‘ପ୍ରଥମ ପସନ୍ଦ’ ଆହ୍ବାନକୁ ଗ୍ରହଣ କରିଛି: ପନ୍ତ୍‌

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ଲାଗି ଘୋଷିତ ଭାରତୀୟ ଦଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ସ୍ଥାନ ପାଇଛନ୍ତି ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତ୍‌। ଏହି ଗସ୍ତରେ ସେ ତିନିଟି ଯାକ ଫର୍ମାଟ୍‌ରେ ପ୍ରଥମ ପସନ୍ଦର ୱିକେଟ୍‌ ରକ୍ଷକ ରହିଛନ୍ତି। ସୀମିତ ଓଭରରେ ଏକମାତ୍ର ୱିକେଟ୍‌ ରକ୍ଷକ ଭାବେ ‌ପନ୍ତ୍‌ ଦଳରେ ରହିଥିଲା ବେଳେ କେବଳ ଟେଷ୍ଟ୍‌ରେ ତାଙ୍କ ସହ ରିଦ୍ଧିମାନ ସାହାଙ୍କୁ ସୁ‌ଯୋଗ ମିଳିଛି। ଚୟନକର୍ତାଙ୍କ ଏହି ପ୍ରଥମ ପସନ୍ଦ ୱିକେଟ ରକ୍ଷକ ସବୁ ପ୍ରକାର ଆହ୍ବାନକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ବୋଲି ପନ୍ତ୍‌ ମତ ରଖିଛନ୍ତି। ଏହା ମୋ ପାଇଁ ବଡ଼ ସୁଯୋଗ। ଲୋକେ କ’ଣ କହୁଛନ୍ତି ମୁଁ ତାକୁ ଦେଖେନି। ମୁଁ କେବଳ ଭଲ ପ୍ରଦର୍ଶନ ଦେବାକୁ ଚେଷ୍ଟା କରେ। ମୁଁ ଚାହେଁ ଦେଶ ପାଇଁ ଭଲ କରିବାକୁ। କେବଳ ଏହା ଉପରେ ହିଁ ଧ୍ୟାନ ରଖେ। ମୁଁ କ’ଣ ଶିଖିଲି, କ’ଣ କଲେ ଉନ୍ନତ ହେବ ତା’ ଉପରେ ନଜର ଦିଏ। ପନ୍ତ ଏ ପର୍ଯ୍ୟନ୍ତ ଖେଳିଥିବା ଅଧିକାଂଶ ଦିନିକିଆ ଦଳରେ ଧୋନିଙ୍କ ସହ ରହିଛନ୍ତି। ତା’ ଉପରେ ସେ କୁହନ୍ତି, ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳିଛି। ଚାପ ସମୟରେ ସେ ଶାନ୍ତ ଭାବେ ପରିସ୍ଥିତିକୁ ସମ୍ଭାଳିଥାନ୍ତି। ପଡ଼ିଆରେ ସର୍ବଦା ସହଯୋଗ କରିଥାନ୍ତି। ମୁଁ ବି ସବୁବେଳେ ବରି‌ଷ୍ଠଙ୍କଠୁ ଶିଖିବାକୁ ଚେଷ୍ଟା କରେ ବୋଲି ପନ୍ତ କହିଛନ୍ତି।

ସାଧାରଣତଃ ଅନ୍ତର୍ଜାତୀୟ ଖେଳାଳିମାନେ ଦିନିକିଆରେ ଭଲ କଲା ପରେ ଟେଷ୍ଟ୍‌ ଦଳକୁ ସୁଯୋଗ ପାଇଥାନ୍ତି। ହେଲେ ପନ୍ତ ଏହାର ବିପରୀତ। ସେ ପ୍ରଥମେ ଟେଷ୍ଟ୍‌ ଖେଳିବା ପରେ ସୀମିତ ଓଭର କ୍ରିକେଟ୍‌ରେ ସୁଯୋଗ ପାଇଥିଲେ। ମୁଁ କୌଣସି ଫର୍ମାଟ୍‌କୁ ଦେଖେନି। ପ୍ରଥମେ ଟେଷ୍ଟ୍‌ ଖେଳିବା ଅଭିଜ୍ଞତାରୁ ବହୁତ କିଛି ଶିଖିଛି। ଏଥିରୁ କେମିତି ପାଳି ଗଢ଼ିବାକୁ ହୁଏ ଏବଂ ‌ଡାଉନ୍‌ ଅର୍ଡରରେ ବ୍ୟାଟିଂ କଲା ବେଳେ ଟେଲ୍‌ଏଣ୍ଡର୍‌ଙ୍କ ସହିତ କେମିତି ଖେଳିବାକୁ ହୁଏ ଶିଖିପାରିଛି। ପ୍ରତ୍ୟେକ ଦିନ ଟେଷ୍ଟ୍‌ରେ କିଛି କିଛି ଶିଖିବାକୁ ମିଳେ। ଆଉଟ୍‌ ହୋଇଗଲା ପରେ ବି ପଡ଼ିଆରେ ଦିନଯାକ ରହିବାକୁ ପଡ଼ିଥାଏ। କିନ୍ତୁ ଦିନିକିଆ ଓ ‌‌ଟ୍ବେଣ୍ଟି-୨୦ ପୂରା ଅଲଗା। ଏଥିରେ ଦ୍ରୁତ ଖେଳିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି। ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ମୋତେ ଭଲ ଲାଗେ। ପୂର୍ବରୁ ଆଇପିଏଲ୍‌ରେ ମୁଁ ୪ ନମ୍ବରରେ ଖେଳିସାରିଛି। ଏହା ଉପରେ ମଧ୍ୟ ସବୁବେଳେ ଅଭ୍ୟାସ କରେ। ମୋର କୌଣସି ସ୍ବତନ୍ତ୍ର ଷ୍ଟାଇଲ୍‌ ନାହିଁ, ପରିସ୍ଥିତି ଅନୁଯାୟୀ ଖେଳେ। ଦଳ କ’ଣ ଚାହୁଛି ମୋତେ ସେହି ଅନୁସାରେ ପ୍ରଦର୍ଶନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜଣେ ଖେଳାଳିଙ୍କ ସବୁ ଠିକ୍‌ ନଥାଏ। ଉଭୟ ୱିକେଟ୍‌ରକ୍ଷଣ ଏବଂ ବ୍ୟାଟିଂରେ ଉନ୍ନତି ଆଣିବାକୁ ମୁଁ ସର୍ବଦା ଚେଷ୍ଟା କରିଥାଏ। ଯିଏ ବି ମୋତେ ଶିଖାଇବାକୁ ଚାହୁଁଛନ୍ତି ସେମାନେ ଅଗକୁ ଆସନ୍ତୁ। କାହାଠୁ ଶିଖିବାରେ ମୋର କିଛି ଅସୁବିଧା‌ ନାହିଁ ବୋଲି ପନ୍ତ୍‌ କହିଛନ୍ତି। ଆମ ଦଳରେ ଭଲ ସମନ୍ବୟ ରହିଛି। ସମସ୍ତେ ସମସ୍ତଙ୍କ କଥା ଶୁଣନ୍ତି, ଆଉ ଶିଖାନ୍ତି ମଧ୍ୟ। ଛୋଟ ‌ବଡ଼ କେହି ଦେଖନ୍ତି ନାହିଁ ବୋଲି ପନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର