ଚେନ୍ନାଇ: ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରି ଆବେଗ ଓ ଆତ୍ମବିଶ୍ବାସଭରା ଷଷ୍ଠ ଶତକରେ ଋଷଭ ପନ୍ତ (୧୦୯) ସମସ୍ତଙ୍କ ହୃଦୟ ଜିତିବାର ମାତ୍ର କିଛି ମିନିଟ୍ ପରେ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶୁବମନ୍ ଗିଲ୍‌ (୧୧୯*) ପଞ୍ଚମ ଓ ପରାକ୍ରମୀ ଶତକ ହାସଲ କରି ଚେନ୍ନାଇ ଟେଷ୍ଟ୍‌ରେ ନିଜ ଅଭୁଲା ଚମକ ଛାଡ଼ିଛନ୍ତି। ଏହି ଦୁଇଜଣଙ୍କ ଅପରାଜିତ ଶତକ ପାଇଁ ଭାରତ ମଧ୍ୟ ପୂରା ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ସେହିଭଳି ବୋଲର ଓ କ୍ଷେତ୍ରରକ୍ଷକଙ୍କ ସମର୍ଥନ ବଳରେ ଦ୍ବିତୀୟ ପାଳିରେ ବାଂଲାଦେଶର ୪ ୱିକେଟ୍ ଝାଡ଼ି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା‌ ଆଧିପତ୍ୟଭରା ସ୍ଥିତିରେ ରହିଛି ଭାରତ। ସେପଟେ ୫୧୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଲାଦେଶ ଏବେବି ୩୫୭ ରନ୍ ପଛୁଆ ରହିଛି। ହାତରେ ୬ ୱିକେଟ୍ ଥିଲା ବେଳେ ପୂରା ଦୁଇ ଦିନର ଖେଳ ବାକି ଥିବାରୁ ମ୍ୟାଚ୍ ବଞ୍ଚାଇବା ଏହି ଦଳ ପାଇଁ କାଠିକର ପାଠ ହେବାକୁ ଯାଉଥିବା କିନ୍ତୁ ସ୍ପଷ୍ଟ ହୋଇଯାଇଛି। 

Advertisment

ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍  ପିଚ୍‌ ତିନି ଦିନ ପରେ ବି ଅକ୍ଷୁଣ୍ଣ ଓ ଅତୁଟ ରହିବା ଏବଂ ହାରାହାରି ସିମ୍ ଚଳନ ୧.୩ ଡିଗ୍ରିରୁ ମାତ୍ର ୦.୪ ଡିଗ୍ରିକୁ ଖସିବାର ଲାଭ ନେଇ ବାଂଲାଦେଶର ଦୁଇ ଓପନର ଜାକିର ହାସନ ଓ ସଦମନ ଇସଲାମ୍ ପ୍ରତି ଆକ୍ରମଣକୁ ଅସ୍ତ୍ର କରି କିଛିଟା ସଫଳ ହୋଇଥିଲେ। ହେଲେ ଯଶପ୍ରୀତ ବୁମ୍‌ରା, ହାସନଙ୍କୁ ଯଶସ୍ବୀ ଜୟସ୍ବାଲଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପରେ ସ୍ଥାନୀୟ ତାରକା ତଥା ପ୍ରଥମ ପାଳିର ଶତକ ହାସଲକାରୀ ଆର୍‌. ଅଶ୍ବିନ ଏକାକୀ ତିନିଟି ୱିକେଟ୍‌ ନେଇ ବାଂଲାଦେଶକୁ ପୂରା ଘାଇଲା କରି ଦେଇଥ‌ିଲେ। ଅଧିନାୟକ ନଜମୁଲ ହୋସେନ ସାଣ୍ଟୋ (୫୧*) ଲଢ଼ୁଆ ବ୍ୟାଟିଂ କରି ଚତୁର୍ଥ ଅର୍ଦ୍ଧଶତକ ହାସଲ କରିନେଇଥିଲେ। ଖରାପ ଆଲୋକ ପାଇଁ ଶନିବାରର ଷ୍ଟମ୍ପ୍ସ ବେଳକୁ ତାଙ୍କ ସହ ଅଭିଜ୍ଞ ଅଲରାଉଣ୍ଡର୍ ସକିବ-ଅଲ୍‌-ହାସନ ୫ ରନ୍ କରି ଅପରାଜିତ ରହିଛନ୍ତି। 

ଏହ ପୂର୍ବରୁ ଆଜିର ପ୍ରଥମ ଦୁଇ ଅଧିବେଶନରେ ପନ୍ତ-ଗିଲ୍‌ ହିଁ ଗୌରବମୟ ଅଧ୍ୟାୟ ଯୋଡ଼ିଥିଲେ। ଗତକାଲିର ସ୍କୋର୍ ୮୧/୩ରୁ ଖେଳ ଆରମ୍ଭ କରିଥିବା ଭାରତ ପାଇଁ ଏହି ଦୁଇ ଯୁବ ତାରକା ଯୋଜନାବଦ୍ଧ ଭାବେ ବଡ଼ ପାଳି ଖେଳିବା ଉପରେ ଜୋର୍ ଦେଇଥିଲେ। ୮୮ ବଲ୍‌ରୁ ନିଜ ଟେଷ୍ଟ୍ ଜୀବନର ମନ୍ଥରତମ ଅର୍ଦ୍ଧଶତକ ପୂରଣ କରିଥିବା ପନ୍ତ ଏହା ପରେ ଦେଢ଼ ଶହ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରିଥିଲେ। ପରବର୍ତ୍ତୀ ୫୦ ରନ୍ ମାତ୍ର ୨୬ ବଲ୍‌ରୁ ଅମଳ କରି ତିନି ଅଙ୍କ ଛୁଇଁଥିଲେ। ଗିଲ୍ ଗିୟର ବଦଳାଇବା ପରିବର୍ତ୍ତେ ଧେର୍ଯ୍ୟର ସହ ଖେଳି ଶତକ ପୂରଣ କରିଥିଲେ। ଫଳରେ ଭାରତ ୪୧ ଓଭରରୁ ୨୦୬ ରନ୍ ଯୋଡ଼ି ୨୮୭/୪ରେ ପାଳି ଘୋଷଣା କରିଥିଲା। କେଏଲ୍ ରାହୁଲ ୧୯ ବଲ୍‌ରୁ ୨୨* ରନ୍ କରି ଗିଲ୍‌ଙ୍କ ସହ ଅପରାଜିତ ରହିଥିଲେ। ଏହା ପୂର୍ବରୁ ଭାରତ ତାର ପ୍ରଥମ ପାଳିରେ ୩୭୬ ରନ୍ କରିବା ପରେ ବାଂଲାଦେଶକୁ ମାତ୍ର ୧୪୯ ରନ୍‌ରେ ଅଲଆଉଟ୍ କରି ୨୨୭ ରନ୍‌ରେ ଅପରାଜିତ ରହିଥିଲେ। 

ସଂକ୍ଷିପ୍ତ ‌ସ୍କୋର୍-ଭାରତ ପ୍ରଥମ ପାଳି: ୩୭୬। ବାଂଲାଦେଶ ପ୍ରଥମ ପାଳି: ୧୪୯। ଭାରତ ଦ୍ବିତୀୟ ପାଳି ୨୮୭/୪ (ଘୋଷଣା, ଶୁବମନ୍ ଗିଲ୍ ୧୧୯*, ଋଷଭ ପନ୍ତ ୧୦୯, କେଏଲ୍ ରାହୁଲ ୨୨*, ମେହିଦି ହାସନ ମିରାଜ ୨/୧୦୩)। ବାଂଲାଦେଶ ଦ୍ବିତୀୟ ପାଳି ୧୫୮/୪ (ନମଜୁଲ ହୋସେନ ସାଣ୍ଟୋ ୫୧*, ସଦମନ ଇସଲାମ ୩୫, ଜାକିର ହସନ ୩୩, ଆର. ଅଶ୍ବିନ ୩/୬୩, ଯଶପ୍ରୀତ୍‌ ବୁମ୍‌ରା ୧/୧୮)।

ପନ୍ତ-କୋହଲିଙ୍କ ଚଷମା ଅଦଳବଦଳ ଉତ୍ସବ
ଶନିବାର ଦୁଇ ଭାରତୀୟ ବ୍ୟାଟର୍ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ଚଷମା ଅଦଳ ବଦଳ କରିବା ଘଟଣା ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି ଘଟଣା ବାଂଲାଦେଶର ଦ୍ବିତୀୟ ପାଳିରେ ଘଟିଥିଲା। କୋହଲି ହଠାତ୍ ନିଜ ଚଷମା କାଢ଼ି ପନ୍ତଙ୍କୁ ଦେଇଥିଲେ। ପନ୍ତ ମଧ୍ୟ ବିନା ଦ୍ବିଧାରେ ଏହାକୁ ସାଦରରେ ଗ୍ରହଣ କରି ନେଇଥିଲେ। ତୁରନ୍ତ ନିଜେ ପିନ୍ଧିଥିବା ଚଷମାକୁ କାଢ଼ି କୋହଲି ଦେଇଥିବା ଚଷମା ପିନ୍ଧି ନେଇଥିଲେ। ପ୍ରତିବଦଳରେ ସେ ମଧ୍ୟ ନିଜ ଚଷମାକୁ କୋହଲିଙ୍କୁ ଦେଇଥିଲେ। କୋହଲି ମଧ୍ୟ ତାଙ୍କଠାରୁ ଚଷମାକୁ ନେଇ ଖୁସିରେ ପିନ୍ଧି ଫିଲ୍ଡିଂ କରିଥିଲେ।

ଦ୍ରାବିଡ଼ଙ୍କ ସମକକ୍ଷ ହେଲେ ଗିଲ୍
ଚେନ୍ନାଇ ଟେଷ୍ଟ୍‌ର ପ୍ରଥମ ପାଳିରେ ଖାତା ଖୋଲି ପାରି ନଥିବା ଶୁବମନ୍ ଗିଲ୍ ଦ୍ବିତୀୟ ପାଳିରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରି ଶତକ ଅର୍ଜନ କରିଛନ୍ତି। ଏହା କରି ସେ ପୂର୍ବତନ ଭାରତୀୟ ଅଧିନାୟକ ତଥା ‘ଦ ୱାଲ୍’ ରାହୁଲ ଦ୍ରାବିଡ଼ଙ୍କ ସମକକ୍ଷ ହୋଇଛନ୍ତି। ୩ ନମ୍ବରରେ ବ୍ୟାଟିଂ କରି ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ତିନିଟି ଶତକ ହାସଲ କରିବାରେ ଦ୍ରାବିଡ଼ଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି ସେ। ସେ ମଧ୍ୟ ବାଂଲାଦେଶ ବିପକ୍ଷ କୌଣସି ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଶତକ ଅର୍ଜନ କରିବାରେ ପ୍ରଥମ ବ୍ୟାଟର୍ ହେବାର ଗୌରବ ଅର୍ଜନ କରିଛନ୍ତି।