ଟୋକିଓରେ ପାରାଲିମ୍ପିକ୍ସ କୀର୍ତ୍ତିମାନ: ସର୍ବାଧିକ ଆଥ୍‌ଲେଟ୍‌ ଓ ମହିଳାଙ୍କ ଅଂଶଗ୍ରହଣ

ଆଜି ଓହ୍ଲାଇବେ ସୋନାଲ, ଭାବିନା

ଟୋକିଓ: ଟୋକିଓ ପାରାଲିମ୍ପିକ୍ସ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ୨୨ କ୍ରୀଡ଼ା ଓ ୨୩ ଶୃଙ୍ଖଳ (ସାଇକ୍ଲିଂରେ ଦୁଇଟି ଶୃଙ୍ଖଳ, ଟ୍ରାକ୍‌ ଓ ରୋଡ୍‌)ରେ ମୋଟ ୪୪୦୩ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୫୫୦ ପୁରୁଷ ଏବଂ ୧୮୫୩ ମହିଳା ସାମିଲ ଅଛନ୍ତି। ତେବେ କୌଣସି ପାରାଲିମ୍ପିକ୍ସରେ ସର୍ବାଧିକ ସଂଖ୍ୟକ ଆଥ୍‌ଲେଟ୍‌ ଏବଂ ମହିଳା ଅଂଶଗ୍ରହଣ କରିବାରେ ଟୋକିଓ କୀର୍ତ୍ତିମାନ ରଚିଛି। ଏହା ପୂର୍ବରୁ କୌଣସି ପାରାଲିମ୍ପିକ୍ସରେ ସର୍ବାଧିକ ସଂଖ୍ୟକ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବାର କୀର୍ତ୍ତିମାନ ରିଓ ରଚିଥିଲା। ୨୦୧୬ ରିଓ ପାରାଲିମ୍ପିକ୍ସରେ ମୋଟ ୪୩୨୮ ଆଥ୍‌ଲେଟ୍‌ ଭାଗ ନେଇଥିଲେ। ଏବେ ମୋଟ ଆଥ୍‌ଲେଟ ଏବଂ ମହିଳାଙ୍କ ସଂଖ୍ୟା ଦୃ‌ଷ୍ଟିରୁ ରିଓକୁ ଟପିଯାଇଛି ଟୋକିଓ। ୨୦୧୬ ରିଓରେ ଅଂଶଗ୍ରହଣକାରୀ ମହିଳା ଆଥ୍‌ଲେଟ୍‌ଙ୍କ ସଂଖ୍ୟା ୧୬୭୧ ଥିଲା ବେଳେ ଟୋକିଓରେ ଏହି ସଂଖ୍ୟା ୧୮୫୩ ରହିଛି। ମହିଳାଙ୍କ ସଂଖ୍ୟା ରିଓ ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଛି।

ଫଳରେ ଟୋକିଓ ସର୍ବବୃହତ୍‌ ପାରାଲିମ୍ପିକ୍ସର ମାନ୍ୟତା‌ ହାତେଇନେଇଛି। ଏଥରର ଆୟୋଜକ ଜାପାନ ୨୩ ଶୃଙ୍ଖଳରେ ୨୫୪ ଆଥ୍‌ଲେଟ୍‌ଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାର ସୁ‌‌ଯୋଗ ଦେଇଛି। ଯାହାକି ପାରାଲିମ୍ପିକ୍ସରେ ଜାପାନର ସର୍ବବୃହତ୍‌ ପ୍ରତିନିଧିତ୍ବ। ଏହା ମଧ୍ୟ ୨୦୧୬ ରିଓ ପାରାଲିମ୍ପିକ୍ସ ତୁଳନାରେ ପ୍ରାୟ ଦୁଇଗୁଣା ଅଧିକ। ରିଓରେ ଜାପାନର ୧୩୨ ପାରା ଆଥ୍‌ଲେଟ୍‌ ଅଂଶଗ୍ରହଣ କରିଥିଲେ। ଚଳିତ ଟୋକିଓ ପାରାଲିମ୍ପିକ୍ସରେ ସବୁଠୁ ଅଧିକ ଅଂଶଗ୍ରହଣକାରୀଙ୍କ ତାଲିକାରେ ଆୟୋଜକ ଜାପାନ ପଛକୁ ଚୀନ୍‌ (୨୪୮ ଆଥ୍‌ଲେଟ୍‌/୨୧ ଶୃଙ୍ଖଳା) ରହିଛି। ଏହା ପଛକୁ ପଛ ଆର୍‌ପିସି (୨୪୩ ଆଥ୍‌ଲେଟ୍‌/୨୦ ଶୃଙ୍ଖଳ), ଆମେରିକା (୨୩୫ ଆଥ୍‌ଲେଟ୍‌/ ୨୦ ଶୃଙ୍ଖଳ) ଏବଂ ବ୍ରାଜିଲ (୨୩୪ ଆଥ୍‌ଲେଟ୍‌/୨୧ ଶୃଙ୍ଖଳ) ରହିଛନ୍ତି। ଆଜିଠାରୁ ଶୁଭାରମ୍ଭ ହୋଇଥିବା ଟୋକିଓ ପାରାଲିମ୍ପିକ୍ସ ସେପ୍ଟେମ୍ବର ୫ ତାରିଖରେ ଉଦ୍‌ଯାପିତ ହେବ। ଏଥିରେ ୨୨ କ୍ରୀଡ଼ାରେ ୫୩୯ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସ ପ୍ରତିଦ୍ବନ୍ଦ୍ବିତା ପର୍ବର ପ୍ରଥମ ଦିନରେ ବୁଧବାର ଦୁଇ ଜଣ ଭାରତୀୟ ମହିଳା ନିଜ ଯାଦୁ ଦେଖାଇବେ। ଏହି ଦୁଇ ଜଣ ‌ହେଲେ ସୋନାଲବେନ୍ ମଧୁଭାଇ ପଟେଲ ଓ ଭାବିନା ହସମୁଖଭାଇ ପଟେଲ। ସୋନାଲ ବୁଧବାର କ୍ଲାସ୍-ଥ୍ରୀ ଟେବୁଲ ଟେନିସରେ ବୁଧବାର ସକାଳ ୭ଟା ୩୦ରେ ଚୀନର ଲି’ କିଆନଙ୍କ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିବେ। ସେହିଭଳି କ୍ଲାସ୍-ଫୋର ମହିଳା ‌ଟେବୁଲ ଟେନିସ୍‌ରେ ଭାବିନା ସଂଧା ୮ଟା ୫୦ରେ ସେହି ଚୀନର ଝୋଉ ୟିଙ୍ଗଙ୍କ ମୁକାବିଲା କରିବେ। ଭାବିନା ଓ ସୋନାଲ ୨୦୧୮ ଏସୀୟ ପାରାକ୍ରୀଡ଼ାରେ ଯୁଗଳବର୍ଗରେ ରୌପ୍ୟ ପଦକ ପାଇଥିଲେ। ଏଥର ଟୋକିଓ ପରାଲିମ୍ପିକ୍ସର ବ୍ୟକ୍ତିଗତ ବର୍ଗରେ ଉଭୟ ପଦକ ଜିତିବା ଆଶାରେ ଅଛନ୍ତି।

ସମ୍ବନ୍ଧିତ ଖବର