ନୂଆଦିଲ୍ଲୀ : ପୂର୍ବତନ ଅଷ୍ଟ୍ରେଲିଆ ବୋଲର ବ୍ରାଡ ହଗ୍ ୨୦୨୧ ଆଇପିଏଲ୍ ଲାଗି ନିଜର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି। ଏଥିରେ ସେ ନେତୃତ୍ବ ଭାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଅଧିନାୟକ ଋଷଭ ପନ୍ତଙ୍କୁ ଦେଇଛନ୍ତି। ‘ଡିସି’ର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଓ ଶିଖର ଧାୱନଙ୍କୁ ସେ ଓପନର୍ ଭାବେ ଦଳରେ ରଖିଛନ୍ତି। ଚଳିତ ବର୍ଷ ଆଇପିଏଲ୍ରେ ଶିଖର ୩୮୦ ଏବଂ ସ’ ୩୦୮ ରନ୍ କରିଥିଲେ। ଶିଖର ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରେ ଶୀର୍ଷରେ ଥିଲା ବେଳେ ସ’ ଚତୁର୍ଥରେ ରହିଥିଲେ। ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନଙ୍କୁ ତୃତୀୟ, ପନ୍ତଙ୍କୁ ଚତୁର୍ଥ ସ୍ଥାନରେ ଖେଳାଇବାକୁ ଚିନ୍ତା କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିନିସର ଏବି ଡି’ଭିଲିୟର୍ସଙ୍କୁ ପଞ୍ଚମ ସ୍ଥାନ ପାଇଁ ରଖିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ସାମ କରନ୍ଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦର ରସିଦ ଖାନ୍ ଓ ମୁମ୍ବାଇ ଇଣ୍ଡିଆନ୍ସର ରାହୁଲ ଚହରଙ୍କୁ ସ୍ପିନର ଭାବେ ଦଳରେ ରଖିଛନ୍ତି। ‘ଡିସି’ର ଅଭେସ ଖାନ୍ ଓ ମୁମ୍ବାଇର ଯଶପ୍ରୀତ ବୁମ୍ରା ଦଳର ପେସ୍ ବାହିନୀ ସମ୍ଭାଳିବେ।
ବ୍ରାଡ ହଗ୍ଙ୍କ ଦଳ: ପୃଥ୍ବୀ ସ’, ଶିଖର ଧାୱନ, ସଞ୍ଜୁ ସାମ୍ସନ୍, ଋଷବ ପନ୍ତ (ୱିକେଟ୍ରକ୍ଷକ, ଅଧିନାୟକ), ଏବି ଡି’ଭିଲିୟର୍ସ, ରବୀନ୍ଦ୍ର ଜାଦେଜା, ସାମ କରନ, ରସିଦ ଖାନ୍, ରହୁଲ ଚହର, ଆଭେଶ ଖାନ, ଯଶପ୍ରୀତ ବୁମ୍ରା।
ଆକାଶଙ୍କ ଏକାଦଶରେ କୋହଲି, ଧୋନି, ରୋହିତ ନାହାନ୍ତି
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୧ରେ ଖେଳାଯାଇଥିବା ୨୯ ମ୍ୟାଚ୍ର ପ୍ରଦର୍ଶନକୁ ଆଖି ଆଗରେ ରଖି ପୂର୍ବତନ ଭାରତୀୟ କ୍ରିକେଟର ତଥା ପ୍ରତିଷ୍ଠିତ ଭାଷ୍ୟକାର ଆକାଶ ଚୋପ୍ରା ଏବର୍ଷର ଶ୍ରେଷ୍ଠ ଆଇପିଏଲ୍ ଏକାଦଶ ପ୍ରସ୍ତୁତ କରିଛନ୍ତି। ସେଥିରେ କିନ୍ତୁ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ନାମୀଦାମୀ ଖେଳାଳି ନାହାନ୍ତି। ଚୋପ୍ରାଙ୍କ ଏହି ଦଳରେ ୭ ଜଣ ଭାରତୀୟ ଥିଲା ବେଳେ ମାତ୍ର ୪ ଜଣ ବିଦେଶୀ ଖେଳାଳି ଅଛନ୍ତି। ମଜାଦାର କଥା ହେଲା ତାଙ୍କ ଦଳରେ ଅଭେସ ଖାନ୍ ଓ ହର୍ଷଲ ପଟେଲଙ୍କ ଭଳି ଘରୋଇ ବୋଲର ସ୍ଥାନ ପାଇଛନ୍ତି। ନିଜ ଦଳର ପ୍ରାରମ୍ଭିକ ଯୋଡ଼ି ଭାବେ କେଏଲ୍ ରାହୁଲ ଓ ଶିଖର ଧାୱନଙ୍କୁ ରଖିଛନ୍ତି ଆକାଶ। ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ ପ୍ଲେସିସ୍ଙ୍କୁ ଆକାଶ ତୃତୀୟ ସ୍ଥାନ ପାଇଁ ବାଛିଥିଲା ବେଳେ ଅଷ୍ଟ୍ରେଲୀୟ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ଚତୁର୍ଥ, ଏବି ଡି’ଭିଲିୟର୍ସଙ୍କୁ ପଞ୍ଚମ ସ୍ଥାନ ପାଇଁ ବାଛିଛନ୍ତି। ରବୀନ୍ଦ୍ର ଜାଦେଜା ଓ କ୍ରିସ୍ ମୋରିସ୍ଙ୍କ ରୂପରେ ଦୁଇ ଜଣ ଅଲରାଉଣ୍ଡର ଚୋପ୍ରାଙ୍କ ଦଳରେ ଥିଲା ବେଳେ ଋଷବ ପନ୍ତ ଆଶାଜନକ ଭାବେ ୱିକେଟ୍ ରକ୍ଷକ ପଦ ପାଇଛନ୍ତି। ଦଳର ଏକମାତ୍ର ସ୍ପିନର ଭାବେ ରାହୁଲ ଚହରଙ୍କୁ ବାଛିଛନ୍ତି ସେ।
ଦଳ: କେଏଲ୍ ରାହୁଲ, ଶିଖର ଧାୱନ, ଫାଫ୍ ଡୁ’ପ୍ଲେସିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ଋଷଭ ପନ୍ତ, ରବୀନ୍ଦ୍ର ଜାଦେଜା, କ୍ରିସ୍ ମୋରିସ୍, ରାହୁଲ ଚହର, ଅଭେସ ଖାନ୍, ହର୍ଷଲ ପଟେଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Rishabh-Pant-4.jpg)