ରାଜରାସ୍ତାକୁ ଓହ୍ଲାଇବେ ପାରା ଆଥଲେଟ୍: କ୍ରୀଡ଼ା ଦିବସକୁ କଳା ଦିବସ ଭାବେ ପାଳିବୁ

ଆମ ସହ ପାତରଅନ୍ତର ହେଉଛି, ଚାକିରି ଖଣ୍ଡେ ପାଇଁ ଦୌଡ଼ିଦୌଡ଼ି ଥକିଗଲୁଣି

ଭୁବନେଶ୍ବର: ପ୍ରମୋଦ ଭଗତ ଯେତେବେଳେ ବିଶ୍ବ ବିଜେତା ହେଲେ ଆମ ଛାତି ଗର୍ବରେ ଫାଟି ପଡ଼ିଲା। ଅର୍ଜୁନ ପୁରସ୍କାର ପାଇଲା ବେଳେ ଓଡ଼ିଆ ପୁଅ କହି ଆମେ ତାଙ୍କୁ ପ୍ରଶଂସାରେ ପୋତିଦେଲେ। ତାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ପରେ ଓଡ଼ିଶାକୁ ପ୍ରମୋଦ ହିଁ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିବେ ବୋଲି ଦୃଢ଼ ଆଶା ପୋଷଣ କଲେ। ରାଜ୍ୟ ସରକାର ବି ଦେଶର କ୍ରୀଡ଼ା କ୍ୟାପିଟାଲ ଓଡ଼ିଶାରୁ ଆଉ ଜଣେ କ୍ରୀଡ଼ାବିତ୍ ଅର୍ଜୁନ ପୁରସ୍କାର ପାଇବାକୁ ନେଇ ଢେର ଗର୍ବ କଲେ। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ବିଭାଗର ଛୋଟ ବଡ଼ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ନେଇ ଗର୍ବ କଲେ। ହେଲେ ଦୁଃଖର କଥା ହେଲା ଟୋକିଓ ଅଲିମ୍ପିକ୍ସ‌ରେ ରାଜ୍ୟର ଟେକ ରଖିବାକୁ ଯାଉଥିବା ସେହି ପ୍ରମୋଦଙ୍କୁ ରାଜ୍ୟ ସରକାର ଏବେ ବି ଚାକିରିଟିଏ ଦେଇ ନାହାନ୍ତି। ପ୍ରମୋଦ ହୁଅନ୍ତୁ ବା ଜୟନ୍ତୀ ବେହେରା, ମାର୍କଣ୍ଡ ରେଡ୍ଡୀଙ୍କଠାରୁ ଆରମ୍ଭ କରି ରାଖାଲ କୁମାର ସେଠୀଙ୍କ ପର୍ଯ୍ୟନ୍ତ ଓଡ଼ିଶାର ଏମିତି ଅନେକ ପାରାଆଥଲେଟ୍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏବେ ରାଜ୍ୟରେ ୧୩ରୁ ଅଧିକ ଅନ୍ତର୍ଜାତୀୟ ପାରାଆଥଲେଟ୍ ଥିଲା ବେଳେ ୫୦ରୁ ଅଧିକ ଜାତୀୟସ୍ତରୀୟ ଖେଳାଳି ଅଛନ୍ତି। ହେଲେ ସେମାନେ କ’ଣ ସାଧାରଣ କ୍ରୀଡ଼ାବିତଙ୍କ ଭଳି ସୁବିଧା ସୁଯୋଗ ପାଉଛନ୍ତି? ନିଶ୍ଚିତ ଭାବେ ନା। ସାଧାରଣ କ୍ରୀଡ଼ାବିତ୍‌ଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସହ ପର୍ଯ୍ୟାପ୍ତ କର୍ମନିଯୁକ୍ତି ଦେଇଥିବାର ଦାବି କରୁଥିବା ଓଡ଼ିଶା ସରକାର ପାରାଆଥଲେଟ୍‌ଙ୍କ କଥା ପଡ଼ିଲେ କାହିଁକି କେଜାଣି ଚୁପ୍ ରହୁଛନ୍ତି। ସେମାନଙ୍କ ଫାଇଲ୍ ଅଧାରୁ ଅଟକି ଯାଉଛି। ଗତ ୬ ବର୍ଷ ହେଲା ସମାନ ଅଧିକାର ଦାବି କରି ଲଢ଼େଇ କରି ଆସୁଥିଲେ ମଧ୍ୟ ଏହି ପ୍ରତିଭାବାନ ପାରାଆଥଲେଟ୍‌ମାନେ ଦୁର୍ଭାଗ୍ୟଜନକ ଭାବେ ଏବେ ବି ସେମାନଙ୍କ ନାର୍ଯ୍ୟ ଦାବି ପାଇନାହାନ୍ତି।

ଆଜକୁ ପ୍ରାୟ ୯ ବର୍ଷ ତଳେ ଅର୍ଥାତ୍ ୨୦୧୨ ମସିହାରେ ରାଜ୍ୟ ସରକାର ସାଧାରଣ ଓ ପାରାଆଥଲେଟ୍‌ଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରି ଦେଇଥିଲେ। ଫଳରେ ପାରାଆଥଲେଟ୍‌ମାନେ ବି ସାଧାରଣ କ୍ରୀଡ଼ାବିତ୍‌ଙ୍କ ଭଳି ରାଜ୍ୟସରକାରଙ୍କଠାରୁ ବିଭିନ୍ନ ସୁବିଧା ସୁଯୋଗ ପାଇଥିଲେ। ସେମାନଙ୍କୁ ପ୍ରୋତ୍ସାହନ ରାଶି ବି ମିଳିଥିଲା। ହେଲେ ୨୦୧୬ରେ ଆସିଥିବା ନୂଆ କ୍ରୀଡ଼ାନୀତିରେ ପାରାଆଥଲେଟ୍‌ଙ୍କୁ ନେଇ କୌଣସି ସ୍ପଷ୍ଟ ନିୟମ ରହିଲା ନାହିଁ। ଫଳରେ ସେମାନେ ସାଧାରଣ କ୍ରୀଡ଼ାବିତ୍ ପାଉଥିବା କର୍ମସଂସ୍ଥାନ ବ୍ୟବସ୍ଥାରୁ ଆପାତତଃ ବଞ୍ଚିତ ହେଲେ। ଏ ନେଇ ମନ୍ତ୍ରୀ, ନିର୍ଦ୍ଦେଶକ ଏବଂ ସଚିବଙ୍କ ଦ୍ବାରସ୍ଥ ହେଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ସେଥିପାଇଁ ୨୦୧୯ ମସିହା ଜାନୁଆରି ପହିଲାରେ ପାରାଆଥଲେଟ୍‌ମାନେ ଲୋୟର ପିଏମ୍‌ଜିରେ ଏକତ୍ର ହୋଇ ଧାରଣା ଦେଇଥିଲେ। ସେତେବେଳେ ସେମାନଙ୍କୁ କ୍ରୀଡ଼ା ବିଭାଗର ଅଧିକାରୀମାନେ ବୁଝାଇଶୁଝାଇ ଧାରଣାରୁ ଉଠାଇ ଦେଇଥିଲେ। ସମାନ ଅଧିକାର ନିୟମରେ ଚାକିରି ଦେବା ବେଳେ ସାଧାରଣ କ୍ରୀଡ଼ାବିତ୍‌ଙ୍କ ଭଳି ସେମାନଙ୍କୁ ମଧ୍ୟ ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ପରେ ସଂପୂର୍ଣ୍ଣ ଭୁଲି ଯାଇଥିଲେ।

ସେଥିପାଇଁ ଓଡ଼ିଶା ପାରାପ୍ଲେୟାର୍ସ ଫୋରମ ପକ୍ଷରୁ ପୁଣି ଥରେ ଏଥିନେଇ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଦାବି ପୂରଣ ନହେଲେ ଜାତୀୟ କ୍ରୀଡ଼ା ଦିବସକୁ କଳା ଦିବସ ଭାବେ ପାଳନ କରିବୁ ବୋଲି ଫୋରମର ସଦସ୍ୟମାନେ କହିଛନ୍ତି। ଫୋରମର ସାଧାରଣ ସଂପାଦକ ରାଖାଲ କୁମାର ସେଠୀ କହିଛନ୍ତି ଯେ ଆମକୁ ଚାକିରି କ୍ଷେତ୍ରରେ ସମାନ ଅଧିକାର ମିଳିବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଛି। ଆମେ ଏଥିନେଇ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ସମସ୍ତଙ୍କୁ ଦେଖାକରିଛୁ। ଏପରିକି ସାଧାରଣ ପ୍ରଶାସନ ବିଭାଗକୁ ଯାଇ ଏହି ବିଷୟରେ ଜଣାଇଛୁ। ହେଲେ ଫଳ କିଛି ହୋଇନି। ଆମେ ଲଗାତାର ଚାକିରି ପାଇଁ ଆବେଦନ କରିଆସୁଛୁ। ହେଲେ ଆମକୁ ଜାଣିଶୁଣି ଅଣଦେଖା କରାଯାଉଛି। ସାଧାରଣ କ୍ରୀଡ଼ାବିତ୍‌ଙ୍କୁ ଚାକିରି ମିଳୁ। ଆମକୁ ବି ବିଚାରକୁ ନିଆଯାଉ। ନିକଟରେ ଓଡ଼ିଶା ସରକାର ୩୯ ଜଣ ସାଧାରଣ କ୍ରୀଡ଼ାବିତ୍‌ଙ୍କୁ ପୁଲିସ ଚାକିରି ଦେଲେ। ଆମେ ବି ଆଶାୟୀ ଥିଲୁ। ପ୍ରଦର୍ଶନ ବି କିଛି ଖରାପ ନଥିଲା। କିନ୍ତୁ ଜଣକୁ ବି ଚାକିରି ମିଳିଲାନି। ଏହି ଅନ୍ୟାୟ ବିଷୟରେ ପ୍ରତି ତିନି ମାସରେ ଆମେ କ୍ରୀଡ଼ା ବିଭାଗକୁ ଜଣାଇ ଆସୁଛୁ। ହେଲେ ଦୁଃଖର କଥା ଫଳ କିଛି ବି ହୋଇନି। ପାରାବ୍ୟାଡମିଣ୍ଟନ୍ ତାରକା ସୁନିଲ ପ୍ରଧାନ ମଧ୍ୟ ନିଜ ସଂଘର୍ଷ କାହାଣୀ ବର୍ଣ୍ଣନା କରିବାକୁ ଯାଇ ଚାକିରି ଖଣ୍ଡେ ମିଳିଥିଲେ ମୁଁ ମଧ୍ୟ ଅଲିମ୍ପିକ୍ସ ଯାଇ ପାରିଥା’ନ୍ତି ବୋଲି କହିଛନ୍ତି। ‘‘ଆମେ ସମସ୍ତେ ଅନେକ ଥର କ୍ରୀଡ଼ା‌ କୋଟାରେ ଚାକିରି ପାଇଁ ଆବେଦନ କରିଛୁ। ଜାତୀୟ ଛାଡ଼ନ୍ତୁ ଆମ ଅଲିମ୍ପିଆନ୍ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ବି ରାଜ୍ୟ ସରକାର ଚାକିରି ପାଇଁ ବିଚାରକୁ ନେଉ ନାହାନ୍ତି। ବାରମ୍ବାର ଆବେଦନ କରି କରି ଆମେ ଥକି ଗଲାଣୁ। ବୟସ ବି ବଢ଼ି ବଢ଼ି ଚାଲିଛି। ସେଥିପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛୁ’’ ବୋଲି ସେ କହିଛନ୍ତି। ଫୋରମ ପକ୍ଷରୁ ସୋମବାର ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀ ବି ଡକାଯାଇଛି।

ସମ୍ବନ୍ଧିତ ଖବର