ପନ୍ତଙ୍କ ପାଖରେ ପ୍ରତିଭା ଅଛି, ହେଲେ ତାଙ୍କୁ ଶାନ୍ତ ରହିବାକୁ ହେବ: କୀର୍ତ୍ତି ଆଜାଦ

ପନ୍ତ୍‌ଙ୍କୁ ସବୁଠୁ ପ୍ରଶଂସନୀୟ ଯୁବ ଖେଳାଳି କହିଲେ ସ୍ବାନ୍‌

ନୂଆଦିଲ୍ଲୀ: ଯୁବ ୱିକେଟ୍‌ ରକ୍ଷକ ଋଷବ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ତଥା ମହେନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ବିକଳ୍ପ ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି। ଯୁବାବସ୍ଥାରେ ଧୋନିଙ୍କ ନିକଟରେ ଯେଉଁ ସବୁ ପ୍ରତିଭା ଥିଲା ତାହା ପନ୍ତଙ୍କ ପାଖରେ ରହିଥିବା ମଧ୍ୟ ଆଲୋଚନା ହେଉଛି। ଧୋନିଙ୍କ ଭଳି ସେ ନିମ୍ନକ୍ରମରେ ବଡ଼ ବାଉଣ୍ଡରି ମାରିବାର କ୍ଷମତା ରଖିଛନ୍ତି। ଦଳକୁ ଜିତାଇବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ରହିଛି। ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ ପାଇଁ ଅନେକ ଥର ଏହା କରି ଦେଖାଇ ସ‌ାରିଛନ୍ତି ପନ୍ତ। ଧୋନିଙ୍କ ଭଳି ସେ ମଧ୍ୟ ନିଜ ଖେଳର ଉନ୍ନତି ପାଇଁ ଭୋକିଲା। ହେଲେ ଧୋନିଙ୍କ ଭଳି ୱିକେଟ୍‌ରକ୍ଷଣ କରିବାର ଦକ୍ଷତା ତାଙ୍କ ପାଖରେ ନାହିଁ। ଏଥିରେ ଉନ୍ନତି ଲାଗି ତାଙ୍କୁ ଅଧିକ ପରିଶ୍ରମ କରିବା ଆବଶ୍ୟକ। ୨୦୧୯ରେ ଭଲ ପ୍ରଦର୍ଶନ ଲାଗି ସେ ସଂଘର୍ଷ କରିଥିଲେ। ସେଥିପାଇଁ ୨୦୨୦ରେ ତାଙ୍କୁ ଦଳରୁ ବାଦ୍‌ ଦେଇ କେଏଲ୍‌ ରାହୁଲଙ୍କୁ ୱିକେଟ୍‌ରକ୍ଷକ ଦାୟିତ୍ବ ମିଳିଥିଲା ବୋଲି ପୂର୍ବତନ ଭାରତୀୟ କ୍ରିକେଟର କୀର୍ତ୍ତି ଆଜାଦ କହିଛନ୍ତି।

ୱିକେଟ୍‌ରକ୍ଷଣ ଅପେକ୍ଷା ପନ୍ତ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌। ହେଲେ ତାଙ୍କୁ ଶାନ୍ତ ରହିବାକୁ ପଡ଼ିବ। ସେ ପ୍ରତି ବଲ୍‌କୁ ଛକା ମାରିବାକୁ ଚାହୁଁଛନ୍ତି। ପନ୍ତ ଭାବୁଛନ୍ତି ଟି-୨୦ ମ୍ୟାଚ୍‌ ପରି ଦିନିକିଆ ଓ ଟେଷ୍ଟ୍‌ରେ ଏଭଳି କରି ସଫଳତା ମିଳିଯିବ। ୱିକେଟ୍‌ରେ କିଭଳି ଅଧିକ ସମୟ ରହିବାକୁ ପଡ଼ିବ ତାହା ତାଙ୍କୁ ଶିଖିବାକୁ ପଡ଼ିବ। ଅଧିକ ସମୟ ରହିଲେ, ରନ୍‌ ଆପେ ଆପେ ମିଳିଥାଏ। ମୁଁ ଜାଣିଛି ଭଲ ବଲ୍‌ରେ ୱିକେଟ୍‌ ଯିବ। କିନ୍ତୁ ଯଦି ବଡ଼ ସଟ୍‌ ଖେଳିବ ତେବେ ଆଉଟ୍‌ ହେବ। ଯାହା ବହୁଥର ପନ୍ତ ନିକଟରେ ଦେଖିବାକୁ ମିଳିଛି। ତେଣୁ ମୁଁ ଦୁଃଖର ସହ କହୁଛି ‌ଭଲ ପ୍ରତିଭାକୁ ପନ୍ତ ନିଜ ହାତରେ ନିଜେ ନଷ୍ଟ କରିବାକୁ ଯାଉଛନ୍ତି ବୋଲି ସେ ଏକ ସାକ୍ଷାତକାର‌ ଅବସରରେ କହିଛନ୍ତି।

ପନ୍ତ୍‌ଙ୍କୁ ସବୁଠୁ ପ୍ରଶଂସନୀୟ ଯୁବ ଖେଳାଳି କହିଲେ ସ୍ବାନ୍‌
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଏବେ ବହୁ ପ୍ରଶଂସନୀୟ ଯୁବ ଖେଳାଳିଙ୍କ ସହିତ ପ୍ରଭାବୀ ତଥା ଅଭିଜ୍ଞ ଖେଳାଳି ବି ରହିଛନ୍ତି। ଏଥି ପାଇଁ ସବୁ ଫର୍ମାଟରେ ଭାରତ ଏକ ଦୃଢ଼ ଓ ଶକ୍ତିଶାଳୀ ଦଳ ଭାବେ ସ୍ବୀକୃତି ବି ପାଇଛି। ଏସବୁର ସାମ୍ପ୍ରତିକ ଶ୍ରେୟ ପୂର୍ବତନ ବ୍ୟାଟସମ୍ୟାନ୍‌ ରାହୁଲ ଦ୍ରାବିଡ଼ଙ୍କୁ ଯିବ। ଅବସର ପରେ ଯୁବ ‌ଦଳ ସହ ଯୋଡ଼ି ହୋଇ‌ ଖେଳାଳି ଯୋଗାଣରେ ଲାଗି ରହିଛନ୍ତି ଏହି ପୂର୍ବତନ ଅଧିନାୟକ। ତାଙ୍କୁ ପ୍ରଚୁର ଅଭିଜ୍ଞତାରୁ ବହୁ ଯୁବ ଖେଳାଳି ଫାଇଦା ପାଇଛନ୍ତି। କିଛି ବରିଷ୍ଠ ଦଳରେ ସାମିଲ ହୋଇଥିବା ବ‌େଳେ ଆଉ କିଛି ଚୟନକର୍ତାଙ୍କ ଦ୍ବାର ବ‌ାଡ଼େଇବାରେ ଲାଗି ରହିଛନ୍ତି। ଭାରତର ଘରୋଇ କ୍ରିକେଟ୍ ବ୍ୟବସ୍ଥାକୁ ମଧ୍ୟ ବିଶ୍ବବ୍ୟାପୀ ପ୍ରଶଂସା ମିଳୁଛି। ତେବେ ଭାରତର ଯୁବ ଖେଳାଳିଙ୍କ ମଧ୍ୟରେ କିଏ ସବୁଠୁ ପ୍ରଶଂସନୀୟ ବୋଲି ବାଛିବାକୁ କୁହାଯିବା ପରେ ପୂର୍ବତନ ଇଂଲଣ୍ଡ ସ୍ପିନର୍‌ ଗ୍ରେମ୍ ସ୍ବାନ୍‌ ଋଷବ ପନ୍ତ୍‌ଙ୍କ ନାମ ନେଇଛନ୍ତି। ଇଂଲଣ୍ଡ ପାଇଁ ୬୦ ଟେଷ୍ଟ୍, ୭୯ ଦିନିକିଆ ଏବଂ ୩୯ ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ସ୍ବାନ୍‌ କହିଛନ୍ତି ‘ଋଷବ ପନ୍ତ୍‌ ଯେଭଳି କ୍ରିକେଟ୍‌ ଖେଳନ୍ତି ମୁଁ ଏହାକୁ ପ୍ରଶଂସା କରିଥାଏ।

ଇର୍ଫାନ୍ ପଠାନ୍ ତାଙ୍କୁ ସମର୍ଥନ କରିବା ମଧ୍ୟ ବଡ଼ କଥା। ମୋର ମନେ ଅଛି ଦୁଇ ବର୍ଷ ତଳେ ଇଂଲଣ୍ଡ ଗସ୍ତରେ ଆସିଥିବା ବେଳେ ଟ୍ରେଣ୍ଟବ୍ରିଜ୍‌ ଟେଷ୍ଟ୍‌ରେ ସେ ପ୍ରଥମ କିମ୍ବା ଦ୍ବିତୀୟ ବଲ୍‌କୁ ସ୍ପିନରଙ୍କ ମୁଣ୍ଡ ଉପରେ ଛକା ମାରିଥିଲେ। ସେବେଠୁ ଜାଣିଥିଲି ଟେଷ୍ଟ୍‌ କ୍ରିକେଟ୍‌ରେ ସେ ନିଶ୍ଚିତ ସ୍ବତନ୍ତ୍ର ହୋଇପାରିବେ। ପନ୍ତ୍‌ ନିଜ ସଂକ୍ଷିପ୍ତ ଖେଳ ଜୀବନରେ ପ୍ରଭାବୀ ରହିଛନ୍ତି, ବିଶେଷ କରି ଲାଲ୍‌ ବଲ୍‌ କ୍ରିକେଟ୍‌ରେ। ଇଂଲଣ୍ଡରେ (ଦ ଓଭାଲ) ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ (ସିଡନି) ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି। ସୀମିତ ଓଭରରେ ପନ୍ତ୍ ପାଇଥିବା ସ‌ୁଯୋଗରୁ ସେତେଟା ଫାଇଦା ଉଠାଇ ପାରିନାହାନ୍ତି। ଫଳରେ ଭାରତ ଗତ ଜାନୁଆରିରେ ତାଙ୍କ ବଦଳରେ କେଏଲ୍ ରାହୁଲଙ୍କୁ ୱିକେଟରକ୍ଷଣ ଦାୟିତ୍ବ ଦେଇଥିଲା। ଅଦ୍ୟାବଧି ଏହ‌ି ବାମହାତୀ ବ୍ୟାଟସମ୍ୟାନ୍‌ ୧୩ ଟେଷ୍ଟ୍‌, ୧୬ ଦିନିକିଆ ଏବଂ ୨୮ ଟି-୨୦ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି।

ସମ୍ବନ୍ଧିତ ଖବର