‌ପାରାଲିମ୍ପିକ୍ସ ଉଦ୍‌ଘାଟିତ: ତ୍ରିରଙ୍ଗା ଧରିଲେ ଟେକ୍ ଚାନ୍ଦ

ଟୋକିଓ: ପାରାଲିମ୍ପିକ୍ସ ୨୦୨୦ ମଙ୍ଗଳବାର ଟୋକିଓରେ ଉଦ୍‌ଘାଟିତ ହୋଇଯାଇଛି। ଟୋକିଓ ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସ‌ ଉଦ୍‌ଘାଟନୀ ଉତ୍ସବ ଫାଙ୍କା ଷ୍ଟାଡିୟମରେ ହୋଇଥିଲା। ତଥାପି ‌ଟୋକିଓ ନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମନ ମୋହିଥିଲା। ଏହି ଉଦ୍‌ଘାଟନୀ ସମାରୋହ ବେଳେ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା) ଧରିଥିଲେ ଜାଭ୍‌ଲିନ୍‌ ତାରକା ଟେକ୍‌ ଚାନ୍ଦ। ପୂର୍ବରୁ ଥାଙ୍ଗାଭେଲୁ ମାରିୟାପ୍ପାନ ତ୍ରିରଙ୍ଗା ଧରିବାର ନିଷ୍ପତ୍ତି ହୋଇଥିଲା। ହେଲେ ‌ସେ କରୋନା ପଜିଟିଭ୍‌ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂଗରୋଧରେ ରହିଥିଲେ। ଫଳରେ ପତାକା ଧରିବାରୁ ବଞ୍ଚିତ ହୋଇଥିଲେ ଏବଂ ଟେକ୍‌ଙ୍କୁ ଏହି ଦାୟିତ୍ବ ମିଳିଥିଲା।

୨୦୧୬ ସ୍ବର୍ଣ୍ଣ ବିଜେତା ମାରିୟାପ୍ପାନଙ୍କ ସହ ୫ ଜଣ ଭାରତୀୟ ଖେଳାଳି ସଂପ୍ରତି ସଂଗରୋଧରେ ରହିଛନ୍ତି। ବିମାନରେ ଟୋକିଓ ଆସୁଥିଲା ବେଳେ ଏମାନଙ୍କ ପାଖରେ ବିସିଥିବା ଜଣେ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ନିୟମାନୁଯାୟୀ ଏମାନେ ଏବେ ସଂଗରୋଧରେ ରହିଛନ୍ତି। ଅନ୍ୟପକ୍ଷରେ ଗତ ୬ ଦିନ ହେଲା ଏମାନଙ୍କ ମଧ୍ୟରୁ କାହାର ବି ରି‌ପୋର୍ଟ ପଜିଟିଭ୍‌ ଆସିନି। ତେଣୁ ଏମାନେ ଟୋକିଓ କ୍ରୀଡ଼ା ଗ୍ରାମରେ ରହିଛନ୍ତି। ଆଗକୁ ଏହି ସମସ୍ତ ଖେଳାଳିଙ୍କୁ ପ୍ରତିଯୋଗିତାରେ ଭାଗନେବାକୁ ଅନୁମତି ମିଳିପାରେ। ଏଥିସହ କଡ଼ା କରୋନା ନିୟମ ସହ ଅଭ୍ୟାସ କରିବାର ସୁଯୋଗ ବି ପାଇବେ ବୋଲି ଭାରତୀୟ ପାରାଲିମ୍ପିକ୍‌ କମିଟି (ପିସିଆଇ) ମହାସଚିବ ଗୁରଶରନ ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ ୯ କ୍ରୀଡ଼ାରେ ଭାରତର ୫୪ ପ୍ରତିଯୋଗୀ ପଦକ ପାଇଁ ଲଢ଼ିବେ। ଏହି ପ୍ରତିଯୋଗିତା ସେପ୍ଟେମ୍ବର ୫ ତାରିଖରେ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର