ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ୩୬ବର୍ଷ ବ୍ୟବଧାନ ପରେ ନ୍ୟୁଜିଲାଣ୍ଡଠାରୁ ଏକ ଘରୋଇ ଟେଷ୍ଟ୍ ମ୍ୟାଚ୍ ହାରିବାର ଅପଯଶ ମୁଣ୍ଡାଇଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ପୁଣେରେ ଆରମ୍ଭ ହେବାକୁ ଯାଉଥିବା ଦ୍ବିତୀୟ ଟେଷ୍ଟ୍ରେ କଠିନ ପରୀକ୍ଷାର ସମ୍ମୁଖୀନ ହେବ। ଏହା ପୂର୍ବରୁ କିନ୍ତୁ ରୋହିତ ବାହିନୀକୁ ମିଳିଛି ଦୁଇଟି ମନୋବଳବର୍ଦ୍ଧକ ଖବର। ଆଣ୍ଠୁରେ ବଲ୍ ବାଜିବା ପରେ ବେଙ୍ଗାଲୁରୁ ଟେଷ୍ଟ୍ର ଅଧିକାଂଶ ସମୟରେ ୱିକେଟ୍ ରକ୍ଷଣ କରି ପାରି ନଥିବା ଋଷଭ ପନ୍ତ ଫିଟ୍ ଘୋଷିତ ହୋଇଛନ୍ତି। ମଙ୍ଗଳବାର ସେ ଢେର ସମୟ ୱିକେଟ୍ ରକ୍ଷଣ ଅଭ୍ୟାସ କରି ଏହାର ପ୍ରମାଣ ଦେଇଛନ୍ତି। ପନ୍ତ ମଧ୍ୟ ନେଟ୍ସରେ ପାଖାପାଖି ଦୁଇ ଘଣ୍ଟା କାଳ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି। ସେହିଭଳି ଆଘାତପ୍ରାପ୍ତ ହୋଇ ବେଙ୍ଗାଲୁରୁରେ ଖେଳି ପାରି ନଥିବା ଓପନର ଶୁବମନ୍ ଗିଲ୍ ଶତପ୍ରତିଶତ ଫିଟନେସ୍ ଫେରି ପାଇଥିବା ଜଣାପଡ଼ିଛି। ସେ ଫେରିଲେ କେଏଲ୍ ରାହୁଲ କିମ୍ବା ସର୍ଫରାଜ ଖାନଙ୍କ ଭିତରୁ ଜଣେ ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିବେ। ରାହୁଲ ଉଭୟ ପାଳିରେ ବିଫଳ ହେବା ମଧ୍ୟ ସର୍ଫରାଜ ଦ୍ବିତୀୟ ପାଳିରେ ଲଢ଼ୁଆ ବ୍ୟାଟିଂ କରିବା କିନ୍ତୁ ଚୟନକର୍ତ୍ତାଙ୍କୁ ଦ୍ବନ୍ଦ୍ବରେ ପକାଇବ। ସେହିଭଳି ଶେଷ ଦୁଇ ଟେଷ୍ଟ୍ ଲାଗି ଚତୁର୍ଥ ସ୍ପିନ୍ ବୋଲିଂ ବିକଳ୍ପ ଭାବେ ୱାସିଂଟନ୍ ସୁନ୍ଦରଙ୍କୁ ଦଳରେ ନିଆଯାଇଥିବାରୁ ତାଙ୍କୁ ମଧ୍ୟ ଦଳରେ ନେବା କଥା ଚିନ୍ତାକରାଯାଇପାରିବ। ସେପଟେ ପୁଣେ ପିଚ୍ ସ୍ପିନରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ଥିବାରୁ ନ୍ୟୁଜିଲାଣ୍ଡ ତାର ଅଭିଜ୍ଞ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କୁ ନିଜ ଦଳରେ ସାମିଲ କରିଛି।
ସ୍ପିନର୍କୁ ସୁହାଇବ ପିଚ୍
ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ର କଳାମାଟି ପିଚ୍ ବେଙ୍ଗାଲୁରୁର ଲାଲ୍ ମାଟି ପିଚ୍ଠାରୁ ଭିନ୍ନ ରହିବ। ଏଠାକାର ପିଚ୍ରେ ବଲ୍ ଟିକିଏ ତଳୁଆ ରହିବ। ଭାରତ ମଧ୍ୟ ଏଠାରେ ସ୍ପିନର୍ଙ୍କୁ ସୁହାଉଥିବା ପିଚ୍ରେ ଖେଳିବାକୁ ଚାହିବ। କାରଣ ଭାରତ ପାଖରେ କୁଲଦୀପ ଯାଦବ, ଆର ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ ତଥା ୱାସିଂଟନ୍ ସୁନ୍ଦରଙ୍କ ରୂପରେ ବିଶ୍ବସ୍ତରୀୟ ସ୍ପିନ୍ ବିକଳ୍ପ ଅଛି। ନ୍ୟୁଜିଲାଣ୍ଡ ମଧ୍ୟ ଏକଥା ଜାଣିଛି। ଏଣୁ ଦଳୀୟ ଖେଳାଳି ମାନସିକ ଭାବେ ତଦନୁଯାୟୀ ପ୍ରସ୍ତୁତ ହେଉଛନ୍ତି ବୋଲି ନ୍ୟୁଜିଲାଣ୍ଡ ପକ୍ଷରୁ କୁହାଯାଇଛି। ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ରେ ଟସ୍ ଜିତି ବ୍ୟାଟିଂ କରିବା ଭାରତ ପାଇଁ ବୁମେରାଂ ହୋଇଥିଲା। ପୁଣେରେ ମଧ୍ୟ ଟସ୍ର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। ଏଣୁ ଟସ୍ ଜିତିବା ଅଧିନାୟକ ସୁଖଦ ଦ୍ବନ୍ଦ୍ବର ସମ୍ମୁଖୀନ ହେବେ। ପିଚ୍ରେ ଘାସ ରହିବ ନାହିଁ ବୋଲି କ୍ୟୁରେଟର୍ ସଙ୍କେତ ଦେଇଛନ୍ତ। ଏଣୁ ଖେଳ ଆରମ୍ଭ ହେବାର ପ୍ରଥମ କିଛି ଘଣ୍ଟାରେ ବଲ୍ ସିମ୍ କିମ୍ବା ସୁଇଂ କରିବାର ସମ୍ଭାବନା କମ୍ ରହିଛି। ଖେଳ ଚାଲିବା ପରେ ସ୍ପିନର୍ମାନେ ଏଥିରୁ ଯଥେଷ୍ଟ ଫାଇଦା ଉଠାଇପାରିବେ ବୋଲି ଅନୁମାନ କରାଯାଉଛି।
ୱିଲିୟମସନ୍ ଫେରିବେନି
ପ୍ରଥମ ଭଳି ଦ୍ବିତୀୟ ଟେଷ୍ଟ୍ରେ ମଧ୍ୟ ନ୍ୟୁଜିଲାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟର୍ ତଥା ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ୍ ଖେଳିବେ ନାହିଁ। ତଳପେଟ ଯନ୍ତ୍ରଣାରୁ ସଂପୂର୍ଣ୍ଣ ମୁକୁଳି ନଥିବାରୁ ଦଳ ତାଙ୍କୁ ପୁନର୍ବାର ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ୱିଲିୟମସନ୍ ଗତମାସର ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଆହତ ହୋଇଥିଲେ। ସଂପ୍ରତି ସେ ନ୍ୟୁଜିଲାଣ୍ଡରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ପୁନର୍ବାସ ଉପରେ ଜୋର୍ ଦେଉଛନ୍ତି। ବେଙ୍ଗାଲୁରୁ ଟେଷ୍ଟ୍ରେ ତାଙ୍କ ସ୍ଥାନରେ ୱିଲ୍ ୟଙ୍ଗ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ। ପ୍ରଥମ ପାଳିରେ ୩୩ ରନ୍ କରିବା ସହ ଦ୍ବିତୀୟରେ ୪୮* ରନ୍ର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲେ।