ଲକ୍ଷ୍ନୌ: ଆଗାମୀ ଆଇପିଏଲ୍‌ ଲାଗି ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ଅଧିନାୟକ ନିଯୁକ୍ତ କରିଛି। ଦଳର ମୁଖ୍ୟ ମାଲିକ ସଂଜୀବ ଗୋଏଙ୍କା ସୋମବାର ଏହି ଘୋଷଣା କରିଛନ୍ତି। ଗତ ବର୍ଷ ‌ହୋଇଥିବା ମେଗା ନିଲାମରେ ପନ୍ତଙ୍କୁ ଆଇପିଏଲ୍‌ ଇତିହାସରେ ସବୁଠୁ ଅଧିକ ଦର ୨୭ କୋଟି ଟଙ୍କାରେ ଏଲ୍‌ଏସ୍‌ଜି କିଣିଥିଲା। ଏଲ୍‌ଏସ୍‌ଜି ଇତିହାସରେ କେଏଲ୍‌ ରାହୁଲ, ନିକୋଲାସ ପୂରନ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଏବେ ପନ୍ତ୍‌ ଚତୁର୍ଥ ଅଧିନାୟକ ହୋଇଛନ୍ତି। ଏଲ୍‌ଏସ୍‌ଜି ନିଜର ପ୍ରଥମ ଦୁଇ ଋତୁ ୨୦୨୨, ୨୦୨୩ରେ ପ୍ଲେଅଫ୍‌ ଖେଳିଥିଲା। କିନ୍ତୁ ଗତ ସଂସ୍କରଣରେ ସପ୍ତମ ସ୍ଥାନରେ ରହିଥିଲା। ପନ୍ତ ପୂର୍ବରୁ ୨୦୨୧ରୁ ୨୦୨୪ (କେବଳ ୨୦୨୩ ବାଦ୍‌) ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଇଥିଲେ। ଦିଲ୍ଲୀ ସହ ୯ ବର୍ଷ ରହିବା ପରେ ଗତ ଅକ୍ଟୋବର ୩୧ରେ ସେ ଦଳ ଛାଡ଼ିଥିଲେ।