅର୍ଧଶତକ ବଳରେ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ପଙ୍କଜ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଓଡ଼ିଶା ସେମିଫାଇନାଲରେ ଦିଲ୍ଲୀ ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ୟଏକ କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ର ବିଜେତାକୁ ଭେଟିବ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ (କ୍ୟାବି)ର ସାଧାରଣ ସଂପାଦକ ଜନ୍ ଡେଭିଡ୍ ଓ ବ୍ରମାସା‌ର ଉପସଭାପତି ପ୍ରଦୀପ୍ତ ରଥ ମିଳିତ ଭାବେ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର