ଭୁବନେଶ୍ବର: ନିକଟରେ ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ବୁଧବାର ‌ଘୋଷିତ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ଯୋଡ଼ି ଗତ ୮ ମାସ ହେବ ପୁରୁଷ ଯୁଗଳରେ ଏସ୍‌ଏଲ୍‌-୩ ଓ ଏସ୍‌ଏଲ୍‌-୪ ବର୍ଗରେ ଏକାଠି ଖେଳୁଛନ୍ତି ଏବଂ ଶେଷ ୩ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବ୍ରାଜିଲ ପୂର୍ବରୁ ସ୍ପାନିସ ଓ ଥାଇଲାଣ୍ଡରେ ଏମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ‘‘ମୁଁ ପୁଣି ଥରେ ସୁକାନ୍ତ କଦମଙ୍କ ସହ ଶୀର୍ଷ ସ୍ଥାନ ଦଖଲ କରିଥିବାରୁ ବହୁତ ଖୁସି। ଆମେ ଦୁହେଁ କଠିନ ପରିଶ୍ରମ କରି ଏହି ସ୍ଥାନରେ ପହଞ୍ଚିପାରିଛୁ। ଆଗାମୀ ଦି‌ନରେ ଅଧିକରୁ ଅଧିକ ପଦକ ଜିତି ଦେଶକୁ ଗୌରବାନ୍ବିତ କରିବାକୁ ଚାହୁଁ’’ ବୋଲି ଓଡ଼ିଆ ପୁଅ ପଦ୍ମଶ୍ରୀ ପ୍ରମୋଦ ଭଗତ କହିଛନ୍ତି। ପ୍ରମୋଦ ଓ ସୁକାନ୍ତ ସଂପ୍ରତି ଥାଇଲାଣ୍ଡ ଓ ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଚଳାଇଛନ୍ତି।