ପିତାଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ପନ୍ତଙ୍କ ଆବେଗଭରା ବାର୍ତ୍ତା

ମୁମ୍ବାଇ: ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ ନିଜ ଇନ୍‌ଷ୍ଟାଗ୍ରାମରେ ଦିବଂଗତ ପିତାଙ୍କ ପାଇଁ ଆବେଗଭରା ବାର୍ତ୍ତା ପୋଷ୍ଟ କରିଛନ୍ତି। ୨୦୧୭ରେ ଋଷଭ ତାଙ୍କ ପିତାଙ୍କୁ ହରାଇଥିଲେ। ପିତାଙ୍କ ଭଲ ପାଇବା, ନିଜ ଇଛାନୁଯାୟୀ ଜୀବନ ଗଢ଼ିବାକୁ ଉତ୍ସାହିତ କରିବା ଏବଂ ତାଙ୍କ ସହଯୋଗରେ କିଭଳି ନିଜକୁ ଦୃଢ଼ କରିଛନ୍ତି ଏହି ବାର୍ତ୍ତାରେ ଋଷଭ ପ୍ରକାଶ କରିଛନ୍ତି। ‘‌‘ସେ ମୋତେ ଭଲ ପାଉଥିଲେ, ମୁଁ କିଭଳି ହେବାକୁ ଚାହୁଁଛି ତାହାକୁ ଗ୍ରହଣ ବି କରିଥିଲେ। ପିତାମାନେ ଏହି କାରଣରୁ ଦୃଢ଼। ସେମାନଙ୍କ ଶକ୍ତି ଆମକୁ ସୁରକ୍ଷା ଭାବନା ଦେଇଥାଏ। ବର୍ତ୍ତମାନ ବାପା ତୁମେ ସ୍ବର୍ଗରେ, ମୁଁ ଜାଣିଛି ତୁମେ ସର୍ବଦା ମୋତ‌େ ସୁରକ୍ଷା ଦେଇ ଆସୁଥିବ। ମୋ ପିତା ହୋଇଥିବାରୁ ଧନ୍ୟବାଦ। ପୁନର୍ବାର ତୁମ ସହିତ ସାକ୍ଷାତ ନହେବା ପର୍ଯ୍ୟନ୍ତ ତୁମକୁ ଭଲ ପାଉଥିବି ଏବଂ ମନେ ପକାଉଥିବି’’ ବୋଲି ଋଷଭ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ଋଷଭଙ୍କ ପିତା ରାଜେନ୍ଦ୍ର ପନ୍ତଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା। ତାଙ୍କ ମୃତ୍ୟୁର ଦୁଇ ଦିନ ପରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳୁଥିବା ଋଷଭ ଅର୍ଦ୍ଧଶତକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର