କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାରେ ପଙ୍କଜ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ। ପଙ୍କଜ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କ ପ୍ରାର୍ଥିପତ୍ରକୁ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍. ମଜୁମ୍‌ଦାରଙ୍କ ପାଖରେ ଦାଖଲ ହୋଇଥିବା ସୂଚନା ମିଳିଛି। ଯାଞ୍ଚ ପରେ ଆସନ୍ତା ୧୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଯଦି ଓସିଏ ସଭାପତି ପଦ ପାଇଁ ଆଉ ‌‌କେହି ନାମାଙ୍କନପତ୍ର ଦାଖଲ ନ କରିନ୍ତି ଏବଂ ପଙ୍କଜଙ୍କ ପ୍ରାର୍ଥିପତ୍ର ନାକଚ ନ ହୁଏ, ତେବେ ପଙ୍କଜ  ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ପଙ୍କଜ ଏବେ ଓସିଏ ଉପସଭାପତି ଥିବାବେଳେ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ସେ ସଭାପତି ନିର୍ବାଚିତ ହେବା ପରେ ଓସିଏ ଉପସଭାପତି ପଦ ପୁଣି ଖାଲି ହୋଇଯିବ। ଏଥି ପାଇଁ ଆଗାମୀ ଦିନରେ ଆଉ ଏକ ନିର୍ବାଚନ ହେବା ସମ୍ଭାବନା ରହିଛି। 

Advertisment

ସୂଚନା‌ଯୋଗ୍ୟ, ୨୦୨୪ ଡିସେମ୍ବର ୨୯ରେ ଓସିଏର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସଭାପତି ଥିବା ପ୍ରଣବ ପ୍ରକାଶ ଦାସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଓସିଏ ଅଧିନିୟମ ଅନୁସାରେ କୌଣସି ପ୍ରାର୍ଥୀଙ୍କ ଇସ୍ତଫାର ୪୫ଦିନ ମଧ୍ୟରେ ସଂପୃକ୍ତ ପଦ ପାଇଁ ନିର୍ବାଚନ କରାଯାଇ ତାହାକୁ ପୂରଣ କରାଯିବ। ଏହି ଆଧାରରେ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ସଭାପତି ପଦ ପୂରଣ ହେବା କଥା। କିନ୍ତୁ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଥିବାରୁ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯାଇ ଆସନ୍ତା ୨୩କୁ ସଭାପତି ନିର୍ବାଚନ କରାଯିବାକୁ ସ୍ଥିର ହୋଇଛି।