କ୍ୱାର୍ଟରରେ ପାରାମାଉଣ୍ଟ୍‌-ବି

ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌

ଭୁବନେଶ୍ୱର: ଆୟୋଜକ ପାରାମାଉଣ୍ଟ୍‌-ବି ଚତୁର୍ଥ ଦଳ ଭାବେ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଶୁକ୍ରବାର ଚତୁର୍ଥ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପାରାମାଉଣ୍ଟ୍‌-ବି ୩୫ ରନ୍‌ରେ କଟକର ସୋଲାର କ୍ଲବ୍‌କୁ ପରାସ୍ତ କରିଦେଇଛି। ଟସ୍‌ ଜିତି ପାରାମାଉଣ୍ଟ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଭିଷେକ ମହନ୍ତ (୬୬*)ଙ୍କ ଅପରାଜିତ ଅର୍ଧଶତକ ସାଙ୍ଗକୁ ସ୍ପନ୍ଦନ ମହାନ୍ତିଙ୍କ ୪୧ ଓ ସିଦ୍ଧେଶ୍ୱର ପରିଡ଼ାଙ୍କ ଅପରାଜିତ ୩୪ ରନ୍‌ ବଳରେ ପାରାମାଉଣ୍ଟ୍‌ ନିର୍ଧାରିତ ୪୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୯୬ ରନ୍‌ କରିଥିଲା। ସୋଲାର ପକ୍ଷରୁ ସଫଳ ବୋଲର ଭାବେ ପ୍ରତୀକ ପ୍ରସନ୍ନ ସ୍ୱାଇଁ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ସୋହମଜ୍ୟୋତି ସାହୁଙ୍କ ଅପରାଜିତ ୪୬, ସମ୍ବିତ ବେଜ୍‌ଙ୍କ ଅପରାଜିତ ୨୩ ଓ ପ୍ରତୀକ ଦାସଙ୍କ ୨୫ ରନ୍‌ ସତ୍ତ୍ୱେ ସୋଲାର ୭ ଓ୍ଵିକେଟ୍‌ ବିନିମୟରେ ୧୬୧ ରନ୍‌ରେ ଅଟକି ଯାଇଥିଲା। ବିଜୟୀ ପାରାମାଉଣ୍ଟ୍‌ ପକ୍ଷରୁ ସ୍ପନ୍ଦନ ମହାନ୍ତି ଚମତ୍କାର ବୋଲିଂ କରି ୮ ଓଭରରେ ୧୪ ରନ୍‌ ଦେଇ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ଉଦୀୟମାନ ଯୁବ ସ୍ପିନର ସୟଦ୍‌ ତୁଫୈଲ ଅହମ୍ମଦ ଓ ସାଇ ପ୍ରସାଦ ପାତ୍ର ମଧ୍ୟ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଅର୍ଧଶତକୀୟ ପାଳି ପାଇଁ ଅଭିଷେକ ମହାନ୍ତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତ୍ରୁପ୍ତି ରେଷ୍ଟୁରାଣ୍ଟ୍‌ ପରିଚାଳନା ନିର୍ଦେଶକ ଭାସ୍କର ରାଓ ଏବଂ ଓଏନ୍‌ଜିସିର ବିଭାସ ସେନଗୁପ୍ତା ଅତିଥି ଭାବେ ଯୋଗଦେଇ ଅଭିଷେକଙ୍କୁ ପୁରସ୍କୃତ କରିଥିଲେ। ସୁଶାନ୍ତ ଦାଶ ଓ ପ୍ରଦୀପ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ସମ୍ପଦ ପଟ୍ଟନାୟକ ମ୍ୟାଚ୍‌ ରେଫରି ରହିଥିଲେ। ପରବର୍ତୀ ମ୍ୟାଚ୍‌ ଆସନ୍ତା ରବିବାର ଦିନ ପାରାମାଉଣ୍ଟ୍‌-ଏ ଓ ବାରିପଦା ଏକାଡେମି ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର