ପନ୍ତ୍‌, ହୁଦା ଇଣ୍ଡିଆ-ଏ’କୁ ଦେଲେ ଚତୁର୍ଥ ବିଜୟ

ତିରୁବନ୍ତପୁରମ୍‌: ସଂପ୍ରତି ଭାରତ ଗସ୍ତରେ ଥିବା ଇଂଲଣ୍ଡ ଲାୟନ୍‌ସ ଦଳର ପରାଜୟ ଧାରା ଜାରି ରହିଛି। ଭାରତ-ଏ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ଆସିଥିବା ଲାୟନ୍‌ସ ଦଳ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ପ୍ରଥମ ତିନି ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍‌ ସହ ଆଗୁଆ ଶୃଙ୍ଖଳା କବ୍‌ଜା କରିସାରିଥିବା ଭାରତ-ଏ ଦଳ ମଙ୍ଗଳବାର ଚତୁର୍ଥ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ନେଇଛି। ଲୋକେଶ ରାହୁଲ୍‌ (୪୨) ଓ ରିକି ଭୁଇ (୩୫)ଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପରେ ୱି‌କେଟ୍‌ରକ୍ଷକ ଋଷଭ ପନ୍ତ୍‌ (୭୩, ୭୬ ବଲ୍‌, ୬ ଚୌକା, ୩ ଛକା) ଏବଂ ଦୀପକ ହୁଦା (୪୭, ୪୭ ବଲ୍‌, ୨ ଚୌକା, ୨ ଛକା)ଙ୍କ ଦ୍ରୁତ ପାଳି ବଳରେ ଭାରତ-ଏ ଦଳ ୨୧ ବଲ୍‌ ପୂର୍ବରୁ ସହଜ ବିଜୟ ହାସଲ କରିଥିଲା। ପନ୍ତ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ଇଂଲଣ୍ଡ ଦଳ ଓଜେ ପୋପେ (୬୫) ଓ ଏସ୍‌ଜେ ମୁଲାନି (୫୮)ଙ୍କ ଅର୍ଧଶତକ ବଳରେ ୮ ୱିକେଟ୍‌ ହରାଇ ୨୨୧ ରନ୍‌ କରିଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ସାର୍ଦୁଲ ଠାକୁର ୪୯ ରନ୍‌ରେ ୪ ଓ ଦୀପକ୍‌ ଚହର୍‌ ୩୮ ରନ୍‌ରେ ୨ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ୨୭.୩ ଓଭର ବେଳକୁ ୧୦୨ ରନ୍‌ରେ ଭାରତ ୪ ୱିକେଟ୍‌ ହରାଇଥିଲା। ଗାଏକ୍ବାର୍ଡ (୦) ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ଅଧିନାୟକ ଅଙ୍କିତ ବା‌େଉଁ ୧୨ ରନ୍‌ କରିଥିଲେ। ତେବେ ପନ୍ତ୍‌ ଓ ହୁଦା ଅସମାପ୍ତ ପଞ୍ଚମ ୱିକେଟ୍‌ରେ ୧୯ ଓଭରରୁ ୧୨୦ ରନ୍‌ ଆଦାୟ କରିବାରୁ ଭାରତ ୪୬.୩ ଓଭରରେ ବିଜୟ ଲକ୍ଷ୍ୟ ୨୨୨ରେ ପହଞ୍ଚି ଯାଇଥିଲା। ଏଥି ସହିତ ଭାରତ ଶୃଙ୍ଖଳାରେ ୪-୦ର ଅଗ୍ରଣୀ ପାଇଯାଇଛି। ପଞ୍ଚମ ତଥା ଶେଷ ମ୍ୟାଚ୍‌ ଆସନ୍ତା ୩୧ ତାରିଖ ଦିନ ଖେଳାଯିବ।

ସମ୍ବନ୍ଧିତ ଖବର