ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ପେଙ୍ଗ୍‌ଟାକ୍‌ଠା‌ରେ ଚାଲିଥିବା ଏସିଆ-ଓସେନିଆ ପାରା ଶକ୍ତିଉତ୍ତୋଳନ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଶୁକ୍ରବାର ଭାରତର ଅଶୋକ ମଲିକ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ପୁରୁଷ ୬୫ କେଜି ପର୍ଯ୍ୟନ୍ତ ବର୍ଗରେ ଏକମାତ୍ର ପ୍ରତିଯୋଗୀ ଭାବେ ଅଶୋକ ସମସ୍ତ ୩ ବୈଧ ଉତ୍ତୋଳନରେ ସଫଳତା ହାସଲ କରିଥିଲେ। ସେ ୧୫୦, ୧୬୮ ଓ ୧୭୩ କେଜି ସହିତ ମୋଟ ୪୧୯ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ଅଶୋକ ମଧ୍ୟ ଏହା ବ୍ୟତୀତ ବ୍ୟକ୍ତିଗତ ବର୍ଗରେ ୧୭୩ କେଜି ସହ କାଂସ୍ୟ ପଦକ ଅମଳ କରିଛନ୍ତି।

Advertisment

ଏହା ପୂର୍ବରୁ ଗୁରୁବାର ଅନ୍ୟତମ ଭାରତୀୟ ଫର୍ମନ ବାସା ପୁରୁଷ ୫୪ କେଜି ପର୍ଯ୍ୟନ୍ତ ବର୍ଗରେ ୨ଟି ରୌପ୍ୟ ପଦକ ହାସଲ କରିଥିଲେ। ସେ ସମସ୍ତ ତିନି ରାଉଣ୍ଡରେ ଯଥାକ୍ରମେ ୧୩୦ କେଜି, ୧୩୨ କେଜି ଓ ୧୩୫ କେଜି ଉତ୍ତୋଳନ କରିଥିଲେ। ମୋଟ ୩୯୭ କେଜି ବାସାଙ୍କୁ ରୌପ୍ୟ ଜିତିବାରେ ଯଥେଷ୍ଟ ହୋଇଥିଲା। ୨୦୧୮ ଏସୀୟ ପାରା କ୍ରୀଡ଼ା (ଇଣ୍ଡୋନେସିଆ)ରେ ବାସା ଶେଷଥର ପାଇଁ ପଦକ ଜିତିଥିଲେ। ବାସାଙ୍କଠୁ ୬୮ କେଜି ଅଧିକ ଉଠାଇ ଦକ୍ଷିଣ କୋରିଆର ଜିନ୍‌ ଚୋଇ (୪୬୫ କେଜି) ସ୍ବର୍ଣ୍ଣ ଏବଂ କିର୍ଗିଜସ୍ତାନର ଅଜିଜ୍‌ବେକ୍‌ ଜାମିରବେକ୍‌ (୩୬୨ କେଜି) କାଂସ୍ୟ ପଦକ କରାୟତ୍ତ କରିଥିଲେ। ୨୦୦୬ ପାରା କ୍ରୀଡ଼ା ପରେ ଚୋଇଙ୍କର ମଧ୍ୟ ଏହା ପ୍ରଥମ ପଦକ।