ପନ୍ତ୍‌ ଦିଲ୍ଲୀର ଅଗ୍ରଣୀ ରନ୍‌ ସ୍କୋରର୍‌; ସେହବାଗ୍‌ଙ୍କୁ ଟପିଲେ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ୍‌ ଆଇପିଏଲ୍‌ରେ ଦଳର ଅଗ୍ରଣୀ ରନ୍‌ ସ୍କୋରର୍‌ ହୋଇଛନ୍ତି। ଏକ୍ଷେତ୍ରରେ ସେ ପୂର୍ବତନ ବିସ୍ଫୋରକ ଓପ୍‌ନର ବୀରେନ୍ଦ୍ର ସେହବାଗ୍‌ଙ୍କୁ ଟପି ଯାଇଛନ୍ତି। ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସାର୍‌ଜା ଷ୍ଟାଡିୟମ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ୩୬ ବଲ୍‌ରୁ ୩୯ ରନ୍‌ର ପାଳି ଖେଳିଥିବା ପନ୍ତ୍‌ ୩୧ ରନ୍‌ କରିଥିଲା ବେଳେ ସେହବାଗ୍‌ଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିଯାଇଥିଲେ। ସେହବାଗ୍‌ ଦିଲ୍ଲୀ ପାଇଁ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଆଇପିଏଲ୍‌ରେ ୮୫ ପାଳି ଖେଳି ନିଜ ନାମରେ ୨୩୮୨ ରନ୍‌ ରଖିଥିଲେ। ଯାହାକି ଆଜିପର୍ଯ୍ୟନ୍ତ ଅଗ୍ରଣୀ ରନ୍‌ ସ୍କୋରର୍‌ କୀର୍ତ୍ତିମାନ ଭାବେ ଅତୁଟ ରହିଥିଲା।

ସେହବାଗ୍‌ଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ୧୧୯ ରହିଥିଲା ବେଳେ ୧ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ ଥିଲା। ସେ ୨୯୨ ଚୌକା ଓ ୮୯ ଛକା ମାରିଥିଲେ। ତେବେ ପନ୍ତ୍‌ ୭୯* ପାଳିରୁ ୨୩୯୦ ରନ୍‌ କରି ସର୍ବାଧିକ ସ୍କୋରର୍‌ ହୋଇଯ‌ାଇଛନ୍ତି। ପନ୍ତ୍‌ଙ୍କ ସର୍ବାଧିକ ସ୍କୋର୍‌ ୧୨୮* ରହିଥିଲା ବେଳେ ଗୋଟିଏ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ ଅଛି। ପନ୍ତ୍‌ ଏପର୍ଯ୍ୟନ୍ତ ୨୧୬ ଚୌକା ଓ ୧୦୯ ଛକା ମାରିଛନ୍ତି। ଏହି ଦୁଇଜଣଙ୍କ ପଛକୁ ଶ୍ରେୟସ ଆୟର (୨୨୯୧, ୮୨* ପାଳି), ଶିଖର ଧାୱନ୍‌ (୧୯୩୩, ୫୮ ପାଳି), ଡେଭିଡ୍‌ ୱର୍ଣ୍ଣର (୧୪୫୬, ୫୭ ପାଳି), ଗୌତମ ଗମ୍ଭୀର (୧୨୦୦, ୪୮ ପାଳି) ଏବଂ ପୃଥ୍ବୀ ସ’ (୧୧୫୫, ୪୮ ପାଳି) ଯଥାକ୍ରମେ ତୃତୀୟରୁ ସପ୍ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର