ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ବାଧା ଅତିକ୍ରମ କରି ସୁପର-୧୨ରେ ପ୍ରବେଶ କରିଛନ୍ତି ସ୍କଟ୍ଲାଣ୍ଡ ଓ ବାଂଲାଦେଶ। ଗ୍ରୁପ୍-ବି’ରେ ଅପରାଜେୟ ରହି ସ୍କଟ୍ଲାଣ୍ଡ (୩ରୁ ୩ ବିଜୟ) ଶୀର୍ଷ ସ୍ଥାନ ଦଖଲ କରି ଏହି ଯୋଗ୍ୟତା ହାସଲ କରିଛି। ସେହିପରି ବାଂଲାଦେଶ (୩ରୁ ୨ ବିଜୟ) ଦ୍ବିତୀୟ ସ୍ଥାନରେ ରହି ସୁପର-୧୨ ଟିକେଟ୍ କରାୟତ୍ତ କରିଛି। ଏହି ଗ୍ରୁପ୍ ବିଜେତା ସ୍କଟ୍ଲାଣ୍ଡ୍ ସୁପର-୧୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫ୍ଗାନିସ୍ତାନ ସହ ଗ୍ରୁପ୍-ବି’ରେ ସ୍ଥାନ ପାଇଛି। ଦ୍ବିତୀୟ ସ୍ଥାନ ଦଳ ବାଂଲାଦେଶ ସୁପର-୧୨ ଗ୍ରୁପ୍-ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ସହ ସାମିଲ ହୋଇଛି। ଅନ୍ୟପକ୍ଷରେ ଯୋଗ୍ୟତାପର୍ଯ୍ୟାୟ ଗ୍ରୁପ୍-ଏ’ରୁ ଶ୍ରୀଲଙ୍କା ସୁପର-୧୨ ସ୍ଥାନ ପକ୍କା କରିସାରିଥିଲା ବେଳେ ଆୟର୍ଲାଣ୍ଡ୍ ଓ ନାମିବ୍ୟା ମଧ୍ୟରୁ ଗୋଟିଏ ଦଳ ଯିବ।
ହ୍ୟାଟ୍ରିକ୍ ପରାଜୟ ସହ ପାପୁଆ ନ୍ୟୁଗିନିର ବିଦାୟ
ମସ୍କଟ: ତୃତୀୟ ପ୍ରଥମ ରାଉଣ୍ଡ ମୁକାବିଲାରେ ପାପୁଆ ନ୍ୟୁଗିନିକୁ ୮୪ ରନ୍ରେ ହରାଇ ବାଂଲାଦେଶ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୧୨ ପର୍ଯ୍ୟାୟରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚ୍ରେ ଅପ୍ରତ୍ୟାଶିତ ଭାବେ ସ୍କଟଲାଣ୍ଡଠାରୁ ୬ ରନ୍ରେ ପରାଜିତ ହେବା ପରେ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଲଗାତାର ବିଜୟ ହାସଲ କରି ଏଭଳି ସଫଳତା ଲାଭ କରିଛି ବାଂଲାଦେଶ। ଦ୍ବିତୀୟ ମ୍ୟାଚ୍ରେ ୨୬ ରନ୍ରେ ଓମାନକୁ ହରାଇଥିବା ଏହି ଏସୀୟ ପାୱାର ହାଉସ୍ ଦଳ ଗୁରୁବାର ପାପୁଆ ନ୍ୟୁଗିନିକୁ ହରାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥିଲା। ଫଳରେ ୩ ମ୍ୟାଚ୍ରୁ ୪ ପଏଣ୍ଟ ଏବଂ ୧.୭୩୩ର ନେଟ୍ ରନ୍ ରେଟ୍ ବଳରେ ଗ୍ରୁପ୍-ବି’ର ପ୍ରଥମ ଦଳ ଭାବେ ସୁପର-୧୨ ଟିକେଟ ହାସଲ କରି ନେଇଥିଲା।
ଆଜିର ଏହି ଏକତରଫା ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିଥିଲା। ଅଧିନାୟକ ମାହମଦୁଲ୍ଲା (୫୦ ରନ୍, ୨୮ ବଲ୍, ୩ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଅଲରାଉଣ୍ଡର ସକିବ-ଅଲ୍-ହାସନଙ୍କ ଦ୍ରୁତ ୪୬ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୧ ରନ୍ କରି ନେଇଥିଲା। ୧୮୨ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିବା ଅନଭିଜ୍ଞ ପାପୁଆ ନ୍ୟୁଗିନି ପାଇଁ ଏକପ୍ରକାର ଅସାଧ୍ୟ ମନେ ହେଉଥିଲା। ଶେଷରେ ଏହା ମଧ୍ୟ ପ୍ରମାଣିତ ହୋଇଥିଲା। ବାଂଲା ବୋଲରଙ୍କ ମୁକାବିଲା କରିବାରେ ପାପୁଆ ନ୍ୟୁଗିନି ବ୍ୟାଟର୍ ପୂରା ବିଫଳ ହୋଇଥିଲେ। ଫଳରେ ମାତ୍ର ୨୯ ରନ୍ରେ ୭ ୱିକେଟ୍ ହରାଇ ଏହି ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସର୍ବନିମ୍ନ ଦଳଗତ ସ୍କୋର କରିବାର ଦ୍ବାର ଦେଶରେ ପହଞ୍ଚିଯାଇଥିଲା। ହେଲେ ୱିକେଟ୍ ରକ୍ଷକ କିପଲିନ୍ ଦୋରିଗାଙ୍କ ଅପରାଜିତ ୪୬ ରନ୍ ବଳରେ ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୯୭ ରନ୍ କରିବା ସହ କିଛିଟା ସମ୍ମାନ ଫେରି ପାଇଥିଲା। ତେବେ ଦୋରିଗାଙ୍କ ଛଡ଼ା ଏହି ଦଳର ଆଉ ଜଣେ ମାତ୍ର ବ୍ୟାଟର୍ ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଏକଅଙ୍କ ଆଗକୁ ବଢ଼ି ପାରିନଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସକିବ (୪୬, ୪/୯) ଲଗାତାର ଦ୍ବିତୀୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରି ଅଲୋଡ଼ା ହ୍ୟାଟ୍ରିକ୍ରେ ପାପୁଆ ନ୍ୟୁଗିନିର ବିଶ୍ବକପ୍ ଅଭିଯାନର ଦୁଃଖଦ ପରିସମାପ୍ତି ଘଟିଥିଲା।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୮୧/୭ (ମହମଦୁଲ୍ଲା ୫୦, ସକିବ-ଅଲ୍-ହାସନ ୪୬, ଲିଟନ ଦାସ ୨୯, କାବୁଆ ମୋରିଆ ୨/୨୬, ଅସଦ ଭଲା ୨/୨୬, ଦାମିଏନ୍ ରଭୁ ୨/୪୦। ପାପୁଆ ନ୍ୟୁଗିନି ୧୯.୩ ଓଭରରେ ୯୭ (କିପଲିନ ଦୋରିଗା ୪୬*, ଚାଡ ସୋପର ୧୧, ସକିବ-ଅଲ-ହାସନ ୪/୯, ତସ୍କିନ ଅହମ୍ମଦ ୨/୧୨, ମହମ୍ମଦ ସୈଫୁଦ୍ଦିନ ୨/୨୧)।
ଓମାନ୍ର ଅଭିଯାନ ଶେଷ
ଗ୍ରୁପ୍-ବି’ ଯୋଗ୍ୟତା ପର୍ଯ୍ୟାୟର ଗୁରୁବାର ଶେଷ ଲିଗ୍ ମ୍ୟାଚ୍ରେ ସ୍କଟ୍ଲାଣ୍ଡ ୮ ୱିକେଟ୍ରେ ଓମାନ୍କୁ ପରାସ୍ତ କରିଛି। ୧୨୩ ରନ୍ର ବିଜୟ ଲକ୍ଷ୍ୟକୁ ପଶ୍ଚାତ୍ଧାବନ କରିଥିବା ସ୍କଟ୍ଲାଣ୍ଡ ୨ ୱିକେଟ୍ ହରାଇ ୧୭ ବଲ୍ ପୂର୍ବରୁ ଏହି ବିଜୟ ହାସଲ କରିଥିଲା। ମ୍ୟାଥ୍ୟୁ କ୍ରସ (୨୬* ରନ୍) ଏବଂ ରିଚି ବେରିଂଟନ୍ (୩୧* ରନ୍) ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ। କେବଳ ଅଧିନାୟକ କାଇଲ କୋଏଜର (୪୧ ରନ୍) ଏବଂ ଜର୍ଜ ମୁନ୍ସି (୨୦ ରନ୍) ଆଉଟ୍ ହୋଇଥିଲେ। ଏହି ଦୁଇ ୱିକେଟ୍କୁ ଫୟଜ ଭଟ୍ଟ ଓ ଖୱାର ଅଲୀ ନେଇଥିଲେ। ଏହି ବିଜୟ ସହ ସ୍କଟ୍ଲାଣ୍ଡ ୩ ମ୍ୟାଚ୍ରୁ ୩ ଜିତି ଗ୍ରୁପ୍ ବିଜେତା ସହ ସୁପର-୧୨ରେ ନିଜ ସ୍ଥାନ ପକ୍କା କରିନେଇଛି। ବୋଲିଂ ସଫଳତା ପାଇଁ ଜୋସ୍ ଡାଭେ (୪-୦-୨୫-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପୂର୍ବରୁ ଓମାନକୁ ୧୨୨ ରନ୍ରେ ଅଟକାଇଛି ସ୍କଟଲାଣ୍ଡ। ଗ୍ରୁପ୍-ବି’ରୁ ସୁପର-୧୨ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ ପାଇଁ ଗୁରୁତ୍ବପୂର୍ଣ୍ଣ ତଥା କର ବା ମର ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଓମାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ବିତୀୟ ବଲ୍ରେ ଫର୍ମରେ ଥିବା ଜତିନ୍ଦର ସିଂହ (୦) ରନ୍ ଆଉଟ୍ ହୋଇ ଫେରିବା ଦଳ ପାଇଁ ବଡ଼ ଝଟ୍କା ଥିଲା। ଏହାପରେ ପ୍ରଜାପତି କଶ୍ୟପ (୩)ଙ୍କୁ ସଫିଆନ୍ ସରିଫ ଆଉଟ୍ କରି ସ୍କଟ୍ଲାଣ୍ଡକୁ ଦ୍ବିତୀୟ ସଫଳତା ଦେଇଥିଲେ। ୩ ଓଭରରେ୧୩/୨ରେ ଓମାନ ସଂଘର୍ଷ କରୁଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର୍ ଆକିବ ଲିଆସ (୩୭ ରନ୍), ମହମ୍ମଦ ନଦୀମ (୨୫ ରନ୍) ଏବଂ ଅଧିନାୟକ ଜୀଶାନ ମାସୁଦ (୩୪ ରନ୍) ଉପଯୋଗୀ ପାଳି ଖେଳିବାରୁ ଦଳୀୟ ସ୍କୋର୍ ୧୦୦ ପାର୍ କରିଥିଲା। ହେଲେ ଶେଷ ବ୍ୟାଟର୍ମାନେ ବିଫଳ ହେବାରୁ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲା ଓମାନ। ଲିଆସ, ନଦୀମ ଓ ମାସୁଦଙ୍କ ଛଡ଼ା ଅନ୍ୟ କୌଣସି ଓମାନ୍ ବ୍ୟାଟର୍ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ। ସ୍କଟଲାଣ୍ଡର ଜୋସ ଦାଭେ ୩, ସଫିଆନ ସରିଫ ଓ ମାଇକେଲ ଲିସ୍କ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଓମାନ ୨୦ ଓଭରରେ ୧୨୨ (ଆକିବ ଲିଆସ ୩୭, ଜୀଶାନ ମାସୁଦ ୩୪, ମହମ୍ମଦ ନଦୀମ ୨୫, ଜୋସ ଡାଭେ ୩/୨୫, ସଫିଆନ ସରିଫ ୨/୨୫, ମାଇକେଲ ଲିସ୍କ ୨/୧୩)। ସ୍କଟ୍ଲାଣ୍ଡ ୧୭ ଓଭରରେ ୧୨୩/୨ (କାଇଲ କୋଏଜର ୪୧, ରିଚି ବେରିଂଟନ୍ ୩୧*, ମ୍ୟାଥ୍ୟୁ କ୍ରସ ୨୬*, ଫୟଜ ଭଟ୍ଟ ୧/୨୬, ଖୱାର ଅଲୀ ୧/୨୭)।