କଟକ : ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଓଡ଼ିଶା କ୍ରିକେଟ ଲିଗ୍ (ଓସିଏଲ୍)ରେ ରବିବାର ରୋମାଞ୍ଚଭରା ପ୍ରଥମ ମ୍ୟାଚ୍କୁ ଓଡ଼ିଶା ପାନ୍ଥର୍ସ ସୁପର ଓଭରରେ ଜିତିନେଇଛି। ସଂଯୋଗବଶତଃ ଉଭୟ ଦଳ ସେମାନଙ୍କ ନିର୍ଧାରିତ ୨୦ ଓଭରରେ ସମାନ ସଂଖ୍ୟକ ୭ ୱିକେଟ୍ ଲେଖାଏଁ ବିନିମୟରେ ସମାନ ସ୍କୋର୍ ୧୦୫ ଲେଖାଏଁ କରିଥିଲେ। ପୁଣି ଏକ ସଂଯୋଗବଶତଃ ଉଭୟ ଦଳର ଜଣେ ଲେଖାଏଁ ବ୍ୟାଟ୍ସମ୍ୟାନ୍ ମଧ୍ୟ ରନ୍ ଆଉଟ୍ ହୋଇଥିଲେ। ତେବେ ସୁପର ଓଭରରେ ପାନ୍ଥର୍ସ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଦେଇଛି। ଏଥି ସହିତ ସମସ୍ତ ୫ ମ୍ୟାଚ୍ ଜିତି ଅପରାଜେୟ ପାନ୍ଥର୍ସ ସର୍ବାଧିକ ୨୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅବିଚଳିତ ରହିଛ।
ବସନ୍ତ ମହାନ୍ତିଙ୍କ ନେତୃତ୍ବାଧୀନ ପାନ୍ଥର୍ସ ରବିବାର ଟସ୍ ଜିତି ବୋଲି˚ କରିଥିଲା। ଜାଗୁଆର୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁଁ ନିର୍ବିଶଙ୍କର ବାରିକ (୬), ସୁନୀଲ ସାହୁ (୨), ଅଭିଜିତ ବାରିକ (୧୫), ବିଭୂ ମଲ୍ଲିକ (୧୩)ଙ୍କୁ ଦଳୀୟ ସ୍କୋର୍ ୬୧ ମଧ୍ୟରେ ହରାଇଥିଲା। ଅଧିନାୟକ ଗିରିଜା ରାଉତ ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ ବି ୩୬ ରନ୍ରେ ଆଉଟ ହୋଇଯାଇଥିଲେ। ଜୟନ୍ତ ବେହେରା ଓ ଶୁଭମ ନାୟକ ୨-୨, ବସନ୍ତ ମହାନ୍ତି ଓ ଆଲୋକ ସାହୁ ୧-୧ ଵିକେଟ ଦଖଲ କରିଥିଲେ। ଜବାବରେ ପାନ୍ଥର୍ସ ମଧ୍ୟ ଅନୁରୂପ ବିପର୍ଯ୍ୟୟ ମୁହାଁ ହୋଇଥିଲା। ସ୍ପର୍ଶ ସୋମାନି ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲା ବେଳେ ଅନ୍ୟପଟରୁ ସିଦ୍ଧାନ୍ତ ଜେନା (୧), ବିନୀତ ମହାନ୍ତି (୧), ଅଭିଷେକ ଯାଦବ (୫) ପାଵାରପ୍ଲେ ସୁଦ୍ଧା ଡଗ୍ଆଉଟକୁ ଫେରିଯାଇଥିଲେ। ଏକ ସମୟରେ ଦଳ ୫୦/୪ରେ ସଂଘର୍ଷ କରିଥିଲା। ସୋମାନି ୩୧ ରନ୍ରେ ଆଉଟ୍ ହୋଇଥିଲେ। ଷଷ୍ଠ ୱିକେଟ୍ରେ ଆଲୋକ ସାହୁ (୨୫) ଓ ନିଶିକାନ୍ତ ରାଉତ (୩୨*) ୩୮ ରନ୍ ଯୋଡ଼ି ଦଳକୁ ବିଜୟର ନିକଟତର କରାଇଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୫ ରନ୍ ଆବଶ୍ୟକ ହେଉଥିଲା। ନିର୍ବିଶଙ୍କର ବାରିକଙ୍କୁ ବୋଲି˚ କରିବାକୁ ଦିଆଯାଇଥିଲା ବେଳେ ଚତୁର୍ଥ ବଲ୍ରେ ର˚ଜିତ ପାଇକରାୟଙ୍କୁ ସେ ଆଉଟ କରିଥିଲେ। ପଞ୍ଚମ ବଲ୍ରେ ନୂଆ ବ୍ୟାଟ୍ସମ୍ୟାନ ଶୁଭମ୍ ନାୟକ ୧ ରନ୍ ନେବାରୁ ମ୍ୟାଚ୍ ବରାବର ସ୍ଥିତିକୁ ଆସିଯାଇଥିଲା। ଶେଷ ବଲ୍କୁ ମାରିବାରେ ନିଶିକାନ୍ତ ରାଉତ ବିଫଳ ହୋଇଥିଲେ, କିନ୍ତୁ ବାଏ’ରେ ରନ୍ ନେବାକୁ ଚେଷ୍ଟା କରୁଥିଲା ବେଳେ ଵିକେଟ ରକ୍ଷକ କ୍ଷମାସାଗର ବଳଙ୍କ ଦ୍ବାରା ଶୁଭମ୍ ରନ୍ଆଉଟ ହୋଇଯାଇଥିଲେ।
ସୁପର ଓଭରରେ ପାନ୍ଥର୍ସ ଅଭିଷେକ ଯାଦବଙ୍କ ୬ ଓ ଆଲୋକ ସାହୁଙ୍କ ୧ ରନ୍ ସହାୟତାରେ ୭ ରନ୍ କରିଥିଲା। କିନ୍ତୁ ଜାଗୁଆର୍ସ ୩ ରନ୍ କରିଥିଲା ବେଳେ ଅଭିଜିତ ବାରିକଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରିଦେଇଥିଲେ। ଏହାପରେ ପଞ୍ଚମ ବଲ୍ରେ କ୍ଷମାସାଗର ବଳ ରନ୍ ଆଉଟ ହୋଇଯିବାରୁ ପାନ୍ଥର୍ସ ପଞ୍ଚମ ବିଜୟ ପାଇଯାଇଥିଲା। ଅପରାଜିତ ୩୨ ରନ୍ କରିଥିବା ବିଜୟୀ ଦଳର ନିଶିକାନ୍ତ ରାଉତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ରୂପେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପୁରସ୍କାର ପ୍ରଦାନ କରିଥିଲେ। ସୋମବାର ଚିତାସ୍ ଓ ଜାଗୁଆର୍ସ ମଧ୍ୟରେ ପ୍ରଥମ ଏବ˚ ପାନ୍ଥର୍ସ ଓ ପ୍ୟୁମାସ୍ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ।
ଲାୟନ୍ସ ୬୭ ରନ୍ରେ ବିଜୟୀ
ରବିବାରର ଦ୍ବିତୀୟ ମ୍ୟାଚରେ ଓଡ଼ିଶା ଲାୟନ୍ସ ୬୭ ରନ୍ରେ ଓଡ଼ିଶା ଟାଇଗର୍ସକୁ ହରାଇଛି। ଟସ୍ ଜିତି ବ୍ୟାଟି˚ କରିଥିବା ଲାୟନ୍ସ ନିର୍ଧାରିତ ୨୦ ଓଭରରେ ୮ ଵିକେଟ ବିନିମୟରେ ୧୪୭ରନ୍ ସ˚ଗ୍ରହ କରିଥିଲା। ରାକେଶ ପଟ୍ଟନାୟକ ୨୩, ନୌତମ ଭଞ୍ଜ ୨୬, ସୁଜିତ ଲେଙ୍କା ୩୨, ଦୀପକ ବେହେରା ୨୭ ରନ୍ କରିଥିଲାବେଳେ ଟାଇଗର୍ସର ବି.ଶିବା ଓ ଶେଖର ମାଝୀ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ। ଜବାବରେ ଟାଇଗର୍ସ ନିୟମିତ ଭାବେ ଵିକେଟ ହରାଇ ନିର୍ଧାରିତ ୨୦ ଓଭରରେ ୯ ଵିକେଟ ହରାଇ ୮୦ ରନ୍ କରିପାରିଥିଲା। ହର୍ଷିତ ରାଥୋଡ ସର୍ବାଧିକ ୨୭ ରନ୍ ସ˚ଗ୍ରହ କରିଥିଲେ। ନୌତମ ଭଞ୍ଜ ୩, ଆଲୋକ ମଙ୍ଗରାଜ, ଶିବାଶିଷ ସାହୁ, ରାକେଶ ପଟ୍ଟନାୟକ ପ୍ରତ୍ୟେକ ୨ ଵିକେଟ ଲେଖାଏଁ ଅକ୍ତିଆର କରିଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ କରିଥିବାରୁ ନୌତମ ଭଞ୍ଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।