କ୍ରୀଡ଼ା ଦିବସରେ କମାଲ, ଦିନକରେ ୩ ପଦକ

ଟୋକିଓ : ଜାତୀୟ କ୍ରୀଡ଼ା ଦିବସରେ ଭାରତୀୟ ପାରା ଆଥଲେଟ୍‌ମାନେ କମାଲ କରିଛନ୍ତି। ଗୋଟିଏ ଦିନରେ ୩ ପଦକ ଜିତି ସମଗ୍ର ଦେଶକୁ ସ୍ବତନ୍ତ୍ର ଓ ସ୍ମରଣୀୟ ଉପହାର ପ୍ରଦାନ କରିଛନ୍ତି। ରବିବାର ଭାରତକୁ ଏହି ପଦକଗୁଡ଼ିକ ମହିଳା ଏକକ ‌‌ଟେବୁଲ ଟେନିସ୍, ପୁରୁଷ ଉଚ୍ଚ ଡିଆଁ (ଟି-୪୭) ଏବଂ ପୁରୁଷ ଡିସକସ୍‌ (ଏଫ୍‌-୫୨)ରୁ ମିଳିଛି। ସୋମବାର ମଧ୍ୟ ଭାରତୀୟ ଦଳକୁ ଆଉ ୩ ପଦକ ମିଳିବାର ଆଶା ରହିଛି। ରବିବାର ପଦକ ବିଜେତାଙ୍କ ମଧ୍ୟରେ ଅଛନ୍ତି ଗୁଜୁରାଟର ଭାବିନା ପଟେଲ, ହିମାଚଳପ୍ରଦେଶର ନିଶାଦ କୁମାର ଏବଂ ହରିୟାଣାର ବିନୋଦ କୁମାର। ଓଡ଼ିଶାର ପ୍ରମୋଦ ଭଗତ ଗୁରୁବାର ପୁରୁଷ ଏକକ ବ୍ୟାଡମିଣ୍ଟନ୍‌ରେ ନିଜ ଅଭିଯାନ ଆରମ୍ଭ କରିବେ। ତାଙ୍କଠାରୁ ଦେଶ ଏକ ସ୍ବର୍ଣ୍ଣ ଆଶା କରୁଛି। ପ୍ରମୋଦ ସଂପ୍ରତି ନିଜ ବର୍ଗରେ ବିଶ୍ବ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବାରୁ ଏହି ଆଶା ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାବିନା ରଚିଲେ ଇତିହାସ ଟିଟିରୁ ଜିତିଲେ ପ୍ରଥମ ପଦକ
ସମଗ୍ର ଦେଶ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥିକୁ କରୋନା ନିୟମ ଭିତରେ ପାଳନ କରୁଥିଲା ବେଳେ ରବିବାର ସକାଳୁ ସକାଳୁ ଭାବିନା ଦେଶବାସୀଙ୍କୁ ଦେଇଥିଲେ ବଡ଼ ଖୁସି ଖବର। ଏକକ ଟିଟିରେ ରୌପ୍ୟ ପଦକ ଜିତିବାରେ ସେ ହୋଇଥିଲେ ଦେଶର ପ୍ରଥମ ମହିଳା। ସେହିଭଳି ପାରାଲିମ୍ପିକ୍ସରେ ପଦକ ଜିତିବାରେ ଦୀପା ମଲ୍ଲିକଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। ୩୪ ବର୍ଷୀୟା ଭାବିନା ଫାଇନାଲକୁ ଯିବା ପରେ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟରେ ଥିଲେ। ତେବେ ଆଜିର ଫାଇନାଲ୍‌ରେ ସେ ଚୀନ୍‌ର ୟିଙ୍ଗ ଝୋଉଙ୍କଠାରୁ ୭-୧୧, ୫-୧୧, ୬-୧୧ରେ ପରାଜିତ ହୋଇଥିଲେ। ତଥାପି ଫାଇନାଲ୍ ପ୍ରବେଶ କରିଥିବାରୁ ଦ୍ବିତୀୟ ସ୍ଥାନ ପାଇ ରୌପ୍ୟ ପଦକ ହାସଲ କରି ନେଇଥିଲେ। ଚଳିତ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଏହା ଭାରତର ପ୍ରଥମ ପଦକ ଥିଲା। ନିଜ ପଦକକୁ ଭାବିନା ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଉତ୍ସର୍ଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ଭାବିନା ଯେତେବେଳେ ମାତ୍ର ବର୍ଷକର ହୋଇଥିଲେ ପୋଲିଓଗ୍ରସ୍ତ ଥିବା ଜଣାପଡ଼ିଥିଲା। ୧୩ ବର୍ଷ ପୂର୍ବେ ସେ ଟିଟି ଖେଳିବା ଆରମ୍ଭ କରିଥିଲେ। ଭାବିନାଙ୍କୁ ତାଙ୍କର ଏହି ସଫଳତା ଲାଗି ଗୁଜୁରାଟ ସରକାର ୩ କୋଟି ଏବଂ ଭାରତୀୟ ଟେବୁଲ ଟେନିସ୍ ସଂଘ ୩୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।

ଉଚ୍ଚ ଡିଆଁରେ ନିଶାଦଙ୍କ ଏସୀୟ କୀର୍ତ୍ତିମାନ
ଭାବିନାଙ୍କ ପରେ ପୁରୁଷ ଉଚ୍ଚ ଡିଆଁରୁ ଭାରତୀୟ ପ୍ରତିଯୋଗୀ ନିଶାଦ କୁମାର ମଧ୍ୟ ରୌପ୍ୟ ପଦକ ହାସଲ କରିନେଇଥିଲେ। ଟି-୪୭ ବର୍ଗରେ ସେ କେବଳ ଭାରତ ପାଇଁ ଦ୍ବିତୀୟ ପଦକ ଜିତିନଥିଲେ ବରଂ ୨.୦୬ ମିଟର ଉଚ୍ଚତାକୁ ସଫଳତାର ସହ ଡେଇଁ ନୂଆ ଏସୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଆମେରିକାର ଡଲାସ୍ ୱାଇଜ୍ ମଧ୍ୟ ଏହି ଇଭେଣ୍ଟରେ ରୌପ୍ୟ ପଦକ ପାଇଥିଲେ। କାରଣ ଉଭୟ ସମାନ ଉଚ୍ଚତା ଡେଇଁଥିଲେ। ହିମା‌ଚଳପ୍ରଦେଶର ଉନାଓ ଜିଲ୍ଲା ବାସିନ୍ଦା ତଥା ୨୧ ବର୍ଷୀୟ ନିଶାଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଅଭିନନ୍ଦନ ଜଣାଇଥିଲେ। ମୋଦି ମଧ୍ୟ ଭାବିନାକୁ ଅଭିନନ୍ଦନ ଜ୍ଞାପନ କରିଥିଲେ।

ଡିସକସ୍‌ରେ ବିନୋଦ କୁମାରଙ୍କୁ କାଂସ୍ୟ
ସୀମା ସୁରକ୍ଷା ବାହିନୀର ପୂର୍ବତନ ଯବାନ ତଥା ହରିୟାଣା ଆଥ୍‌ଲେଟ୍ ବିନୋଦ କୁମାର ପୁରୁଷ ଡିସ୍‌କସ୍‌ରେ ଭାରତ ପାଇଁ ତୃତୀୟ ପଦକ ଜିତିଥିଲେ। ଏଫ୍‌-୫୨ ବର୍ଗରେ ୧୯.୯୧ ମିଟର ଦୂରତାକୁ ଡିସକସ୍ ଫିଙ୍ଗି ନୂଆ ଏସୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ ସେ। ତେବେ ନିଜ ବର୍ଗର ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥି‌ଲେ। ପୋଲାଣ୍ଡର ପିଓଟର କୋସେୱିଜ୍ (୨୦.୦୨ ମିଟର) ସ୍ବର୍ଣ୍ଣ ପଦକ ଜିତିବା ସହ କ୍ରୋଏସିଆର ଭେଲିମିର ସାଣ୍ଡୋର ରୌପ୍ୟ ପଦକ ପାଇଥିଲେ। ବିନୋଦ ପଦକ ଜିତିବା ପରେ ହରିୟାଣାରେ ଖୁସିର ଲହରି ଖେଳିଯାଇଛି। ଡିସ୍‌କସ୍ ଫିଙ୍ଗିବା ଆରମ୍ଭ କରିବା ପୂର୍ବରୁ ବିନୋଦ କୁମାର ଏକ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ।

ପଦକକୁ ନେଇ ବିବାଦ
ଭାରତ ରବିବାର ଟୋକିଓ ପାରାଲିମ୍ପିକ୍ସରେ ତିନିଟି ପଦକ ଜିତିଛି। ହେଲେ ବିନୋଦ କୁମାର ଏଫ୍‌-୫୨ ପୁରୁଷ ଡିସକସ୍‌ରେ ଜିତିଥିବା କାଂସ୍ୟ ପଦକ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ ଖେଳିବା ବର୍ଗକୁ ନେଇ କିଛି ଦେଶ ଆପତ୍ତି ଉଠାଇଛନ୍ତି। ଆୟୋଜକମାନେ କିନ୍ତୁ ଅଗଷ୍ଟ ୨୨ରେ ହିଁ ତାଙ୍କ କ୍ଲାସିଫିକେସନ୍ ବା ଇଭେଣ୍ଟ ବର୍ଗ ନିର୍ଣ୍ଣୟ କରିଥିଲେ। ଏହା ସତ୍ତ୍ବେ ବିନୋଦଙ୍କୁ ଆଜି ପଦକ ମିଳିନି। ତାଙ୍କ ଖେଳର ପଦକ ଉତ୍ସବକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାର ସମୀକ୍ଷା କରାଯାଉଛି ଏବଂ ସୋମବାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆୟୋଜକମାନେ କହିଛନ୍ତି। କେଉଁ କାରଣରୁ ତାଙ୍କ କ୍ରୀଡ଼ାବର୍ଗକୁ ନେଇ ଅନ୍ୟ ପ୍ରତିଯୋଗୀମନେ ଆପତ୍ତି ଉଠାଇଛନ୍ତି ସେ ବିଷୟରେ କିନ୍ତୁ ସେମାନେ କିଛି କହି ନାହାନ୍ତି। ବିନୋଦଙ୍କ ନାଁ ଏବେବି ପଦକ ବିଜେତା ତାଲିକାର ତୃତୀୟ ସ୍ଥାନରେ ଥିବା ଭାରତୀୟ ଦଳର ଡିଫ୍ ଡି’ ମିସନ୍ ଗୁରସରଣ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର