ଭୁବନେଶ୍ବର: ସ୍ପେନ୍ର ଭିଟୋରିଆରେ ଆୟୋଜିତ ସ୍ପାନିସ ପାରାବ୍ୟାଡ୍ମିଣ୍ଟନ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦୀପ ରଂଜନ ବିଶୋୟୀ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ବେଳେ ପ୍ରମୋଦ ଭଗତଙ୍କ ବିଜୟଧାରା ଜାରି ରହିଛି। ଶନିବାର ଯୁଗଳ ସେମିଫାଇନାଲ୍ରେ ଦୀପ୍ ଓ ତାଙ୍କ ଭାରତୀୟ ସାଥୀ ମହମ୍ମଦ ଅର୍ବାଜ ଅନ୍ସରି ୭-୨୧, ୭-୨୧ରେ ନିଜ ଦେଶର ସୁକାନ୍ତ କଦମ ଓ ନିତେଶ କୁମାରଙ୍କଠୁ ହାରି କାଂସ୍ୟ ସହ ବିଦାୟ ନେଇଥିଲେ। ତେବେ ଅଲିମ୍ପିକ୍ ବିଜେତା ପ୍ରମୋଦ ତାଙ୍କ ବିଜୟଧାରା ଜାରି ରଖି ପୁରୁଷ ଯୁଗଳ ଓ ଏକକ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏସ୍ଏଲ୍-୩ ଏକକ ସେମିଫାଇନାଲ୍ରେ ପ୍ରମୋଦ ୨୧-୦୭, ୨୧-୦୭ରେ ନିଜ ଦେଶର ବିକ୍ରମ କୁମାରଙ୍କୁ ଏବଂ ଯୁଗଳରେ ସେ ଏବଂ ତାଙ୍କ ସାଥୀ ମନୋଜ ସରକାର ୨୧-୧୨, ୨୧-୧୫ରେ ଫ୍ରାନ୍ସ ଯୋଡ଼ି ଗୁଇଲାଉମେ ଗେଲି ଓ ମାଥ୍ୟୁ ଥୋମାସଙ୍କୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଏବଂ ତାଙ୍କ ସାଥୀ ପଲକ କୋହଲି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। କ୍ବାର୍ଟର ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୨୦-୨୨, ୨୧-୧୦, ୨୧-୧୬ରେ ଫ୍ରାନ୍ସ ଓ ରୁଷିଆ ଯୋଡ଼ି ଲିନାଗ ମୋରିନ ଓ ପାଭେଲ କୁଲିକୋଭଙ୍କୁ ହରାଇଥିଲେ।
ସ୍ପାନିସ୍ ପାରାବ୍ୟାଡ୍ମିଣ୍ଟନ: ପ୍ରମୋଦଙ୍କ ବିଜୟଧାରା ଜାରି, କାଂସ୍ୟରେ ଦୀପ ସନ୍ତୁଷ୍ଟ
/sambad/media/post_attachments/wp-content/uploads/2022/03/gdg65d4jg65d4j654gd56j.jpg)