ପନ୍ତ୍‌, ସୁନ୍ଦରଙ୍କ ଦିନ: ଭାରତ ଆଗେଇଲା

ପନ୍ତ୍‌-ସୁନ୍ଦରଙ୍କ ଶତକୀୟ ଭାଗୀଦାରି

ଅହମ୍ମଦାବାଦ : ଋଷବ ପନ୍ତ୍‌ଙ୍କ ସମ‌ୟୋପଯୋଗୀ ଆକର୍ଷଣୀୟ ଶତକ ଏବଂ ୱାସିଂଟନ୍ ସୁନ୍ଦରଙ୍କ ଅପରାଜିତ ଅର୍ଦ୍ଧଶତକ ଭାରତକୁ ଚଳିତ ଟେଷ୍ଟ୍‌ରେ ବିପଦ ମୁହଁରୁ ବାହାର କରି ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛି। ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୭ ୱିକେଟ୍‌ ହରାଇ ୨୯୪ ରନ୍ ସଂଗ୍ରହ କରିଛି। ହାତରେ ୩ ୱିକେଟ୍ ଥାଇ ଘରୋଇ ଦଳ ୮୯ ରନ୍‌ରେ ଆଗୁଆ ହୋଇ ସାରିଥିବାରୁ ଏହି ଶୃଙ୍ଖଳା ନିର୍ଣ୍ଣାୟକ ଟେଷ୍ଟ୍‌ ଏକପ୍ରକାର ଭାରତ ନିୟନ୍ତ୍ରଣକୁ ଚାଲିଆସିଛି। ଦ୍ବିତୀୟ ଦିନ ଖେଳ ବନ୍ଦ ବେଳକୁ ୱାସିଂଟନ୍ ସୁନ୍ଦର (୬୦*, ୧୧୭ ବଲ୍‌, ୮ ଚୌକା) ଏବଂ ଅକ୍ଷର ପଟେଲ୍ (୧୧*, ୩୪ ବଲ୍‌, ୨ ଚୌକା) ବ୍ୟାଟିଂ କରୁଥିଲେ।

ଶୁଭମନ ଗିଲଙ୍କୁ ପ୍ରଥମ ଦିନ ଅପରାହ୍ଣରେ ହରାଇଥିବା ଭାରତ ଶୁକ୍ରବାର ସକାଳେ ୨୪/୧ରୁ‌ ଖେଳିଥିଲା। ରୋହିତ ଶର୍ମା ଏବଂ ଚେତେଶ୍ବର ପୂଜାରା ବେଶ ସତର୍କ ଓ ସଂଜମତାର ସହ ପ୍ରଥମ ଘଣ୍ଟାକୁ ବିନା ୱିକେଟରେ ଖେଳିଦେଇଥିଲେ। ପୂଜାରା (୧୭, ୬୬ ବଲ୍‌)ଙ୍କ ଧୈର୍ଯ୍ୟକୁ କିନ୍ତୁ ସ୍ପିନର୍ ଜ୍ୟାକ୍ ଲିଚ୍‌ ଲେଗ୍‌ବିଫୋର୍‌ ୱିକେଟରେ ଭାଙ୍ଗି‌ ଦେଇଥିଲେ। ଏହା ପରେ ବିରାଟ କୋହଲି ୮ ବଲ୍‌ ଖେଳି ଶୂନରେ ଆଉଟ୍‌ ହେବା ଭାରତକୁ (୪୧/୩) ଚାପରେ ପକାଇ ଦେଇଥିଲା। ବେନ୍‌ ଷ୍ଟୋକ୍ସଙ୍କ ଅତିରିକ୍ତ ଉଚ୍ଛାଳରୁ ବ୍ୟାଟ୍‌ ହଟାଇ ନପାରି ୱିକେଟରକ୍ଷକ ବେନ୍‌ ଫୋକ୍ସକୁ କ୍ୟାଚ୍‌ ଦେଇ ଫେରିଥିଲେ। ପ୍ରଥମରୁ ରନ୍‌ ସଂଗ୍ରହ ଲକ୍ଷ୍ୟରେ ରହିଥିବା ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୪ଟି ଆକର୍ଷଣୀୟ ଚୌକା ମାରିଥିଲେ ମଧ୍ୟ (୨୭, ୪୫ ବଲ) ଜେମ୍ସ ଆଣ୍ଡରସନ୍‌ଙ୍କୁ ଠିକଣା ଭାବେ ଡିଫେନ୍ସ କରିନପାରି ସ୍ଲିପ୍‌କୁ କ୍ୟାଚ୍‌ ଦେଇ ବସିଥିଲେ। ଭାରତ ୮୦/୪ରେ ମଧ୍ୟାହ୍ନ ଭୋଜନକୁ ଯିବାରୁ ପ୍ରଥମ ‌ଅଧିବେଶନଟି ଇଂଲଣ୍ଡ ସପକ୍ଷରେ ଯାଇଥିଲା। ଭାରତ ମାତ୍ର ୫୬ ରନ ଯୋଡ଼ି ପାରିଥିଲା। ତେବେ ଦିନ ବଢ଼ିବା ସହ ଭାରତ ଏହି ଟେଷ୍ଟ୍‌କୁ ନିୟନ୍ତ୍ରଣକୁ ନେଇଥିଲା। ଦ୍ବିତୀୟ ଅଧିବେଶନରେ ଭାରତ ୨ ୱିକେଟ୍‌ ହରାଇ ୭୩ ରନ୍ ଯୋଡ଼ିଥିଲା। ଚା’ପାନ ପରବର୍ତୀ ତୃତୀୟ ଅଧିବେଶନଟି ସମ୍ପୂର୍ଣ୍ଣ ଭାବେ ଭାରତର ଥିଲା। ପନ୍ତ୍‌ଙ୍କ ଏକମାତ୍ର ୱିକେଟ୍‌ ହରାଇ ୧୪୧ ରନ୍‌ ଯୋଡ଼ିଥିଲା ଘରୋଇ ଦଳ।

ପନ୍ତ୍‌-ସୁନ୍ଦରଙ୍କ ଶତକୀୟ ଭାଗୀଦାରି
ଶୁକ୍ରବାର କେବଳ ଗୋଟିଏ ଭାଗୀଦାରି ହିଁ ପ୍ରଧାନ୍ୟ ବିସ୍ତାର କରିଆସୁଥିବା ଇଂଲଣ୍ଡ ହାତରୁ ସୁଯୋଗ ଛଡ଼ାଇ ଆଣିଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ରୋହିତ ଶର୍ମା (୪୯, ୧୪୪ ବଲ୍‌, ୭ ଚୌକା) ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ (୧୩, ୩୨ ବଲ୍‌)ଙ୍କୁ ହରାଇ ଭାରତ ୧୪୬/୬ରେ ସଂଘର୍ଷ କରୁଥିବା ବେଳେ ମଝି ପଡ଼ିଆରେ ଋଷବ ପନ୍ତ୍‌ଙ୍କ ସହ ଯୋଗ ଦେଇଥିଲେ ୱାସିଂଟନ୍ ସୁନ୍ଦର। ବାସ୍‌ ଏହି ଦୁଇ ବାମହାତୀ ଯୋଡ଼ିଙ୍କ ମଧ୍ୟରେ ସପ୍ତମ ୱିକେଟ୍ ପାଇଁ ହୋଇଥିବା ୧୧୩ ରନ୍‌ର ଭାଗୀଦାରି (୨୬ ଓଭର) ସନ୍ତୁଳନ ଅବସ୍ଥାରେ ଥିବା ଏହି ଟେଷ୍ଟକୁ ଭାରତ ପକ୍ଷକୁ ମୋଡି ହୋଇଯାଇଥିଲା। ପୁରୁଣା ହେଉ କି ଦ୍ବିତୀୟ ନୂଆ ବଲ୍‌ ଋଷବ ପନ୍ତ୍‌ ଇଂଲଣ୍ଡର ଦୁଇ ‌ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ବେନ୍‌ ‌ଷ୍ଟୋକ୍ସଙ୍କୁ ଛାଡ଼ିନଥିଲେ। ଏହି ଦୁହିଁଙ୍କ ବିପକ୍ଷରେ ଆକ୍ରମଣାତ୍ମକ ସଟ୍‌ ଖେଳି ଘରୋଇ ମାଟିରେ ନିଜ ପ୍ରଥମ ଶତକ ହାସଲ କରିନେଇଥିଲେ। ଏହା କିନ୍ତୁ ଥିଲା ତାଙ୍କ ଟେଷ୍ଟ୍ ଜୀବନର ତୃତୀୟ ଶତକ। ୨୦୧୮ରେ ଇଂଲଣ୍ଡ ଗସ୍ତରେ ପଦାର୍ପଣ କରିଥିବା ପନ୍ତ୍‌ ଦ ଓଭାଲରେ ପ୍ରଥମ ଶତକ (୧୧୪) ହାସଲ କରିଥିଲେ। ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ସିଡନି (୧୫୯*)ରେ ଚମତ୍କାର ପାଳି ଖେଳିଥିଲେ। ବିଗତ ୫ ଟେଷ୍ଟ୍‌ରେ ଶତକ ଦ୍ବାରରେ ପହଞ୍ଚି ବଞ୍ଚିତ ହୋଇଥିବା ପନ୍ତ୍‌ଙ୍କ ପ୍ରତୀକ୍ଷିତ ଶତକ ସ୍ବପ୍ନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସାକାର ହୋଇଥିଲା। ଶୁକ୍ରବାର ପନ୍ତ୍‌ଙ୍କ ପାଳି କିନ୍ତୁ ଦୁଇ ଭାଗରେ ବିଭକ୍ତ ଥିଲା। ପ୍ରଥମ ୫୦ ରନ୍‌ ପାଇଁ ସେ ୮୨ ବଲ୍‌ ଖେଳିଥିବା ବେଳେ ଦ୍ବିତୀୟ ୫୦ ରନ୍‌ ପାଇଁ ମାତ୍ର ୩୩ ବଲ୍‌ ‌ଖେଳିଥିଲେ। ଆଣ୍ଡରସନ୍‌ କିନ୍ତୁ ତାଙ୍କ ଶତକୀୟ ପାଳିର ଅନ୍ତ ଘଟାଇ କିଛିଟା ପ୍ରତିଶୋଧ ନେଇଯାଇଥିଲେ। ନର୍ଭସ ନାଇଣ୍ଟି ବେଳେ ୱାସିଂଟନ୍ ସୁନ୍ଦର ତାଙ୍କୁ ଠିକଣା ପରାମର୍ଶ ଦେଇଥିଲେ ମଧ୍ୟ ଜୋ ରୁଟଙ୍କୁ ସ୍କୋୟାର୍‌ ଲେଗ୍ ଉପରେ ଛକା ମାରି ପନ୍ତ୍‌ ଶତକ ପୂର୍ଣ୍ଣ କରିଥିଲେ। ଭାରତକୁ ମଧ୍ୟ ପନ୍ତ୍‌-ସୁନ୍ଦରଙ୍କ ଶତକୀୟ ଭାଗୀଦାରି ଏକ ପ୍ରକାର ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ପହଞ୍ଚାଇ ଦେଇଛି।

ସମ୍ବନ୍ଧିତ ଖବର