ଦୁବାଇ: ବ୍ରିସ୍ବେନ୍ର ଗାବା ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ୍ରେ ଉତ୍କଣ୍ଠାପୂର୍ଣ୍ଣ ଶୃଙ୍ଖଳା ବିଜୟ ପାଳି (୮୯*) ଖେଳିଥିବା ଋଷଭ ପନ୍ତ୍ ଏବେ ବିଶ୍ବର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ପରିଗଣିତ ହୋଇଛନ୍ତି। ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ୍ ବ୍ୟାଟିଂ ମାନ୍ୟତାରେ ସେ ନିଜ ଆନ୍ତର୍ଜାତିକ କ୍ରିକେଟ୍ ଜୀବନର ଶ୍ରେଷ୍ଠ ମାନ୍ୟତା ତ୍ରୟୋଦଶ ସ୍ଥାନ ଅକ୍ତିଆର କରି ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ନିଜର ନିର୍ଭୟ ଓ ପୋଖତ ବ୍ୟାଟିଂ ପାଇଁ ଅଧିକାଂଶ ସଫଳତା ସାଉଁଟିଥିବା ପନ୍ତ୍ ଆଇସିସି ଟେଷ୍ଟ୍ ବ୍ୟାଟିଂ ମାନ୍ୟତାରେ ୬୯୧ ପଏଣ୍ଟ୍ ନିଜ ନାମରେ କରିନେଇଛନ୍ତି। ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍ (୬୭୭) ପଞ୍ଚଦଶ ସ୍ଥାନରେ ରହି ପନ୍ତ୍ଙ୍କ ପଛକୁ ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଟେଷ୍ଟ୍ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ରହିଛନ୍ତି।
ବ୍ରିସ୍ବେନ୍ରେ ପ୍ରଥମ ପାଳିରେ ଶତକ ଜମାଇଥିବା ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ ଆଇସିସି ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି (୮୬୨)ଙ୍କୁ ପଛକୁ ଠେଲି ତୃତୀୟ ସ୍ଥାନ ଦଖଲ କରିନେଇଛନ୍ତି। ଏଥି ସହିତ ଲାବୁସେନ୍ (୮୭୮) ମଧ୍ୟ ଜୀବନର ସର୍ବୋଚ୍ଚ ମାନ୍ୟତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ୯୧ ରନ୍ର ପାଳି ଖେଳି ଗାବା ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିବା ଯୁବ ଭାରତୀୟ ଓପ୍ନର ଶୁବମନ୍ ଗିଲ୍ ମଧ୍ୟ ଆଇସିସି ମାନ୍ୟତାରେ ଯଥେଷ୍ଟ ପଦୋନ୍ନତି ପାଇଯାଇଛନ୍ତି। ସେ ୨୧ ସ୍ଥାନ ଲମ୍ଫ ମାରି ୬୮ରୁ ଏକାବେଳକେ ୪୭ତମ ସ୍ଥାନ ଅକ୍ତିଆର କରିନେଇଛନ୍ତି। ମଧ୍ୟକ୍ରମ ତଥା ନିର୍ଭରଯୋଗ୍ୟ ଭାରତୀୟ ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ଉଠି ସପ୍ତମରେ ପହଞ୍ଚିଥିଲା ବେଳେ ଗାବା ଟେଷ୍ଟ୍ରେ ୬ ୱିକେଟ୍ ଦଖଲ କରିଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ୩୨ ସ୍ଥାନ ଲମ୍ଫ ମାରି ବୋଲରଙ୍କ ମାନ୍ୟତାରେ ୪୫ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପଦାର୍ପଣକାରୀ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ଓ ସାର୍ଦୁଳ ଠାକୁର ମଧ୍ୟ ମାନ୍ୟତା ତାଲିକାରେ ଫାଇଦା ପାଇଛନ୍ତି। ସୁନ୍ଦର ବ୍ୟାଟିଂ ମାନ୍ୟତାରେ ୮୨ତମ ଓ ବୋଲିଂ ମାନ୍ୟତାରେ ୯୭ତମ ସ୍ଥାନ ପାଇଥିଲା ବେଳେ ଠାକୁର ବ୍ୟାଟିଂରେ ୧୧୩ ଓ ବୋଲିଂରେ ୬୫ତମ ସ୍ଥାନ ପାଇଛନ୍ତି।
ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ତା’ ଘରୋଇ ମାଟିରେ ଧୂଳି ଚଟାଇବାରେ ପ୍ରମୁଖ ଭୁମିକା ନିଭାଇ ରାତାରାତି ତାରକା ବନିଯାଇଥିବା ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ଙ୍କ ସହ ଜେଏସ୍ଡବ୍ଲୁ ସ୍ପୋର୍ଟସ ବହୁ ବର୍ଷିୟା ଚୁକ୍ତି ସ୍ବାକ୍ଷର କରିଛି। ଫଳରେ ଜେଏସ୍ଡବ୍ଲୁ ସ୍ପୋର୍ଟସ ୨୩ ବର୍ଷ ବୟସ୍କ ପନ୍ତ୍ଙ୍କ ସମସ୍ତ ବ୍ୟାବସାୟିକ ଓ ବିଜ୍ଞାପନ ଅଧିକାରର ପରିଚାଳନା ଦାୟିତ୍ବ ତୁଲାଇବ। ଏନେଇ ଜେଏସ୍ଡବ୍ଲୁ ସ୍ପୋର୍ଟସ ବୁଧବାର ଘୋଷଣା କରିଛି। ପନ୍ତ୍ ଏବେ ବିକଶିତ ଦକ୍ଷତା ତାଲିକାରେ ଯୋଡ଼ି ହୋଇଛନ୍ତି ବୋଲି ସଂପୃକ୍ତ ସଂସ୍ଥା କହିଛି। ତେଣୁ ଆମେ ପନ୍ତ୍ଙ୍କୁ ଆମ ନିକଟକୁ ସ୍ବାଗତ ଜଣାଉଛୁ ବୋଲି ସଂସ୍ଥାର ସିଇଓ ମୁସ୍ତାଫା ଘୌଷ କହିଛନ୍ତି। ବାସ୍ତବରେ ତାଙ୍କ ନିକଟରେ ସ୍ବତନ୍ତ୍ର ପ୍ରତିଭା ଭରିରହିଛି ଏବଂ ଆମର ବିଶ୍ବାସ ସେ ବିଶ୍ବ କ୍ରୀଡ଼ାରେ ଜଣେ ଆଇକନ୍ ବନିପାରିବେ ବୋଲି ଘୌଷ କହିଛନ୍ତି। ଏହା ପୂର୍ବରୁ ପନ୍ତ୍ କର୍ନରଷ୍ଟୋନ୍ ସ୍ପୋର୍ଟ ଆଣ୍ଡ୍ ଏଣ୍ଟରଟେନ୍ମେଣ୍ଟ୍ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ପରିଚାଳିତ ହେଉଥିଲେ। ପନ୍ତ୍ଙ୍କ ପୂର୍ବରୁ ଜେଏସ୍ଡବ୍ଲୁ ସ୍ପୋର୍ଟସ ଅଲିମ୍ପିକ୍ କାଂସ୍ୟ ବିଜେତା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୂନିଆଙ୍କ ଭଳି କ୍ରୀଡ଼ାବିତ୍ଙ୍କ ସହ ଚୁକ୍ତିବଦ୍ଧ ହୋଇସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/pant.jpg)