ପାନ୍ଥର୍ସର ଲାୟନ୍ସ ଶିକାର: ଜାଗୁଆର୍ସକୁ ହରାଇଲା ପ୍ୟୁମାସ

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌)ରେ ମଙ୍ଗଳବାର ଓଡ଼ିଶା ପାନ୍ଥର୍ସ ୭ ଵିକେଟ୍‌ରେ ଓଡ଼ିଶା ଲାୟନ୍ସକୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୯ ୱିକେଟ୍‌ ବିନିମୟରେ ୧୨୫ ରନ୍‌ କରିଥିଲା। ଅଧିନାୟକ ସୁଜିତ ଲେଙ୍କା ୩୯, ଦୀପକ ବେହେରା ୨୩ ଓ ବିକାଶ ରାଉତ ୨୨* ରନ୍‌ କରିଥିଲେ। ପାନ୍ଥର୍ସ ପକ୍ଷରୁ ଆଲୋକ ସାହୁ ୩ ଏବଂ ଅଧିନାୟକ ବସନ୍ତ ମହାନ୍ତି ଓ ଜୟନ୍ତ ବେହେରା ୨ ଲେଖାଏ ୱିକେଟ୍‌ ନେଇଥିଲେ। ଜବାବରେ ପାନ୍ଥର୍ସ ୧୫ ବଲ୍‌ ପୂର୍ବରୁ ମାତ୍ର ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅଭିଷେକ ଯାଦବ (୬୯ ରନ୍‌, ୪୫ ବଲ୍‌, ୭ ଚୌକା, ୨ ଛକା) ଅପରାଜିତ ଅର୍ଧଶତକ ଏବଂ ବିନିତ ମହାନ୍ତି ୨୧ ରନ୍‌ କରିଥିଲେ। ଲାୟନ୍ସର ଶିଭାଶିଷ ସାହୁ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଅଭିଷେକ ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଜାଗୁଆର୍ସକୁ ହରାଇଲା ପ୍ୟୁମାସ
ମଙ୍ଗଳବାର ସନ୍ଧ୍ୟାର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପ୍ୟୁମାସ ୧୯ ରନ୍‌ରେ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପ୍ୟୁମାସ ପ୍ରତୀକ ଅନୁରାଗ ଦାସଙ୍କ ୩୧, ଅଭିଷେକ ନାୟକଙ୍କ ୨୬* ଓ ଟୁକୁନା ସାହୁଙ୍କ ୨୨ ରନ୍ ସହାୟତାରେ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୧ ରନ୍ କରିଥିଲା। ଜାଗୁଆର୍ସ ପକ୍ଷରୁ ମନୋଜ କଶ୍ୟପ ଏବଂ ସନ୍ଦୀପ ଚୌହ୍ବାନ ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ୧୪୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଜାଗୁଆର୍ସର ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଦଳ ‌ଆରମ୍ଭରୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୩୩ ରନ୍‌ରେ ଅଧାଦଳ ହରାଇଥିଲା। ଅଭିଜିତ ବାରିକ (୪୯) ଓ ଲଗ୍ନଜିତ ସାମଲ (୩୦) ଶେଷ ଆଡ଼କୁ ଲଢ଼ୁଆ ବ୍ୟାଟିଂ କରିଥିଲେ। ହେଲେ ଏହି ଦୁଇ ଜଣଙ୍କ ଆଉଟ୍ ପରେ ଜାଗୁଆର୍ସ ପାଳି ମାତ୍ର ୧୨୨ ରନ୍‌ରେ ଅଟକି ଯାଇଥିଲା। ଏହି ଦଳ ୭ ବଲ୍ ପୂର୍ବରୁ ଅଲଆଉଟ୍ ହୋଇ ଯାଇଥିଲା। ପ୍ୟୁମାସ ପକ୍ଷରୁ ପ୍ରଶାନ ରଣା ୪, ଟୁକୁନା ସାହୁ ୩ ଏବଂ ବାଦଲ ନିଶାଦ ୨ଟି ୱି‌କେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର