ପନ୍ତ ୧.୬୩ କୋଟି ଟଙ୍କା ଠକାମିର ଶିକାର

ମୁମ୍ବାଇ: ଭାରତୀୟ ୱିକେଟ୍ ରକ୍ଷକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ହରିୟାଣାର ମ୍ରିନକ ସିଂହ ନାମକ ଆଉ ଜଣେ କ୍ରିକେଟର୍ ୧.୬୩ କୋଟି ଟଙ୍କା ଠକି ନେଇଛନ୍ତି। ପନ୍ତ ଏବଂ ତାଙ୍କ ପ୍ରବନ୍ଧକ ପୁନିତ ସୋଲାଙ୍କି ଏହି ଠକ କ୍ରିକେଟର୍ ମ୍ରିନାକଙ୍କ ବିରୋଧରେ ମାମଲା ଦାୟର କରିବା ପରେ ଘଟଣା ପଦାକୁ ଆସିଛି। ପନ୍ତଙ୍କ ସହ କନିଷ୍ଠ କ୍ରିକେଟ୍ ଖେଳ ସମୟରୁ ପରିଚିତ ଥିବା ମ୍ରିନାକ ବିଳାଶପୂର୍ଣ୍ଣ ଘଣ୍ଟା, ବ୍ୟାଗ୍, ଅଳଙ୍କାର, ମୋବାଇଲ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ କିଣା ବିକା କରୁଛନ୍ତି ବୋଲି କିଛି ଦିନ ତଳେ ପନ୍ତଙ୍କୁ କହିଥିଲେ। ଏହି ବ୍ୟବସାୟରେ ଭଲ ଲାଭ ହେବ ବୋଲି ମଧ୍ୟ ପନ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାରେ ପଡ଼ି ପନ୍ତ ନିଜର ଗୋଟିଏ ୬୦.୬୦ ଲକ୍ଷ ଏବଂ ଆଉ ଗୋଟିଏ ୩୬.୨୫ ଲକ୍ଷ ଟଙ୍କା ମୂଲ୍ୟର ହାତଘଣ୍ଟା ବିକ୍ରି କରିବାକୁ ଦେଇଥିଲେ। ତା ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣିବାକୁ ମ୍ରିନାକଙ୍କୁ ୨ କୋଟି ଟଙ୍କାର ନଗଦ ବି ପ୍ରଦାନ କରିଥିଲେ।

ଏହା ପରେ କିନ୍ତୁ ମ୍ରିନାକ ଆଉ ତାଙ୍କୁ ଧରାଛୁଆଁ ଦେଇ ନଥିଲେ। ଆପୋଷ ବୁଝାମଣାରେ ପନ୍ତଙ୍କୁ ୧.୬୩ କୋଟି ଟଙ୍କା ଫେରାଇ ଦେବାକୁ ମ୍ରିନାକ କହିଥିଲେ। ଏଥିନେଇ ଏକ ଚେକ୍ ମଧ୍ୟ ପ୍ରଦାନ କରିଥି‌ଲେ। ଏହି ଚେକ୍‌ ବାଉନ୍ସ ହେବା ପରେ ପନ୍ତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲେ। ମୁମ୍ବାଇର ଆଉ ଜଣେ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଠକିଥିବା ମାମଲାରେ ମ୍ରିନାକଙ୍କୁ ପୂର୍ବରୁ ମୁମ୍ବାଇର ଜୁହୁ ପୁଲିସ ଚଳିତ ମାସ ପ୍ରାରମ୍ଭରେ ଗିରଫ କରିଛି। ସଂପ୍ରତି ସେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର