ପନ୍ତ ୫ କିମ୍ବା ୬କୁ ଖସିଲେ ଭଲ, ଭିଭିଏସ୍ ଲକ୍ଷ୍ମଣ

ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ପଛୁଆ ବ୍ୟାଟିଂ ସବୁବେଳେ ଭଲ ହୋଇଥାଏ। ଏଠାରେ ପିଛା କରିବା ପ୍ରାୟତଃ ଭଲ ଫଳ ଦେଇଥାଏ। ସେଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ଅନେକଙ୍କୁ ବିସ୍ମିତ କରିଥିଲା। ହେଲେ ଏଥିନେଇ ମୋର କୌଣସି ଆପତ୍ତି ନାହିଁ। ଭାରତୀୟ ଦଳ ଏବେ ନିଜ ଦକ୍ଷତା କ୍ଷେତ୍ରରୁ ବାହାରି ଅଜଣା ଅଞ୍ଚଳରେ ପାଦ ରଖିବାକୁ ଏକ ଆହ୍ବାନ ଭାବେ ନେଉଛି, ଆଉ ଏହାକୁ ମୁଁ ବହୁତ ପସନ୍ଦ କରେ। ମୁଁ ଭାବୁଛି ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଖି ଆଗରେ ରଖି ଭାରତୀୟ ଦଳ ଏଭଳି ରଣନୀତି ଅପଣାଇଛି।

ଚିନ୍ନାସ୍ବାମୀ ପରାଜୟ ଅବଶ୍ୟ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଧକ୍କା। ତେବେ ସବୁକିଛି ସୁଧାରି ନେବା ପାଇଁ ଭାରତ ପାଖରେ ଏବେବି ପର୍ଯ୍ୟାପ୍ତ ସମୟ ଅଛି। ଗତ କିଛି ମ୍ୟାଚ୍‌ରେ ଭାରତ ଆକ୍ରମଣାତ୍ମକ ବ୍ୟାଟିଂ କରୁଛି। ଏହା ହେବା ସ୍ବାଭାବିକ ମଧ୍ୟ। ଯେତେବେଳେ ୱାସିଂଟନ ସୁନ୍ଦର ୯ ଏବଂ ଦୀପକ ଚହର ୧୦ ନମ୍ବରରେ ବ୍ୟାଟିଂ ପାଇଁ ଆସୁଛନ୍ତି, ସେତେବେଳେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାରେ ଅସୁବିଧା ନାହିଁ। ଯେ କୌଣସି ଦଳର ସଫଳତା କିନ୍ତୁ ଏକ ନିର୍ଦିଷ୍ଟ ପରିବେଶକୁ ବୁଝିବା ଏବଂ ତଦନୁଯାୟୀ ଖେଳିବା ଉପରେ ନିର୍ଭର କରେ। ଭାରତ ରବିବାର ଏକଥା ନବୁଝିପାରି ପରାଜିତ ହେଲା। ମୋର ଆଶା ଓ ବିଶ୍ବାସ ‌ଯେ ଭାରତୀୟ ମଧ୍ୟକ୍ରମ ଏହି ମ୍ୟାଚ୍‌ରୁ ଅନେକ କିଛି ଶିଖିଥିବ। ୫୦ ଓଭର ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତୀୟ ଶୀର୍ଷକ୍ରମ ଅଧିକାଂଶ ରନ୍ କରୁଛି। ଏଣୁ ମଧ୍ୟକ୍ରମ ଯେତିକି ମ୍ୟାଚ୍ ଅଭ୍ୟାସ ପାଇବା କଥା ସେତିକି ପାଉନି। ସେଥିପାଇଁ ହିଁ ୬୩ ରନ୍‌ରେ ଗୋଟିଏ ୱିକେଟ୍ ହରାଇଥିବା ଭାରତ ମାତ୍ର ୧୩୪ ରନ୍ କରି ପାରିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ସହଜରେ ହାସଲ କରିନେଲା।

ବେଙ୍ଗାଲୁରୁ ପରାଜୟ ଦଳଗତ ବିଫଳତା ହୋଇଥିଲେ ବି ସମସ୍ତଙ୍କ ତୀକ୍ଷ୍ଣ ନଜର ଏବେ ଯୁବ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତଙ୍କ ଉପରେ ରହିଛି। ସେ ଏମିତି ଜଣେ ଖେଳାଳି, ଯିଏ ଖୋଲା ହାତରେ ସଟ୍ ଖେଳିବାକୁ ପସନ୍ଦ କରିନ୍ତି। ଏବେ କିନ୍ତୁ ଏହି ୨୧ ବର୍ଷୀୟ ତାରକା ଦ୍ବନ୍ଦ୍ବ ଏବଂ ଆଶଙ୍କାରେ ଥିଲା ଭଳି ଜଣାପଡ଼ୁଛନ୍ତି। ସଟ୍ ଚୟନ ନେଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ପନ୍ତ ଏବେ ଷ୍ଟ୍ରାଇକ୍ ବଦଳାଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେ ନିଜ ସ୍ବାଭାବିକ ଖେଳ ଖେଳୁ ନାହାନ୍ତି, ମୋ ମତରେ ଏହା ହିଁ ତାଙ୍କ ଅଧଃପତନର ମୁଖ୍ୟ କାରଣ। ମୁଁ ଭାବୁଛି ସେ ୪ ନମ୍ବର ପରିବର୍ତେ ୫ କିମ୍ବା ୬ ନମ୍ବରରେ ଖେଳିଲେ ଭଲ ହୁଅନ୍ତା। ଶ୍ରେୟସ୍ ଆୟର ତାଙ୍କ ପୂର୍ବରୁ ଅର୍ଥାତ୍ ୪ ନମ୍ବରରେ ଖେଳି ପାରିବେ। ଥରେ ଆତ୍ମବିଶ୍ବାସ ଫେରି ପାଇଲେ ଅବଶ୍ୟ ପନ୍ତ ତାଙ୍କ ପୁରୁଣା ସ୍ଥାନକୁ ଫେରି ପାରିବେ। ଦକ୍ଷିଣ ଆଫ୍ରିକା ରବିବାର ସଫଳ ପ୍ରତ୍ୟାବର୍ତନ କରିଥିଲା। ବିୟର୍ନ ଫରଟ୍ବିନ୍ ଚମତ୍କାର ବୋଲିଂ କରି ନିୟମିତ ବ୍ୟବଧାନରେ ୱିକେଟ୍ କରାୟତ କରି ଚାଲିଥିଲେ। ଅଧିନାୟକ କ୍ବିଣ୍ଟନ୍ ଡି’କକ୍ ଦାୟିତ୍ବବାନ ଭାବେ ବ୍ୟାଟିଂ କରି ବିଜୟ ମୁଣ୍ଡି ମାରିଥିଲେ। ଏକ ଯୁବ ଦଳକୁ ତା’ ପରିଶ୍ରମ ମୁତାବକ ସକାରାତ୍ମକ ଫଳ ମିଳିଥିଲା।

ସମ୍ବନ୍ଧିତ ଖବର